ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ, ଜାଣନ୍ତୁ କାହିଁକି ?

baliaytra

ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ, ଜାଣନ୍ତୁ କାହିଁକି ?

।। ପ୍ରଭାନ୍ୟୁଜ ।। କଟକ, ୧୮/୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ଦେହାନ୍ତରେ ବାଲିଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଜିକ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଅପର ପକ୍ଷରେ ସାଂସ୍କତିକ କାର୍ଯ୍ୟକ୍ରମ ସମୟସୀମା ରବିବାର ଅଧଘଣ୍ଟା ବଢ଼ା ଯାଇଥିବାବେଳେ ଆଜି କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

କଟକର ଟାଣୁଆ ନେତା ସମୀର ଦେ’ଙ୍କର ପରଲୋକ ହୋଇଯାଇଛି  । ଉପକୂଳ ଓଡ଼ିଶାର ଜଣେ ଆଗଧାଡ଼ିର ବିଜେପି ନେତାଭାବେ ସେ ଖ୍ୟାତି ଅର୍ଜନ କରିଥିଲେ  । ଖାଲି ରାଜନୀତି ନୁହେଁ, କ୍ରୀଡ଼ା ସଂଗଠକ ଭାବେ ବି ତାଙ୍କର ବେଶ ସୁନାମ ରହିଥିଲା  । ଦୀର୍ଘଦିନ ଧରି ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ  । କିନ୍ତୁ ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି  । ସମସ୍ତଙ୍କର ପ୍ରିୟ ସମୀର ଦା’ଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି  । 

୧୯୫୭ ମସିହା ଜାନୁଆରୀ ୧୦ରେ ସମୀର ଦେ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଏକ ସମ୍ଭ୍ରାନ୍ତ ବଙ୍ଗଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ  । ଆଇନଜୀବୀ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ ବି ରାଜନୀତି ପ୍ରତି ତାଙ୍କର ବହୁତ ରୁଚି ରହିଥିଲା  । କଟକ ଜିଲ୍ଳାରେ ବିଜେପିର ସାଂଗଠନିକ ବିସ୍ତାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ସଂଘର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ନିର୍ବାହ କରିଥିଲେ  । ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରହି ଛାତ୍ର ରାଜନୀତିରେ ସକ୍ରିୟ ହେବା ସହ କଟକସ୍ଥିତ କ୍ରୀଷ୍ଟ କଲେଜ ଛାତ୍ର ସଂଘର ସଭାପତି ହୋଇଥିଲେ  । ଅନେକ ଶ୍ରମିକ, କର୍ମଚାରୀ ସଂଗଠନ ସହ କ୍ରୀଡ଼ା ସଂଗଠନର ବି ନେତୃତ୍ୱ ନେଇଥିଲେ  ।