ମଦ ପିଆଇବା ପରେ... ଗରମ ପାଣି ଛାଟି ମାରିଦେଲେ 


 ଭଦ୍ରକ :  କାମ କରିବାକୁ ଡାକିଥିଲେ  । କାମ ସରିବା ପରେ ଦେଶୀ ମଦ ବି ପିଇବାକୁ ଦେଲେ  । ତା’ପରେ ଧିରେଧିରେ ଚରିଲା ନିଶା  । ନିଶା ହୋଇଯିବା ପରେ କୌଣସି ଏକ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଗଲା ଯୁକ୍ତିତର୍କ  । ବଚସା ଏତେ ବଢ଼ିଗଲାଯେ, ରାଗରେ ଗରମ ପାଣି ଛାଟି ଜଣେ ଯୁବକଙ୍କୁ ମାରିଦେଲେ  । ଏମିତି ଏକ ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁରେ ଘଟିଛି  ।
ପର ଘରକୁ କାମ କରିବାକୁ ଯାଇଥିବା ଯୁବକଙ୍କୁ ମାଡ଼ ମାରିବା ସହିତ ଗରମ ପାଣି ଛାଟି ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ହୋଇଛି  । ଲିଖିତ ଅଭିଯୋଗ ଅନୁଯାୟୀ, ବନ୍ଧଗାଁର ଗଗନ ମଲ୍ଲିକ ଗ୍ରାମର  ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ  । ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିଲେ  । ପରେ କୌଣସି ପ୍ରସଙ୍ଗକୁ ନେଇ କଥା କଟାକଟି ହେବାରୁ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରକୁ ନେଇ ଯାଇଥିଲେ  । ସେଠାରେ ଥିବା ଗରମ ପାଣି ତା ଉପରେ ଫିଙ୍ଗି ମାରି ଦେଲେ ବୋଲି ମୃତକ ବଡ଼ ଭାଈ ରାଜ କିଶୋର ମଲିକ ଅଭିଯୋଗ କରିଛନ୍ତି  । 
ମା’ ସତ୍ୟଭାମା ମଲିକ ମଧ୍ୟ ପୁଅକୁ ପିଟି ମଦ ପିଆଇ ମାରି ଦେଇଛନ୍ତି ବୋଲି କହିବା ସହ ଦୋଷୀଙ୍କୁ ଦଣ୍ଡ ଦେଇ ଆମକୁ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତ  । ହେଲେ ପିଟା ପିଟି ପରେ ରାସ୍ତା କଡ଼ରେ କିଛି ଦୂର ନେଇ ତାକୁ ଫିଙ୍ଗିଦେଲେ ବୋଲି ମଧ୍ୟ କୁହାଯାଉଛି  । ପରେ ମୃତକଙ୍କ ସମ୍ପର୍କୀୟମାନେ ଖବର ପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ନେଇଥିଲେ  । ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି  ।  ଘଟଣାକୁ ନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରାଯିବା ପରେ ପୋଲିସ ପହଁଚି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଛି  । ପୋଲିସ ୨ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି ବୋଲି ଜାଣିବାକୁ ମିଳିଛି  । ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିଷେକ ବେହେରା ଗଣମାଧ୍ୟମକୁ ଉକ୍ତ ଘଟଣା ଉପରେ ପୋଲିସ ତଦନ୍ତ କରୁଛି ବୋଲି କହିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ।