ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ

 ନୂଆଦିଲ୍ଲୀ  : ଧରାସାୟୀ କେକେଆର୍ । ମାଟି କାମୁଡ଼ିଲା କୋଲକାତା ନାଇଟ୍ ରାଇଡର୍ସ । ଆଇପିଏଲ୍ର ଦ୍ୱାଦଶ ମ୍ୟାଚ୍୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଧୂଳି ଚଟାଇଛି ମୁମ୍ବାଇ ଇଣ୍ଡିଆନ୍ସ । ୮ ୱିକେଟ ବିନିମୟରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟର ଖାତା ଖୋଲିଛି । ଦଳ ପକ୍ଷରୁ ଓପନିଂ କରିଥିବା ରୋହିତ ଶର୍ମା ୧୨ ବଲ ଖେଳି ୧୩ ରନ୍, ରିଆନ୍ ରିକେଲଟନ୍ ୪୧ ବଲରେ ୬୨ ରନ୍ (ନଟ୍ ଆଉଟ), ୱିଲ୍ ଜ୍ୟାକ୍ସ ୧୭ ବଲରେ ୧୬ ରନ୍, ସୂର୍ଯ୍ୟ କୁମାର ୟାଦବ ୯ ବଲରେ ୨୭ (ନଟ୍ ଆଉଟ) କରି ଦଳକୁ ବିଜୟୀ କରାଇଥିଲେ । ଅନ୍ୟପଟେ ଡେବୁ୍ୟ ମ୍ୟାଚ୍ରେ ନବାଗତ ଅଶ୍ୱାନୀ କୁମାରଙ୍କ ଘାତକ ବୋଲିଂରେ କୋଲକାତା ବ୍ୟାଟର ଧରାସାୟୀ ହୋଇଥିଲେ । ଫଳରେ ଦଳ ମାତ୍ର ୧୬.୨ ଓଭର ବେଳକୁ ସମସ୍ତ ୱିକେଟ ହରାଇ ୧୧୬ ରନ୍ରେ ସୀମିତ ରହିଥିଲେ । ଏମ୍ଆଇ ପାଇଁ ଅଶ୍ୱାନୀ କୁମାର ଡେବୁ୍ୟ ମ୍ୟାଚ୍ରେ ୪ ୱିକେଟ୍ ନେଇଥିଲେ । ପ୍ରଥମ ଓଭରରୁ କେକେଆର୍ ଦଳ ସଂଘର୍ଷ କରିଥିଲା । କୋଲକାତା ଦଳର ଅବସ୍ଥା ଏତେ ଖରାପ ଥିଲା ଯେ ଦଳ ପାଇଁ ସର୍ବାଧିକ ସ୍କୋର ଅଙ୍ଗକ୍ରିଶ ରଘୁବଂଶୀ ୨୬ ରନ୍ କରିଥିଲେ । ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସାଧାରଣତଃ ଏଠାରେ ବଡ଼ ସ୍କୋର ଆଗରୁ ରହିଛି, କିନ୍ତୁ କୋଲକାତାର ଶାଣିତ ବୋଲିଂ ଆଗରେ କୋଲକାତାର ବ୍ୟାଟିଂ ଲାଇନ୍ ଅପ୍ ସଂଘର୍ଷ କରୁଥିବା ଦେଖାଯାଇଥିଲା । ପରିସ୍ଥିତି ଏପରି ଥିଲା ଯେ କେକେଆର ଦଳର ଅଦେ୍ର୍ଧକ ଖେଳାଳି ୪୫ ରନ କରି ପାଭିଲିୟନକୁ ଫେରିଥିଲେ । ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଥିବା ସୁନୀଲ ନାରିନ ପ୍ରଥମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ ।  କୋଲକାତା ଦଳର ଭେଙ୍କଟେଶ ଆୟର ୯ଟି ବଲ ଖେଳି ମାତ୍ର ୩ ରନ୍ କରିଥିଲେ । ରିଙ୍କୁ ସିଂ ମାତ୍ର ୧୭ ରନ୍ ସ୍କୋର କରିଥିଲେ । ମୁମ୍ବାଇ ସମୁଦାୟ ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା ଏବଂ ସମସ୍ତ ୬ ବୋଲର ଅତିକମରେ ଗୋଟିଏ ୱିକେଟ୍ ନେଇଥିଲେ । ଅଶ୍ୱାନୀ କୁମାର ୪ଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି ୱିକେଟ୍ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ଭିଗ୍ନେଶ ପୁଥୁର ଏବଂ ମିଚେଲ ସାଣ୍ଟନର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।