ଧର୍ମଶାଳା ପୁଲିସ ବିରୁଦ୍ଧରେ ଏସପିଙ୍କୁ ଭେଟିଲେ ପୀଡିତ ପରିବାର
ପାଣିକୋଇଲି: ମାମଲା ରୁଜୁ କରିବାକୁ ଦିନ ଗଡ଼ାଇ ଚାଲିଲେ । ମାମଲା କଲେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଉନି ଧର୍ମଶାଳା ପୁଲିସ । ଧର୍ମଶାଳା ପୁଲିସ ବିରୁଦ୍ଧରେ ଏସପିଙ୍କୁ ଭେଟି ଅପିଲ କରିଛନ୍ତି ପିଡ଼ୀତ ପରିବାର । ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପଞ୍ଚାୟତ ନିଳକଣ୍ଠପୁର ଗ୍ରାମର ଗୁଣନିଧି ମଳିକଙ୍କ ସ୍ତ୍ରୀ କାମିନୀଙ୍କ ଅଭିଯୋଗ ମୁତାବକ ଗତ ୩୧ ତାରିଖ ତାଙ୍କ ଗ୍ରାମ ଓ ପାଖ ଗ୍ରାମର କେତେକ ଅସାମଜିକ ଯୁବକ ଘରେ ପହଁଚି ଜାତିଆଣା ଗାଳି ଗୁଲଜ ସହ ଗୁଣନିଧିକୁ ଖୋଜିଥିଲେ । ଜୋର ଜବରଦସ୍ତ ମାରଣାସ୍ତ୍ର ଓ ଠେଙ୍ଗା ବାଡିଧରି ଧରି ଘରେ ପସିବାକୁ ଉଦ୍ୟମ କଲେ । ସେ ଓ ତାଙ୍କ ତିନି ଝିଅ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ ମାରିବା ସହ ଅସଦାଚରଣ କରିଥିଲେ । ସେପଟେ ଯାଉଥିବା କେତେକ ଚାଷୀ ପହଁଚି ଏହାକୁ ବିରୋଧ କରିବାରୁ ସେମାନେ ପଳାଇଯାଇଥିଲେ । ଏନେଇ ଥାନାକୁ ଯାଇ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ଏତଲା ପଞ୍ଜିକୃତ ହୋଇନଥିଲା । ଫଳରେ ଧର୍ମଶାଳା ଆମ୍ବେଦକର ସଂଘ ହସ୍ତକ୍ଷେପ କଲା ପରେ ଏତଲା ପଞ୍ଜିକୃତ ହେଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ନହୋବରୁ ଏସଡିଓ ଓ ପରେ ଅତିରିକ୍ତ ଏସପିଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଘଟଣାକୁ ୨୪ଦିନ ବିତିଥିଲେ ବି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ । ସେମାନେ ରାସ୍ତାଘାଟରେ ଗାଳିଗୁଲଜ ଓ ଧମକ ଦେଉଛନ୍ତି । ଯାହା ଦ୍ୱାରା ପରିବାର ପ୍ରତି ବିପଦ ରହିଛି । ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ପାଇଁ ଓ ପରିବାରର ସୁରକ୍ଷା ପାଇଁ ଗୁହାରୀ କରିଛନ୍ତିି ।