ଜମିବାଡିକୁ ନେଇ ଭଙ୍ଗାରୁଜା ସହ ହତ୍ୟା ଧମକ ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୭ା୮ : ଜମିବାଡି ବିବାଦକୁ ନେଇ ଅଭିଯୋଗକାରିଣୀଙ୍କୁ ଗାଳିଗୁଲଜ କରିବା ସହ ଘରର ଫୁଲକୁଣ୍ଡକୁ ଭଙ୍ଗାରୁଜା ଓ ଜୀବନରେ ମାରିଦେବରାକୁ ହତ୍ୟା ଧମକ । ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ପାହାଳ ଥାନା ଅଧିନ ଗୋହଳ ଗ୍ରାମର ମାରକଣ୍ଡ ସାମନ୍ତରାୟ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ପାହାଳ ଥାନା ଅନ୍ତର୍ଗତ ଗୋହଳ ଗ୍ରାମର ବାସିନ୍ଦା ହୋଇଥିବା ବେଳେ, ପରସ୍ପର ପଡୋଶୀ ଅଟନ୍ତି । ଜମିଜମାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଗତ ମାର୍ଚ୍ଚ ୩୧ ତାରିଖ ରାତିରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଘର ସମ୍ମୁଖକୁ ଯାଇ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଘର ସମ୍ମୁଖରେ ରଖାଯାଇଥିବା ଫୁଲକୁଣ୍ଡ ଗୁଡ଼ିକୁ ବାଡେଇ ଭାଙ୍ଗି ଦେଇଥିଲେ ଏବଂ ଖୁବଶୀଘ୍ର ଯଦି ଜମିଜମା ବିବାଦର କିଛି ସାମାଧାନ ନକରନ୍ତି ତେବେ ସେ ତାଙ୍କ ପରିବାରକର ସମସ୍ତ ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଅଭିଯୋଗକାରିଣୀ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।