ବ୍ୟାସନଗର ବିକାଶରେ ବାଧକ କିଏ?
ବ୍ୟାସନଗରରୁ ଉମାକାନ୍ତ ରାଉତ : "ବିକାଶରେ ବାଧକ’ ନିଶ୍ଚିତ ଭାବରେ ଏହା ଏକ ରାଜନୈତିକ ଭାଷା । କିନ୍ତୁ ବ୍ୟାସନଗର ପୌରପାଳିକା ପାଇଁ ବିକାଶରେ ବାଧକ ପରିଭାଷା ସମ୍ପୂର୍ଣ୍ଣ ଭିନ୍ନ । ବ୍ୟାସନଗର ପୌରପାଳିକା ନିର୍ବାଚନ ହୁଏ, ପରିଷଦ ଗଠନ ହୁଏ, କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ବିଭିନ୍ନ କାରଣକୁ ନେଇ ବ୍ୟତିକ୍ରମ ଦେଖିବାକୁ ମିଳେ । କେତେ ବେଳେ, ପାରିଷଦ ନଗରପାଳ ସହିତ ତ କେତେ ବେଳେ ଅଧ୍ୟକ୍ଷଙ୍କ ସହ ବିଧାୟକଙ୍କ ମତପାର୍ଥକ୍ୟ । ଆଉ କେତେ ବେଳେ ଜିଲ୍ଲା ପ୍ରଶାସନ ସହ ବୁଝାମଣାର ଅଭାବରୁ ବିକାଶରେ ବାଧା ଉପୁଜେ । ଯାହାବି ହେଉ ଏଥିରୁ ସାଧାରଣ ଟିକସଦାତା ମୌଳିକ ସମସ୍ୟାକୁ ହାସଲ କରିବାରେ ସମସ୍ୟା ଉପୁଜୁଥାଏ । ନିର୍ବାଚନ ଆସେ ଯାଏ କିନ୍ତୁ ବ୍ୟାସନଗର ଭଳି ବିକାଶମୁଖୀ ସହର ବିକାଶର ସ୍ୱାଦ ଚାଖି ପାରେନାହିଁ । ଗତ ପୌର ନିର୍ବାଚନରେ ବିଜେଡି ବାଜିମାତ କରି ପୌରାଧ୍ୟକ୍ଷା ଭାବେ ସଙ୍ଗୀତ ପିଙ୍ଗୁଆ ଦାୟିତ୍ୱ ନେବା ପରେ ଲାଗୁଥିଲା ରାଜ୍ୟ ଓ ପୌର ପ୍ରଶାସନ ସମାନ ଦଳ ଥିବାରୁ ସହର ବିକାଶ ଦୌଡ଼ିବ ଏବଂ ସହରବାସୀ ବିକାଶର ସ୍ୱାଦ ଚାଖିବେ । କିନ୍ତୁ ତାହା ସମ୍ଭବପର ହୋଇନଥିଲା । କାରଣ ଅଧକ୍ଷା ପାରିଷଦଙ୍କୁ ନେଇ ସହରର ସମସ୍ୟାକୁ ସମାଧାନ କରିବା ପରିବର୍ତେ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ରେ ବିକାଶର ପର୍ବ ଏକ ପ୍ରକାର ଠପ୍ ହୋଇଗଲା । କିଛି ହାତଗଣତି ପାରିଷଦକୁ ନେଇ ଅଧ୍ୟକ୍ଷା କାମ କରୁଥିବା ବେଳେ ମାତ୍ରାଧିକ ପାରିଷଦ ତାଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ । ଯାହାର ରୂପ ନେଲା ଅନାସ୍ଥା । ୨/୩ଜଣ ପାରିଷଦଙ୍କ ଛଡା ବିଜେଡି ଆଉ କଂଗ୍ରେସର ପାରିଷଦଙ୍କ ସମର୍ଥନରେ ଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷା ସଙ୍ଗୀତ ପିଙ୍ଗୁଆଙ୍କ ବିରୁଦ୍ଧରେ ଆଗତ କରାଗଲା । ଅନାସ୍ଥା ପ୍ରସ୍ତାବ ପୌର ଆଇନ ଅନୁସାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଅନାସ୍ଥା ପ୍ରକ୍ରିୟା ଆରମ୍ଭ ହେବା ସହ ଦସ୍ତଖତ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଶେଷ ହେଲା । କିନ୍ତୁ ହଠାତ ଆବେଦନ ଠାରୁ ଆରମ୍ଭ କରି ଦସ୍ତଖତ ଯାଞ୍ଚରେ ସାମିଲ ଥିବା ୪ଜଣ ବିଜେଡି ପାରିଷଦ ନିଜର ମତ ପରିବର୍ତନ କରି ଅନାସ୍ଥା ପାଇଁ ଭୋଟିଂ ତାରିଖ ଘୋଷଣା ପରେ ସଙ୍ଗୀତା ପିଙ୍ଗୁଆଙ୍କୁ ଗାଦିଚୁ୍ୟତ ନକରେଇବା ପାଇଁ ଗୋଟି ଚାଳନା କରିଥିଲେ । ଗୋଟି ଚାଳନା ପଛରେ କାହାର ହାତଥିଲା ତାହାତ ଭିନ୍ନକଥା କିନ୍ତୁ ଭୋଟିଂ ହେଲା ଅଧକ୍ଷା ପିଙ୍ଗୁଆଙ୍କ ବିରୁଦ୍ଧରେ ୨୦ପାରିଷଦଙ୍କ ଭୋଟ ପଡିବାରୁ ସେ ଗାଦିଚୁ୍ୟତ ହେଲେ । ବହୁ ବାଧାବିଘ୍ନ ପରେ ପୌର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ । ପ୍ରଥମ କାଉନସିଲ ବୈଠକରେ ସମସ୍ତ ପାରିଷଦ ସହ କୋରେଇ ବିଧାୟକ ଆକାଶ ଦାସନାୟକ ଉପସ୍ଥିତ ରହି ସହରକୁ କିପରି ଆଗକୁ ନେଇ ହେବ ସେ ବିଷୟରେ ସବିଶେଷ ଆଲୋଚନା ହେଲା ।
ସହରବାସୀ ଆଶ୍ୱସ୍ତ ହେଲେ ଏଥର ବିକାଶର ରଥକୁ ଆଉ କେହି ବ୍ରେକ୍ ଦେଇପାରିବେ ନାହିଁ । ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଡ୍ରେନ୍ ସଫା ଠାରୁ ଆରମ୍ଭ କରି ରାସ୍ତାଘାଟ ସଫେଇ କାର୍ଯ୍ୟ ଆଗକୁ ବଢିଲା । ବିଭିନ୍ନ ସଫେଇ କାର୍ଯ୍ୟକ୍ରମକୁ ଦେଖି ସହରବାସୀ ନୂଆକରି ଦାୟିତ୍ୱ ନେଇଥିବା ସୁବାସ ବଳ ଏହି ସମୟରେ ବିଭିନ୍ନ ୱାର୍ଡର ଉନ୍ନୟନ କାମ ପାଇଁ କାଉନସିଲ ବୈଠକରେ ରେଜୁଲେସନ ପାସ ହୋଇ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାମ ହାତକୁ ନିଆଗଲା । ରେଜୁଲେସନ ସିନା ହେଲା, କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହେଲା । ଏଇଠୁ ଆରମ୍ଭ ହେଲା ବିକାଶ ବିରୋଧର ପର୍ବର ଧାରା । କିଛି ଦିନ ଅପେକ୍ଷା ପରେ ପାରିଷଦ ନିର୍ବାହୀ କାର୍ଯ୍ୟାଳୟରେ ପହଁଚି କାହିଁକି ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହେଉଛି ସେ ନେଇ ହୋହଲ୍ଲା କରିବା ସହ ଆଜି ଟେଣ୍ଡର ଦସ୍ତଖତ ନହେଲେ ଆମେ ଏଠି ଅନସନରେ ବସିବୁ ବୋଲି ଜିଦ୍ଧରି ବସିଥିଲେ । ଉତରରେ ନିର୍ବାହୀ ଅଧିକାରୀ ମୋ’ଉପରେ ଚାପ ଅଛି କହିବା ସହ କିଛି ପାରିଷଦଙ୍କ ଟେଣ୍ଡର ଉପରେ ଅଭିଯୋଗ ରହିଛି ତେଣୁ ତର୍ଜମା କରି ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ । ଟେଣ୍ଡର ହେବ କଣ ନିର୍ବାହୀ ଅଧିକାରୀ ଛୁଟିରେ ଚାଲିଗଲେ । ପରେ ପରେ ଆରମ୍ଭ ହେଲା ରାଜନୈତିକ ଆରୋପ ପ୍ରତ୍ୟାରୋପ । ବିଧାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଲେ ପାରିଷଦ ଓ ଅଣ ପାରିଷଦ ନିର୍ବାହୀ ଅଧିକାରୀଙ୍କୁ ଯେଉଁପରି ଭାବେ ଗୋଟେ ଘରେ ବନ୍ଦି କରି ଦିର୍ଘ ଘଣ୍ଟା ଧରି ବନ୍ଦୀ କରି ଜୋରଜବରଦସ୍ତ ବେଆଇନ ଭାବେ ଫାଇଲରେ ଦରଖସ୍ତ କରାଇଲେ ମୁଁ ତାକୁ ନିନ୍ଦା କରୁଛି ଓ ଏହା ଉପରେ ତଦନ୍ତ କରିବାକୁ ଜିଲାପାଳଙ୍କୁ ନିଦେ୍ର୍ଦଶ ଦେବା ସହ ବାରମ୍ବାର ଅନାସ୍ଥାକୁ ନାପସନ୍ଦ କରିଥିଲେ । ଏହା ପରେ ଯେଉଁ ୬ଜଣ ଅନାସ୍ଥାରେ ଦୁରେଇ ରହିଥିଲେ ସେମାନେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ୨୦ଜଣ ପାରିଷଦ ଉପରେ ଗର୍ଜିବା ସହ ଟେଣ୍ଡରରେ ପକ୍ଷପାତିତା କରାଯାଇଛି ଓ ଯାଜପୁର ନେତାଙ୍କ ଇଙ୍ଗିତରେ ସବୁ ଚାଲିଛି ବୋଲି ଅଙ୍ଗୁଳି ନିଦେ୍ର୍ଦଶ କଲେ । କିଛି ହାତଗଣତି ପାରିଷଦ ଓ ବିଧାୟକଙ୍କ କଥାରେ କୌଣସି ସତ୍ୟତା ନାହିଁ ବୋଲି କହି ପାରିଷଦ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ବିକାଶର ବିରୋଧି, ଜାଣିଶୁଣି ଟେଣ୍ଡରକୁ ବିରୋଧ କରୁଛନ୍ତି । କାଳେ ବ୍ୟାସନଗର ବିକାଶ ହେଲେ ବିଜେଡି ବାହାବା ନେଇଯିବ ଏହି ମନୋବତ୍ତରୁ ବିଧାୟକ ଦୂରେଇ ରୁହନ୍ତୁ ବୋଲି କହିବା ସହ ଯେଉଁ ୬ଜଣ ପାରିଷଦ ଆମ ଉପରେ ଦୋଷାରୋପ କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ବାଧା ସ୍ରୁଷ୍ଟି ହେଉଛି ବୋଲି ବିଳି ବିଳେଇ ହୋଇ ବିଧାୟକଙ୍କ ଶରଣ ପଶିଛନ୍ତି ବୋଲି ଅଧ୍ୟକ୍ଷ ବଳ ଓ ପାରିଷଦ ମତ ପ୍ରକାଶ କରିଥିଲେ । ରାଜନୈତିକ ଉଷ୍ଣତା ଭିତରେ ଜିଲ୍ଲାପାଳ ତଦନ୍ତ ଆଳରେ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବଦଳରେ ଟେଣ୍ଡରକୁ ଆଗକୁ ବଢ଼ାଇବାରେ ତତ୍ପରତା ଦେଖାଇଲେ ନାହିଁ । ଅଧ୍ୟକ୍ଷ ସମେତ ପାରିଷଦ ଜିଲାପାଳଙ୍କୁ ଭେଟ କରିବା ବେଳେ ତଦନ୍ତ କରିବା ସହ ଖୁୁବ ଶୀର୍ଘ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜିଲାପାଳ ଏଯାବଦ ସମୟ ଗଡ଼ାଇ ଚାଲିଛନ୍ତି ।
