ମ୍ୟାକଲେଙ୍କ ଶିକ୍ଷାନୀତି ଓ ଆଜିର ମ୍ୟାକଲାଇଟ୍ସ
ଡ.ରଜତ କାନ୍ତ ଦାଶ : ‘ରକ୍ତ ଏବଂ ରଙ୍ଗରେ ଭାରତୀୟ । କିନ୍ତୁ ସ୍ୱାଦ, ମତ, ନୈତିକତା ଏବଂ ବୁଦ୍ଧିରେ ଇଂରେଜ ।’ ସେମାନେ ହେବେ ବାଦାମୀ ସାହେବ । ଭାରତର ପାରମ୍ପରିକ ଶିକ୍ଷା ଓ ସଂସ୍କୃତିକୁ ଧ୍ୱଂସ କରି ଏପରି ଏକ ନୂତନ ଶ୍ରେଣୀ ଏବଂ ସମାଜ ଗଠନ କରିବାକୁ ଆଜକୁ ପ୍ରାୟ ୧୯୦ ବର୍ଷ ପୂର୍ବେ ପ୍ରୟାସ କରିଥିଲେ ଥୋମାସ ବେବିଂଟନ ମ୍ୟାକଲେ। ପରିଣାମ ସ୍ୱରୁପ ଏବେ ଭାରତରେ ଅଛନ୍ତି କୋଟି କୋଟି ବାଦାମୀ ସାହେବ ବା ଯାହାକୁ କୁହାଯାଉଛି ମ୍ୟାକଲାଇଟ୍ସ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ମ୍ୟାକଲେ ଭାରତ ଉପରେ ଯେଉଁ ଦାସତ୍ୱର ମାନସିକତା ଲଦି ଦେଇଥିଲେ, ତହିଁରୁ ନିଜକୁ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ମ୍ୟାକଲେଙ୍କ ଦ୍ୱାରା ପ୍ରଣିତ ଶିକ୍ଷା ବ୍ୟବସ୍ଥାକୁ ୨୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଏହି ଐତିହ୍ୟକୁ ବଦଳାଇବା ପାଇଁ ୧୦ ବର୍ଷର ସମୟସୀମା ଧାର୍ଯ୍ୟ କରାଯାଇଛି । ୧୮୩୫ରେ ମ୍ୟାକଲେଙ୍କ ଦ୍ୱାରା ଭାରତରେ ଆଧୁନିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ହୋଇଥିଲା । ମ୍ୟାକଲେ ଏହି ଶିକ୍ଷା ବ୍ୟବସ୍ଥାରେ ଇଂରାଜୀକୁ ମାଧ୍ୟମ ଭାବରେ ପ୍ରତିଷ୍ଠା କରିଥିଲେ ଏବଂ ପାରମ୍ପରିକ ଭାରତୀୟ ଶିକ୍ଷା ବଦଳରେ ପାଶ୍ଚାତ୍ୟ ସାହିତ୍ୟ ଏବଂ ବିଜ୍ଞାନକୁ ପ୍ରାଥମିକତା ଦେଇଥିଲେ । ମ୍ୟାକଲେ ବିଶ୍ୱାସ କରୁଥିଲେ ଯେ ସଂସ୍କୃତ, ପାର୍ସି, ଆରବୀ ଭାଷାରେ ଥିବା ଭାରତୀୟ ପାରମ୍ପରିକ ଶିକ୍ଷା ନିକୃଷ୍ଟ ଏବଂ ଭାରତୀୟଙ୍କ ଉନ୍ନତି କେବଳ ଇଂରାଜୀ ଶିକ୍ଷା ମାଧ୍ୟମରେ ହୋଇପାରିବ ।
ଇତିହାସକୁ ଅବଲୋକନ କଲେ ଜଣାପଡେ ଯେ ମ୍ୟାକଲେ କୌଣସି ଭାରତବିଜ୍ଞାନୀ ନଥିଲେ । ସେ ଜଣେ ଶିକ୍ଷାବିତ କି ଉଲ୍ଲେଖନୀୟ ବୁଦ୍ଧିଜୀବୀ ନଥିଲେ । ତଥାପି ସେ ଭାରତର ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଏବଂ ସାମାଜିକ ଗଠନକୁ ସ୍ଥାୟୀ କ୍ଷତି ପହଞ୍ଚାଇବାରେ ସଫଳ ହୋଇଥିଲେ । ମ୍ୟାକଲେଙ୍କ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଆଜି ପର୍ଯ୍ୟନ୍ତ ହିନ୍ଦୁ ସମାଜ ଆତ୍ମଗ୍ଲାନି ଭଳି ବ୍ୟାଧିର ଶିକାର ହୋଇ ଆସୁଛି । ସେ ହିନ୍ଦୁଙ୍କ ମନରେ ସେମାନଙ୍କ ସମୃଦ୍ଧ ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ବିରୁଦ୍ଧରେ ଏକ ପକ୍ଷପାତିତାକୁ ସଫଳତାର ସହିତ ରୋପଣ କରିଥିଲେ । ଇଂରାଜୀକୁ ସେ ସମୟର ସମୃଦ୍ଧିର ବାହକ କହିବା ସହ ସଂସ୍କୃତକୁ ଅପ୍ରଚଳିତ ବା ପୁରୁଣାକାଳିଆ ଦର୍ଶାଇ ସେ ସଂସ୍କୃତ ବିରୋଧରେ ଲୋକଙ୍କ ମନରେ ଅବମାନନାର ବୀଜ ବୁଣିଥିଲେ । ଏହା ଏକ ପ୍ରକାର ସାଂସ୍କୃତିକ ବଶ୍ୟତା ସୃଷ୍ଟି କଲା । ଫଳରେ ହିନ୍ଦୁ ସମାଜ ନିଜ ସଂସ୍କୃତିକୁ ପରିତ୍ୟାଗ କରି ପାଶ୍ଚାତ୍ୟ ମୂଲ୍ୟବୋଧକୁ ସହଜରେ ଗ୍ରହଣ କଲା । ଯାହା ପରବର୍ତ୍ତୀ ସମୟରେ ସଂସ୍କୃତର ଅବମୂଲ୍ୟାୟନ ସହ ସାଂସ୍କୃତିକ ଏବଂ ବୌଦ୍ଧିକ ସମ୍ପଦର ଅପାର କ୍ଷତି ଘଟାଇଲା । ମ୍ୟାକଲେଙ୍କ ଶିକ୍ଷା ବ୍ୟବସ୍ଥା ଭାରତର ସାମାଜିକ ଏବଂ ସାଂସ୍କୃତିକ ସଂରଚନାକୁ ପରିବର୍ତ୍ତନ କରିଦେଲା । ଏହା ଭାରତରେ ଭାଷା ଏବଂ ସାଂସ୍କୃତିକ ଦାସତ୍ୱର ଏକ ନୂତନ ରୂପକୁ ଜନ୍ମ ଦେଲା ।
ଲିସେଷ୍ଟଶାୟର ସହରରେ ୧୮୦୦ରେ ଜନ୍ମ ଗ୍ରହଣ କରିଥିବା ଥୋମାସ ବେବିଂଟନ ମ୍ୟାକଲେ ସ୍କଟିଶ ଉପନିବେଶବାଦୀ ଗଭର୍ଣ୍ଣର ଜାଚରୀ ମ୍ୟାକେଲ ଏବଂ ସେଲିନା ମିଲ୍ସଙ୍କ ପୁତ୍ର ଥିଲେ । ହଟପୋର୍ଡଶାୟାରର ଏକ ଘରୋଇ ସ୍କୁଲରେ ଶିକ୍ଷା ସମାପନ କରିବା ପରେ ସେ କେମ୍ବ୍ରିଜର ଟ୍ରିନିଟି କଲେଜରେ ପଢିଥିଲେ । ମ୍ୟାକଲେ ୧୮୩୯ରୁ ୧୮୪୧ ପର୍ଯ୍ୟନ୍ତ ଯୁଦ୍ଧ ସଚିବ, ୧୮୪୬ରୁ ୧୮୪୮ ପର୍ଯ୍ୟନ୍ତ ପେ’ ମାଷ୍ଟର ଜେନେରାଲ ବା ମୁଖ୍ୟ ଦେୟ ଅଧିକାରୀ ସମେତ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ତାଙ୍କର ରାଜନୈତିକ ଏବଂ ସାମାଜିକ ବିଶ୍ୱାସ ତାଙ୍କ ପିତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଥିଲା ଏବଂ ଉଭୟ ଆଫ୍ରିକୀୟମାନଙ୍କୁ ସମାନତା ଦେବା ବଦଳରେ ବିଲରେ ଆଫ୍ରିକୀୟ (ମୁକ୍ତ କଳା କୃଷକ)ଙ୍କୁ କାମ କରାଇବାକୁ ଯୁକ୍ତି ବାଢୁଥିଲେ । ୧୮୩୪ ମସିହାରେ ମ୍ୟାକଲେଙ୍କୁ ଭାରତ ଗଭର୍ଣ୍ଣର ଜେନେରାଲ ପରାମର୍ଶ ପରିଷଦର ପ୍ରଥମ ଆଇନ ସଦସ୍ୟ ଭାବରେ ନିୟୋଜିତ କରାଗଲା । ସେ ୧୮୩୪ରୁ ୧୮୩୮ ମଧ୍ୟରେ ସୁପ୍ରମିମକୋର୍ଟ ପରିଷଦରେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଭାରତୀୟ ଶିକ୍ଷାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲେ। ଲର୍ଡ ଉଇଲିୟମ ବେଣ୍ଟିଂ ଗଭର୍ଣ୍ଣର ଥିବା ସମୟରେ ୧୮୩୫ ଫେବୃଆରୀ ୨ରେ ମ୍ୟାକଲେଙ୍କ ଶିକ୍ଷା ଉପରେ ମିନିଟ୍ ପ୍ରକାଶ ପାଇଥିଲା । ଏହା ଭାରତରେ ଆନୁଷ୍ଠାନିକ ଭାବେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନକୁ ପ୍ରୋତ୍ସାହିତ କରିଥିଲା । ଏହା ପୂର୍ବରୁ ବ୍ରିଟିଶରମାନେ ନିଜ ଆବଶ୍ୟକତା ଦୃଷ୍ଟିରୁ ଭାରତରେ କେତୋଟି ଶିକ୍ଷାନୁଷ୍ଠାନ ଖୋଲିଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀର ନିମ୍ନବର୍ଗରେ କାର୍ଯ୍ୟ କରିବା ପାଇଁ ଶିକ୍ଷିତ ଭାରତୀୟ ଏବଂ ଇତିହାସ ଜାଣିବା ନିମନ୍ତେ ଭାଷା ଏବଂ ସଂସ୍କୃତି ଅଧ୍ୟୟନର ଆବଶ୍ୟକତା ପଡିଲା । ଫଳରେ ୧୭୮୧ରେ କଲିକତାଠାରେ ଏକ ମଦ୍ରାସା, ୧୭୮୪ରେ ଏସିଆଟିକ ସୋସାଇଟ ଅଫ ବେଙ୍ଗଲର ସ୍ଥାପନ ସହ ୧୭୯୧ରେ ବନାରସଠାରେ ଏକ ସଂସ୍କୃତ କଲେଜ ଖୋଲାଯାଇଥିଲା ।
୧୮୧୩ ସନନ୍ଦ ଆଇନ ବା ଚାର୍ଟର ଆକ୍ଟରେ ଭାରତରେ ଶିକ୍ଷାର ପ୍ରୋତ୍ସାହନ ପାଇଁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କାର ପ୍ରାବଧାନ କରାଯାଇଥିଲା । ତେବେ ୧୮୨୩ ପର୍ଯ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ପାଇଁ ଉପଲବ୍ଧ ହୋଇନଥିଲା । ଏହି ସମୟ ମଧ୍ୟରେ ରାଜା ରାମମୋହନ ରାୟଙ୍କ ପ୍ରଚେଷ୍ଟାରେ ବଙ୍ଗରେ ଏକ ହିନ୍ଦୁ କଲେଜ(୧୮୧୭), ଆଙ୍ଗଲୋ ହିନ୍ଦି ସ୍କୁଲ (୧୮୨୨) ଏବଂ ବେଦାନ୍ତ କଲେଜ (୧୮୨୬)ରେ ସ୍ଥାପିତ ହୋଇଥିଲା । ୧୮୨୩ରେ ମ୍ୟାକଲେଙ୍କ ସୁପାରିଶରେ ଭାରତରେ ଏକ ସାର୍ବଜନୀନ ନିର୍ଦ୍ଦେଶନା କମିଟି ପ୍ରତିଷ୍ଠା ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶିକ୍ଷା ଏବଂ ଶିକ୍ଷା ନୀତିର