ଜୟନଗର କଂଗ୍ରେସର ମିଶ୍ରଣ ପର୍ବ
ରାଜକନିକା: ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଉପନିର୍ବାଚନ ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଇବା ପରେ ଏବେ ରାଜନୈନିକ ଦଳମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନ ସଜାଡିବାରେ ଲାଗି ପଡିଛନ୍ତି । ଏହି ଅବସରରେ କଂଗ୍ରେସ ଦଳ ମଧ୍ୟ ନିଜର ସାଙ୍ଗଠନିକ ଦୃଷ୍ଟିରୁ ବେଶ ଆଗରେ ଥିବା ଜଣାପଡିଛି । ଏହି କିଛିଦିନ ହେବ ଦଳ ତରଫରୁ ସଭା, ସମିତି ଓ ସାଙ୍ଗଠନିକ ବୈଠକ ଜାରି ରଖିଥିବା ବେଳେ ଗତ ୧୩ ତାରିଖ ସନ୍ଧ୍ୟାରେ ପଞ୍ଚାୟତର ଚାଉଳିଆ କୋଲ୍ହା ୨୧ ନମ୍ବର ୱାର୍ଡରେ ଏକ ବଡ଼ ମିଶ୍ରଣ ପର୍ବ କରି ପ୍ରାୟ ୪୦ରୁ ଉର୍ଦ୍ଧ ପରିବାରକୁ ନିଜ ଦଳରେ ମିଶାଇ ଶକ୍ତି ବୃଦ୍ଧି କରିଛି । ଦଳର ନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା କର୍ମୀମାନଙ୍କୁ ଉତ୍ତରୀୟ ଦେଇ ଦଳରେ ସାମିଲ କରାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ମିଶ୍ରଣ ପର୍ବରେ ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ଆଳି ବ୍ଲକ ସଭାପତି ରବି ନାରାୟଣ ବେହେରା, ସମିତିସଭ୍ୟ ଶରତ ରାଉତ, ଯୁବନେତା ସତ୍ୟବ୍ରତ ପରିଡା, ମାନ ଗୋବିନ୍ଦ ଦାସ ପ୍ରଭୃତି ଯୋଗଦେଇ ଥିବା ବେଳେ ସୁଶାନ୍ତ ମଲ୍ଲିକ ମିଶ୍ରଣ ପର୍ବର ସଂଯୋଜନା କରିଥିଲେ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ ।