ଭାରତରେ ହେବ ରାଫେଲ୍


ନୂଆଦିଲ୍ଲୀ :ଡାସଲ୍ଟ ଏଭିଏସନ୍ କମ୍ପାନୀର ରାଫେଲ୍ ଇତିହାସରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ଏଣିକି ଭାରତରେ ତିଆରି ହେବ ରାଫେଲ୍ ଫାଇଟର୍ ଜେଟ୍ । ଏଥିପାଇଁ ଫ୍ରାନ୍ସର ଡାସଲ୍ଟ କମ୍ପାନୀ ସହିତ ଭାରତର ଟାଟା ଆଡ୍ଭାନ୍ସ ସିଷ୍ଟମ୍ ଲିମିଟେଡ୍ (ଟିଏଏସ୍ଏଲ୍) ସହ ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତ ସମେତ ବିଶ୍ୱ ବଜାର ପାଇଁ ସୁଯୋଗ ସୃଷ୍ଟି ଉଦେ୍ଦଶ୍ୟରେ ଡାସଲ୍ଟ ସହମତି ଦେଇଥିବା ବେଳେ ରାଫେଲ୍ର କେବଳ ବଡି ପାର୍ଟ୍ସ ଗୁଡ଼ିକ ଭାରତରେ ତିଆରି ହେବ ବୋଲି ସୂଚନା ମିଳିଛି । ଆଉ ଇଞ୍ଜିନ୍ ସମେତ ଅନ୍ୟାନ୍ୟ ବୈଷୟିକ ଜ୍ଞାକୌଶଳ ଫ୍ରାନ୍ସରେ ନିର୍ମିତ ହେବ ।  ତେବେ ପ୍ରତିରକ୍ଷା କ୍ଷେତ୍ରରେ ଫିଫ୍ଥ ଜେନେରେସନ୍ ବା ୫ମ ପିଢ଼ିର ଏହି ଯୁଦ୍ଧ ଯାହାଜ ସାରା ବିଶ୍ୱରେ ଏହାର ଉନ୍ନତମାନର ଜ୍ଞାନ କୌଶଳ ନେଇ ପରିଚିତ ଥିବା ବେଳେ ଭାରତର ଅଭିବୃଦ୍ଧିରେ ବିଶ୍ୱାସ ପ୍ରକଟ କରି ପ୍ରଥମ ଥର ପାଇଁ ଫ୍ରାନ୍ସ ଭାରତରେ ଏହାର ନିର୍ମାଣ କରିବାକୁ ଆଗଭର ହୋଇଛି । ଡାସଲ୍ଟ ଓ ଟିଏଏସଏଲ୍ ଦ୍ୱାରା ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ମଧ୍ୟରେ ୪ଟି ପ୍ରଡକ୍ସନ ଟ୍ରାନ୍ସଫର ଏଗ୍ରୀମେଣ୍ଟ (ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା) ସ୍ୱାକ୍ଷରିତ ହୋଇଛି । ପ୍ରଥମ ବଡି ପାର୍ଟ ତିଆରି ସେକ୍ସନଗୁଡ଼ିକ ୨୦୨୮ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଯାହାର ଉତ୍ପାଦନ କ୍ଷମତା ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ବଡି ନିର୍ମାଣ କରାଯିବ । ହାଇଦ୍ରାବାଦରେ ବିମାନର ପ୍ରମୁଖ ଗଠନାତ୍ମକ ଅଂଶ ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ, ଯେଉଁଥିରେ ସେଣ୍ଟ୍ରାଲ ଫୁ୍ୟଜଲେଜ୍, ପଛ ଭାଗ, ପାର୍ଶ୍ୱ ପଛ ସେଲ୍ ଏବଂ ସମ୍ମୁଖ ଅଂଶ ତିଆରି ହେବ । ‘ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପ ଅନ୍ତର୍ଗତ ଭାରତର ରଣନୈତିକ ଲକ୍ଷ୍ୟ ସହିତ ସମନ୍ୱିତ ରକ୍ଷା କରି ଏହି ଚୁକ୍ତି ହୋଇଛି । ଡାସଲ୍ଟ ଆଭିଏସନ୍ର ଅଧ୍ୟକ୍ଷ ଏବଂ ସିଇଓ ଏରିକ୍ ଟ୍ରାପିଅର୍ କହିଛନ୍ତି ଯେ ଏହି ସହଭାଗୀତା ଭାରତରେ ଆମର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ହେବ । ଟଇଏଏସ୍ଏଲ୍ ଭଳି ଭାରତୀୟ ଏରୋସ୍ପସ୍ ଫାର୍ମଗୁଡ଼ିକ ସହିତ ସହଯୋଗୀତା କରିବା ପାଇଁ କମ୍ପାନୀର ଏହା ଦୀର୍ଘକାଳୀନ ରଣନୀତି ବୋଲି କୁହାଯାଉଛି । ଟିଏଏସ୍ଏଲ୍ର ସିଇଓ ଏବଂ ଏମ୍ଡି ସୁକରଣ ସିଂହ ଏହି ସହଭାଗୀତାକୁ ଭାରତର ମହାକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ।