ବିମାନ ବନ୍ଦରରୁ ସୁନା ଜବତ ଘଟଣା ; ଖାଲି ସୁନା ରୂପା ନୁହଁ ବାହାରିଲା ହୀରା

ଭୁବନେଶ୍ୱର, ୨୭ା୮ : ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଓ ରୂପା ଜବତ ଘଟଣା । କେବଳ ସୁନା କି ରୂପା ନୁହେଁ ତା ମଧ୍ୟରେ ରହିଛି ହୀରା ଅଳଙ୍କାର । ସିଟି ଜିଏସ୍ଟି ଏନଫୋର୍ସମେଣ୍ଟ ଟିମର ତଦନ୍ତ ବେଳେ ସାମ୍ନାକୁ ଆସିଛି ଏଭଳି ରୋଚକ ତଥ୍ୟ । ଗୋଲ୍ଡ ଫିଟେଡ ଅଳଙ୍କାର ମଧ୍ୟ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଗୋଲ୍ଡ ଫିଟେଡ ଡାଇମଣ୍ଡ ଅଳଙ୍କାର ଅର୍ଥ ଯେଉଁଥିରେ ସୁନା ଅଳଙ୍କାରରେ ହୀରା ଖଚିତ ଅଳଙ୍କାର ରହିଛି । ଏସବୁ ଅଳଙ୍କାର ଭୁବନେଶ୍ୱର ଓ କଟକର ବଡ଼ବଡ଼ ଗହଣା ଦୋକାନୀଙ୍କର । ଭୁବନେଶ୍ୱର ଓ କଟକକୁ ବିକ୍ରି ପାଇଁ ଆସୁଥିଲା ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ସିଟି ଜିଏସ୍ଟି ଅଧିକାରୀ । ଅନ୍ୟପଟେ ଗହଣା ଜବତ ପରେ ଏସବୁ ଗହଣାର ଯେଉଁ ସବୁ ସଂସ୍ଥାର ସେସବୁ ବଡ଼ବଡ଼ିଆ ଗହଣା ଦୋକାନର କର୍ତ୍ତୃପକ୍ଷ ଏବେ ସିଟି ଜିଏସଟି ଭୁବନେଶ୍ୱର ଅଫିସରେ ପହଞ୍ଚିବାରେ ଲାଗିଛନ୍ତି । ସେମାନଙ୍କର ଅଳଙ୍କାରର ପ୍ରମାଣପତ୍ର ସହ ସିଟି ଜିଏସଟି ଅଧିକାରୀ ଯାଞ୍ଚ୍ କରୁଛନ୍ତି । ଏନେଇ ଲଜିଷ୍ଟିକ ସଂସ୍ଥାର ପୂର୍ବାଞ୍ଚଳ ମୁଖ୍ୟଙ୍କୁ ମଧ୍ୟ ଡକାଯାଇଛି । କିଭଳି ଏସବୁ ଗହଣା ଆସୁଥିଲା ସେସବୁର କଣ ସବୁ ତଥ୍ୟ ରହିଛି ସେନେଇ ମଧ୍ୟ ଯାଞ୍ଚ କରାଯିବ । ଏନେଇ ଯେଉଁସବୁ ଗହଣା ଦୋକାନୀଙ୍କର ଏସବୁ ପାର୍ସଲ ବା କନସାଇନମେଣ୍ଟ ଆସିଛି ଏସବୁର କାଗଜପତ୍ର କିଛି ଆଇନଗତ ରହିଛି ନା ବେଆଇନ ରହିଛି ସେନେଇ ତର୍ଜମା ଓ ଯାଞ୍ଚ ଚାଲିଛି । ଏଥିପାଇଁ ପ୍ରାୟ ଭୁବନେଶ୍ୱର ଏକାଧିକ ଗହଣା ଦୋକାନର କର୍ମଚାରୀ ନିଜ ନିଜର ଡକୁ୍ୟମେଣ୍ଟ ଧରି ସିଟି ଜିଏସଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
ସୂଚନା ଯୋଗ୍ୟଯେ, ଗତକାଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଜବତ ହୋଇଥିଲା ବିପୁଳ ପରିମାଣର ସୁନା ଓ ରୂପା । ୨ଟି କଣ୍ଟେନରରେ ସୁନା ଓ ରୂପା ଯାଉଥିବା ବେଳେ ଖବର ପାଇଁ ମାଡି ବସିଥିଲା ସିଟି ଜିଏସଟି ବିଭାଗ । ଏସବୁ ସୁନା ଓ ରୂପା ବିମାନ ଯୋଗେ ଭୁବନେଶ୍ୱରକୁ ଆସିଥିଲା । ପାଖାପାଖି ୮୦ କେଜି ସୁନା ଓ ଦେଢ଼ କୁ୍ୟଣ୍ଟାଲ ରୂପା ଜବତ କରାଯାଇଥିଲା । ଦୁଇଟି ଗାଡିରୁ ମୋଟ ୩୪ଟି କନସାଇନମେଣ୍ଟ ଜବତ ହୋଇଛି । ଯାହା ମଧ୍ୟରେ କଳାରଙ୍ଗର ଗାଡିରେ ରହିଛି ୧୦ଟି କନସାଇନମେଣ୍ଟ ସୁନା ଗହଣା ଓ ହୀରା ଖଚିତ ଅଳଙ୍କାର । ସେହିପରି ଆଉ ୧୬ଟି କନସାଇନମେଣ୍ଟରେ ରହିଛି ରୂପା ଅଳଙ୍କାର । ଆଉ ଏକ ଛୋଟ ମିନି ଇକୋ ଗାଡିରେ ୮ଟି କନସାଇନମେଣ୍ଟ ରହିଛି । ଯେଉଁଥିରେ ରହିଥାଏ କେବଳ ରୂପା ଅଳଙ୍କାର । ତେବେ ମୋଟ ୧୦ଟି ସୁନା ଓ ହୀରା ଖଚିତ ଅଳଙ୍କାର ଓ ଅନ୍ୟ ୨୪ଟିରେ ରହିଛି ରୂପା ଅଳଙ୍କାର । ତା ମଧ୍ୟରୁ ୮ଟି କନସାଇନମେଣ୍ଟରେ ଯାହା ରହିଛି ସମ୍ପୃର୍ଣ୍ଣ ବେଆଇନ ବୋଲି କୁହାଯାଇଛି । ତାର କୌଣସି କାଗଜପତ୍ର ସଠିକ ନାହିଁ ଯାହାକି ସମ୍ପୃର୍ଣ୍ଣ ଭାବେ ବେଆଇନ ଭାବେ ଅଣାଯାଇଛି ବୋଲି ଜଣାପଡ଼ିଛି ।