୧୭ ମାସ ମିଥ୍ୟା ସମ୍ପର୍କ ରଖି ଯୁବତୀଙ୍କୁ ଧୋକା
ଭୁବନେଶ୍ୱର, ୨୨ା୪ : ଗତ ୯ବର୍ଷ ତଳେ ଏକ ବେସରକାରୀ ସଂସ୍ଥାରେ ଚାକିରି ସମୟରେ ଦେଖା ହୋଇ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ । ପରେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ୧୭ ମାସ ହେବ ଶାରୀରିକ ସମ୍ପର୍କ । ପରେ ଅଭିଯୋଗକାରୀ ବିବାହ କରିବାକୁ ଦାବି କରିବାରୁ ଆରମ୍ଭ ହେଲା ଅତ୍ୟାଚାର, ବିଚ ରାସ୍ତାରେ ପ୍ରେମିକ ଠାରୁ ଖାଇବାକୁ ପଡ଼ିଲା ମାଡ ଏବଂ ମିଳିଲା ହତ୍ୟା ଧମକ । ଏଭଳି ଘଟଣା ପରେ ଅଭିଯୋଗକାରିଣୀ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ପୁଲିସ । ଏଭଳି ଘଟଣା ଘଟିଛି ଏୟାରପୋର୍ଟ ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଲେ, ଖଣ୍ଡଗିରି ଥାନା ଅଧିନ ସିଜୁଆ ଅଞ୍ଚଳର ବିକ୍ରମ ଜୟସିଂହ ଓରଫ ଦିପୁ । ପରେ ଥାନା କେସ ନମ୍ବର ୧୦୬ରେ ମାମଲା ରୁଜୁକରି ଦଫା ୪୯୩, ୪୧୭, ୫୦୬,୩୪ ଆଇପିସି ଧାରାରେ ସୋବାର ଦିନ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣଙ୍କ ଏୟାରପୋର୍ଟ ଥାନା ଅଞ୍ଚଳରେ ଭଡ଼ାରେ ରୁହନ୍ତି । ଗତ ୯ ବର୍ଷ ତଳେ ସେ ଏକ ବେସରକାରୀ ସଂସ୍ଥାରେ କୋ- ଅର୍ଡିନେଟର ଭାବେ ଚାକିରୀ କରୁଥିବା ବେଳେ, ଅଭିଯୁକ୍ତ ଜଣଙ୍କ ଉକ୍ତ ସଂସ୍ଥାରେ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ଫଳରେ ସେଠାରେ ଚାକିରୀ ସମୟରେ ହିଁ ଅଭିଯୋଗକାରିଣୀ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବନ୍ଧୁତା । କିଛିଦିନ ପରେ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କୁ ବିବାହ କରିବାର ମିଥ୍ୟ ପ୍ରତିଶୃତି ଦେଇ ଗତ ୧୭ ମାସ ହେବ ଶାରିରୀକ ସମ୍ପର୍କ ରଖି ଚାଲିଥିଲେ । ଏହି ସମୟରେ ଅଭିଯୋଗକାରିଣୀ ତାଙ୍କୁ ବିବାହ କରିବାକୁ ପ୍ରସ୍ଥାବ ଦେବାରୁ, ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିବା ବେଳେ, ପରେ ସେ ଏବଂ ତାଙ୍କ ମାଆ ମିସି ନାନାପ୍ରକାର ଧମକ ଚମକ ଦେବା ସହ ମାଡ ମାରିଥିଲେ । ଏନେଇ ଯୁବତୀ ଜଣଙ୍କ ଏୟାରପୋର୍ଟ ଥାନାକୁ ଯାଇ ଗତ ୫ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ।