ମୁର୍ମୁଙ୍କୁ ‘ମୁର୍ମା’ ଓ କୋବିନ୍ଦଙ୍କୁ  ‘କୋଭିଡ୍’ କହିଲେ ଖଡ଼ଗେ

 ନୂଆଦିଲ୍ଲୀ : ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ମୁର୍ମା’ ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘କୋଭିଡ୍’ କହି ହଟହଟା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଛତିଶଗଡ଼ରେ ଆୟୋଜିତ ଏକ ସଭାକାର୍ଯ୍ୟରେ ବିଜେପି ସରକାରଙ୍କୁ ସମାଲୋଚନା କରିବା ଅବସରରେ ରାଷ୍ଟ୍ରପତିଙ୍କ ନାଁ ନେଇ ଆଜି ଏଭଳି ହରଡ଼ଘଣାରେ ପଡ଼ିଛନ୍ତି ଖର୍ଗେ । ବିରୋଧୀ ବିଜେପି ପକ୍ଷରୁ ଖର୍ଗେଙ୍କ ଏହି ବୟାନକୁ ନେଇ ସମାଲୋଚନା କରିବା ସହ କଂଗ୍ରେସର ଆଜି ବି ମହିଳା ବିରୋଧୀ, ଆଦିବାସୀ ବିରୋଧୀ, ଦଳିତ ବିରୋଧୀ ମାନସିକତା ରହିଛି ବୋଲି କୁହାଯାଇଛି । କଂଗ୍ରେସ ଅଧ୍ୟକ୍ଷ ଆଜି ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସେ କେବଳ ରାଷ୍ଟ୍ରପତିଙ୍କୁ ଅପମାନ କରିନାହାନ୍ତି ବରଂ ପୂରା ଆଦିବାସୀ ସମାଜକୁ ନିନ୍ଦିତ କରିଛନ୍ତି ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି । ସେହିପରି ଅନ୍ୟଜଣେ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ମନ୍ତବ୍ୟ ଏସ୍ସି, ଏସ୍ଟି ସମ୍ପ୍ରଦାୟ ପ୍ରତି ଗଭୀର ଘୃଣାର ପ୍ରତିଫଳନ । କଂଗ୍ରେସ ଭାରତର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ବି ଛାଡ଼ିନାହିଁ ବୋଲି ପୁନାୱାଲା କହିଛନ୍ତି ।
ଛତିଶଗଡ଼ରେ ବ୍ୟାପକ ଗଛକଟାକୁ କେନ୍ଦ୍ର କରି ଏଠାରେ ଆୟୋଜିତ ସଭାରେ ଖର୍ଗେ କହିଥିଲେ ଯେ, ବିଜେପି ଶିଳ୍ପବାଦୀ ବନ୍ଧୁ ମାନସିକତାରେ ପୀଡ଼ିତ ହୋଇଛି । ବିଜେପି କହୁଛି ଯେ, ଆମେ ଦୌ୍ରପଦୀ ମୁର୍ମୁ ଓ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଛୁ । କିନ୍ତୁ କାହିଁକି? ଅମ୍ବାନୀ, ଆଦାନୀ ଭଳି ଶିଳ୍ପପତିଙ୍କୁ ଜମି ଦେବାକୁ ବିଜେପି ଏଭଳି ନୀତି କରୁଛି କି ବୋଲି ପ୍ରଶ୍ନ କରିଥିଲେ ଖର୍ଗେ ।