ମୋଦି କଲ୍‌ ନକରିବାରୁ ଟ୍ରେଡ୍‌ ଡିଲ୍‌ ବିଫଳ: ଲୁଟ୍‌ନିକ୍‌

ଖଣ୍ଡନ କଲା ବୈଦେଶିକ ମନ୍ତ୍ରଣାଳୟ


ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ଦାବିକୁ ଖାରଜ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍‌ କରି ନଥିବାରୁ ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିଫଳ ହୋଇଛି ବୋଲି ଲୁଟନିକ ଦାବି କରିଛନ୍ତି । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହା ରୁଷୀୟ ଶକ୍ତି ଆମଦାନୀ କରୁଥିବା ଦେଶମାନଙ୍କ ଉପରେ ୫୦୦% ଶୁଳ୍କ ଓ ଦ୍ୱିତୀୟ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବିତ ଆମେରିକୀୟ ଆଇନ ଉପରେ ନଜର ରଖିଛି । ଟ୍ରମ୍ପ ଏହାକୁ ସବୁଜ ସଙ୍କେତ ଦେବା ପରେ ଏହା ଭାରତକୁ ବଡ ଅସୁବିଧାରେ ପକାଇପାରେ । ଲୁକନିକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଏମଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ରିପୋର୍ଟ କରାଯାଇଥିବା ମନ୍ତବ୍ୟରେ ଆଲୋଚନାର ଚରିତ୍ରକରଣ ସଠିକ୍‌ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି ୨୦୨୫ ରେ ୮ ଥର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ । ଜୟସ୍ୱାଲ କହିଛନ୍ତି ଯେ ଭାରତ ଅନେକ ଥର ବାଣିଜ୍ୟ ଚୁକ୍ତିର ନିକଟତର ଥିଲା ଓ ଏହା ଆମେରିକା ସହିତ "ପାରସ୍ପରିକ ଲାଭଦାୟକ’ ଚୁକ୍ତିରେ ଆଗ୍ରହୀ ରହିଛି । 

   ଏକ ପଡକାଷ୍ଟରେ  ଲୁଟନିକ୍‌ କହିଛନ୍ତି ଯେ ଭାରତକୁ ବାଣିଜ୍ୟ ଆଲୋଚନା ସମାପ୍ତ କରିବା ପାଇଁ ଏକ ସଂକୀର୍ଣ୍ଣ ୱିଣ୍ଡୋ  "ତିନି ଶୁକ୍ରବାର’  ଦିଆଯାଇଥିଲା ଏବଂ ଅଧିକାରୀମାନେ ଏକ ଢାଞ୍ଚାରେ ପ୍ରାୟତଃ ସହମତ ହୋଇଥିଲେ ମଧ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ନେତାଙ୍କ ସ୍ତରରେ ଏକ ସିଧାସଳଖ ହସ୍ତକ୍ଷେପ ଆବଶ୍ୟକ ଥିଲା । ମୁଁ କହିଥିଲି, ମୋଦିଙ୍କୁ ଟ୍ରମ୍ପଙ୍କୁ ଫୋନ୍‌ କରିବାକୁ ପଡିବ । ସବୁକିଛି ପ୍ରସ୍ତୁତ ହୋଇସାରିଛି, ଏପରି ଏକ ଫୋନ୍‌ ପାଇଁ ନୂଆଦିଲ୍ଲୀ ଅସହଜ ଥିଲା । ତେଣୁ ମୋଦି ଫୋନ୍‌ କରିନଥିଲେ । ତେଣୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଫଳ ହୋଇଥିଲା । ଏହି ସମୟରେ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶମାନଙ୍କ ପାଇଁ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ଆମେରିକୀୟ କଂଗ୍ରେସରେ ପ୍ରସ୍ତାବିତ ଆଇନ ଉପରେ ବକ୍ତବ୍ୟ ରଖି ଜୟସ୍ୱାଲ କହିଛନ୍ତି, ଆମେ ପ୍ରସ୍ତାବିତ ବିଲ୍‌ ବିଷୟରେ ଆଲୋଚନା ହେଉଥିବା ବିଷୟରେ ସମ୍ପୂର୍ଣ୍ଣ ଅବଗତ ଏବଂ ଆମେ ଏହା ସହିତ ଜଡିତ ସମସ୍ତ ପ୍ରସଙ୍ଗ ଏବଂ ବିକାଶ ଉପରେ ସତର୍କତାର ସହ ନଜର ରଖୁଛୁ ।