୧୨ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ୧୨ ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବାକୁ ଯାଉଛି ।
ଏହାଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ମେକ୍ ଇନ୍ ଓଡିଶା ୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି । ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ଏକ ନୂଆ ରାସ୍ତା ଖୋଲିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତିଯେ, ଆମର କଥା ଓ କାମ ସମାନ । ଓଡିଶାର ସୁନେଲି ଭବିଷ୍ୟତ ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ତାହା ନିଶ୍ଚିତ ରୂପେ ପୂରଣ ହେବ । ଯାଜପୁର କଳିଙ୍ଗ ନଗରରେ ୭୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଗତ କାଲି ଢେଙ୍କାନାଳରେ ୫୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି । ଆଉ ଆଜି ଏଠାରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ୫ ମାସ ମଧ୍ୟରେ ଆମେ ଦେଢ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛୁ ଏବଂ ଏହା ଦ୍ୱାରା ପ୍ରାୟ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ । ସେ କହିଥିଲେଯେ, ଓଡିଶାରେ ଏକ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ପାଇଁ ଆମର ଲକ୍ଷ୍ୟ ରହିଛି । ବର୍ତ୍ତମାନ ଯେଉଁ ୩ଟି ବନ୍ଦର ଅଛି, ତା’ବ୍ୟତୀତ ଆଉ ୩-୪ଟି ବନ୍ଦର ମଧ୍ୟ ପ୍ରତିଷ୍ଠା କରାଯିବ । କେନ୍ଦ୍ର ସରକାର ରେଳ ଓ ରାଜପଥ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି । ଓଡିଶାରେ ମଧ୍ୟ ଆମେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ କରିବୁ । ଏହାସହିତ ଅନେକ ଶିଳ୍ପ କରିଡର ମଧ୍ୟ ଗଠନ କରାଯିବ । ଏହାଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ଯାହା ସବୁ ମୌଳିକ ଆବଶ୍ୟକତା ରହିଛି, ତାହା ଓଡିଶାରେ ସମ୍ପୂର୍ଣ୍ଣ ଭାବେ ମିଳିପାରିବ । ସେ ପୁଣି କହିଥିଲେଯେ, ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଯାହା ଆବଶ୍ୟକ, ଆମେ ସେ ସବୁ ଉଦ୍ୟମ କରୁଛୁ । ଆମର ସ୍ୱପ୍ନ ପୂରଣ ଦିଗରେ ଆମର ଯୁବଶକ୍ତି ହିଁ ହେବ ମୁଖ୍ୟ ସାରଥି । ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଦକ୍ଷତା ଆବଶ୍ୟକ । ତେଣୁ ଯୁବ ବର୍ଗ ଯେପରି ଦକ୍ଷ ହେବେ, ଆଧୁନିକ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ, ସେଥିପାଇଁ ଆମେ ଆମର ୱାର୍ଲ୍ଡ ସ୍କିଲ ସେଣ୍ଟରର ୪ଟି କେନ୍ଦ୍ର ପ୍ରତିଷ୍ଠା କରିବୁ । ଏହି କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ବିଭୁତି ଭୁଷଣ ଜେନା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ସମସ୍ତ ବିଧାୟକ ଗଣ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।