ଏଣୁ ପ୍ରଶ୍ନ ଉଠୁଛି ବିକାଶର ବାଧକ କିଏ? ସାଧାରଣ ଜନତା କାହିଁକି ମୌଳିକ ସମସ୍ୟାରୁ ଦୁରେଇ ରଖାଯିବ? ପୌରପରିଷଦ ଅଚଳାବସ୍ଥା ପାଇଁ ଦାୟୀ କିଏ? ରାଜନୈତିକ ଆରୋପ ପ୍ରତ୍ୟାରୋପରେ ଜିଲା ପ୍ରଶାସନ କାହିଁକି ଏହାର ସମାଧାନ କରିବାକୁ ତତ୍ପରତା ପ୍ରକାଶ କରୁନାହିଁ କାହିଁକି? ବ୍ୟାସନଗରର ବିକାଶରେ ରୋକ୍ ଲଗାଇବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ନୁହେଁ ତ? ରାଜନୈତିକ ପଶାପାଲିରେ ହଜିଯାଇଛି ବ୍ୟାସନଗର ବିକାଶ । ବିଗତ ଦିନରେ ଏଭଳି କିଛି ଉଦ୍ୟମ ହୋଇଥିଲା । ଯେଉଁ ସମୟରେ ପୈାରାଧ୍ୟକ୍ଷା ଭାବେ ବନ୍ଦିତା ପରିଡ଼ା ରହିଥିବା ବେଳେ ରାଜ୍ୟରେ ବିଜେଡ଼ି ସରକାରକୁ କୋରେଇର ବିଧାୟକ ଥିଲେ ପ୍ରୀତିରଞ୍ଜନ ଘଡାଇ । କିନ୍ତୁ ବନ୍ଦିତା ବ୍ରେକ୍ ମାରି ନଥିଲେ । କିନ୍ତୁ ସେ ସମୟ ଆଉ ଏସମୟ ଭିତରେ ଫରକ ରହିଛି । ରାଜ୍ୟରେ ବିଜେପି ସରକାରକୁ ପୈାରପାଳିକା ବିଜେଡି ଅକ୍ତିଆରଧିନ । ସରକାର ବଦଳିବା ପରେ ଶାସକ ଏବଂ ପ୍ରଶାସନର ମାନସିକ ସ୍ତରରେ ପରିବର୍ତନ ଘଟିବାକୁ ଅଯଥାର୍ଥ ବୋଲି କୁହାଯାଇପାରିବନି । କିନ୍ତୁ ଯେହେତୁ ବିଧାୟକ ବ୍ୟାସନଗରବାସୀନ୍ଦା ଏବଂ ସେବି ନଗର ବିକାଶ କଥା ବାରମ୍ବାର କହିଆସୁଛନ୍ତି, ତେଣୁ ତୁ ତୁ ମେଁ ମେଁକୁ ନେଇ ବିକାଶରେ ବ୍ରେକ ଲାଗିବା ଫଳରେ ପୈାରବାସୀ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ରହୁଛନ୍ତି ବୋଲି କୁହାଯିବ । ଦେଖିବାକୁ ବାକି ରହିଲା କେତେ ବେଳେ କେଉଁ ଦିନ କାହାର ଅଞ୍ଚଳର ବିକାଶ ପାଇଁ ସହଯୋଗର ମନ ବଳୁଛି । କିନ୍ତୁ ସହରରେ ଯେଉଁ କଥାଟି ଆଲୋଚନା ହେଉଛି, ତାହା ହେଲା ରାଜନୈତିକ ଛକାପଞ୍ଝା ଚାଲିଥାଉ, ବ୍ୟାସ ନଗର ବିକାଶ ଚୁଲିକୁ ଯାଉ । ଯାହାର ସାରମର୍ମ ହେଲା ଆଗେ ସ୍ୱାର୍ଥ ପରେ ବିକାଶ ।