ବିହାରରେ ଯୁବତୀ ବନ୍ଧା ପଡିବା ଘଟଣା : ଶ୍ରମ ଆୟୁକ୍ତଙ୍କ ଚିଠିପରେ ମକଦ୍ଦମା ରୁଜୁକଲା ପୁଲିସ
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମର ଶରତ ଚନ୍ଦ୍ର ଦାସଙ୍କ ଝିଅ ଓ ଝିଆରୀଙ୍କୁ ଭୁବନେଶ୍ୱରରେ ଥିବା ଏକ ବିସ୍କୁଟ ଫ୍ୟାକ୍ଟି୍ରରେ କାମ କରିବାକୁ କୁହାଯାଇଥିଲା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କାନପୁର ଗ୍ରାମର ହୃଷିକେଶ ଭଞ୍ଜଙ୍କ ପୁଅ ସନ୍ତୋଷ ଭଞ୍ଜ (ଶଙ୍କର) ଶରତଙ୍କ ଝିଅ ବିଣାପାଣୀ ଦାସ (୧୯) ଓ ଝିଆରୀ ପଦ୍ମାବତୀ ଦାସ (୧୯)ଙ୍କୁ ଅଧିକ ଦରମା ଦେବାକୁ ପ୍ରଲୋଭିତ କରି ବିହାରକୁ ନେଇ ସଂଜୟ ଭବାନଙ୍କ ନିକଟରେ ଛାଡି ଆସିଥିଲେ । ବିସ୍କୁଟ ଫ୍ୟାକ୍ଟ୍ରି ବଦଳରେ ଅର୍କେଷ୍ଟ୍ରା ଗ୍ରୁପରେ କାମ କରିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଇଥିଲା । ଅକ୍ରେଷ୍ଟ୍ରା ଗ୍ରୁପରେ କାମ କରିବାକୁ ସେମାନେ ରାଜି ନହେବାରୁ ଶାରିରୀକ ଓ ମାନସିକ ନିର୍ଯାତନା ଦେବାରୁ ବାଧ୍ୟ ହୋଇ ସେଥିରେ କାମ କରିଥିଲେ । ଅନିଛା ସତ୍ତ୍ୱେ କାମ କରୁଥିବାରୁ କୌଶଳକ୍ରମେ ବିଣାପାଣୀ ସେଠାରୁ ଗାଁକୁ ଖସିଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା । ଶରତ ନିଜ ଝିଆରୀ ପଦ୍ମାବତୀର ଉଦ୍ଧାର ପାଇଁ ରାଜନଗର ଥାନାର ଦ୍ୱାରସ୍ତ ହୋଇଥିଲେ ।
ପୁଲିସ ଅଭିଯୋଗ ଗ୍ରହଣ ନକରିବାରୁ ଶରତ ବାଧ୍ୟହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା । ଏହି ଘଟଣା ଗଣମାଧ୍ୟମରେ ୧୭ ତାରିଖ ଶୁକ୍ରବାର ଦିନ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରାପଡାସ୍ଥିତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ଶ୍ରମ କମିଶନର, କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ରାଜନଗର ଥାନାଧିକାରୀ ପ୍ରମୁଖଙ୍କୁ ଅବଗତ କରିବା ପରେ ପୁଲିସର ନିଦ ଭାଙ୍ଗିଥିଲା । ରାଜନଗର ଥାନାଧିକାରୀ ଅଜୟ କୁମାର ଜେନା ଅଭିଯୋଗକାରୀ ଶରତଙ୍କୁ ଥାନାକୁ ଡକାଇ ଅଭିଯୋଗ ଗ୍ରହଣ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ ଜାରି ରଖିଛି । ପୁଲିସ ଅଭିଯୁକ୍ତ ସନ୍ତୋଷ ଓରଫ ଶଙ୍କର ଓ ସଞ୍ଜୟ ଭବାନଙ୍କୁ ନୋଟିସ ଦେଇ ପଦ୍ମାବତୀ ତୁରନ୍ତ ଗାଁରେ ପହଞ୍ଚାଇବାକୁ ନିଦେ୍ର୍ଦଶ ଦେଇଛି । ଅଭିଯୋଗକାରୀ ଶରତଙ୍କ କହିବାନୁଯାୟୀ, ପଦ୍ମାବତୀ ଶନିବାର ସନ୍ଧ୍ୟା ସୁଦ୍ଧା କଟକ ରେଳ ଷ୍ଟେସନରେ ତାଙ୍କ ଝିଆରୀ ପଦ୍ମାବତୀ ପହଞ୍ଚôଛି । ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାରୁ ତାଙ୍କ ଝିଆରୀ ଘରକୁ ଫେରିବା ସମ୍ଭବ ହୋଇଛି । ଏଥିପାଇଁ ଗଣମାଧ୍ୟମଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।