ବିକାଶ ସହିତ ଜଡିତ ବିଷୟଗୁଡିକ ଉପରେ ପରାମର୍ଶ ଦେବା ଏବଂ ତଦାରଖ କରିବା । ଏହାର ଲକ୍ଷ୍ୟ ଥିଲା ଭାରତୀୟ ଶିକ୍ଷାକୁ ପାଶ୍ଚାତ୍ୟ ଜ୍ଞାନ ଏବଂ ମୂଲ୍ୟବୋଧ ସହ ସମନ୍ୱିତ କରିବା । ୧୯୩୫ରେ ମ୍ୟାକଲେ ୧୮୧୩ ମସିହାର ବ୍ରିଟିଶ ସଂସଦୀୟ ଆଇନର ସାଧାରଣ ନିର୍ଦ୍ଦେଶ କମିଟିର ବ୍ୟାଖ୍ୟାକୁ ବିରୋଧ କରିଥିଲେ । ଭାରତୀୟ ଶିକ୍ଷାର ସଂସ୍କାର ପାଇଁ ତାଙ୍କର ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ମ୍ୟାକଲେ ମିନିଟ୍ ଭାବେ ଜଣାଶୁଣା ଥିଲା । ତାଙ୍କ ମିନିଟରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ୧୮୧୩ ସନନ୍ଦ ଆଇନ ସଂସ୍କୃତ ଏବଂ ଆରବୀ ଭାଷାର ପ୍ରଚାରକୁ ବାଧ୍ୟତାମୂଳକ କରିନଥିଲା ।
ଏହି ଆଇନର ଉଦ୍ଦେଶ୍ୟଥିଲା ସାହିତ୍ୟ ଏବଂ ବିଜ୍ଞାନ ଜ୍ଞାନର ପ୍ରସାର । ତେଣୁ ଏଥିରେ ପାଶ୍ଚାତ୍ୟ ବିଜ୍ଞାନ ଏବଂ ଇଂରାଜୀ ଭାଷାର ପ୍ରଚାର ଅନ୍ତର୍ଭୁକ୍ତ ହୋଇପାରେ । ଭାରତୀୟଙ୍କୁ ଆଞ୍ଚଳିକ ଭାଷା ନା ଏକ ସାର୍ବଜନୀନ ଭାଷାରେ ଶିକ୍ଷା ଦେବାକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟାଇ ମ୍ୟାକଲେ ଭାରତୀୟଙ୍କୁ ଇଂରାଜୀ ଭାଷାରେ ଶିକ୍ଷା ଦେବାକୁ ସମର୍ଥନ କରିଥିଲେ । ଉପଲବ୍ଧ ପାଣ୍ଠିକୁ ପାରମ୍ପରିକ ଶିକ୍ଷା ବଦଳରେ ଇଂରାଜୀ ଶିକ୍ଷା ନିମନ୍ତେ ଖର୍ଚ୍ଚ କରିବା ସହ କେବଳ ଏକ ଛୋଟ ଅଭିଜାତ ଗୋଷ୍ଠୀକୁ ଶିକ୍ଷା ପ୍ରଦାନ କରିବାକୁ ସେ ଉଲ୍ଲେଖ କରିଥିଲେ । ଏହି ଅଭିଜାତ ଗୋଷ୍ଠୀ ତାଙ୍କ ତଳେ ଥିବା ସମାଜର ବାକି ଲୋକଙ୍କୁ ଏହି ଜ୍ଞାନ ବାଣ୍ଟିବେ ଓ ପ୍ରସାର କରିବେ ବୋଲି ସେ ବିଶ୍ୱାସ ରଖିଥିଲେ । ଏହା ନିମ୍ନଗାମୀ ଫିଲ୍ଟ୍ରେସନ ତତ୍ତ୍ୱ ଭାବେ ପ୍ରସିଦ୍ଧ । ସେ ଦର୍ଶାଇଥିଲେ ଯେ ୟୁରୋପର ଏକ ଭଲ ପାଠାଗାରାର ଗୋଟିଏ ବହି ଥାକ ଭାରତ ଏବଂ ଆରବର ସମଗ୍ର ସ୍ୱଦେଶୀ ସାହିତ୍ୟଠାରୁ ବି ମୂଲ୍ୟବାନ । ଆରବ ଏବଂ ସଂସ୍କୃତ କବିତାକୁ ମହାନ ୟୁରୋପୀୟ ରାଷ୍ଟ୍ରଗୁଡିକର ଲେଖା ସହିତ ତୁଳନା କରାଯାଇପାରିବ ନାହିଁ । ଏହା କହିବା କୌଣସି ଅତ୍ୟୁକ୍ତି ହେବ ନାହିଁ ଯେ ସଂସ୍କୃତ ଭାଷାରେ ଲିଖିତ ସମସ୍ତ ପୁସ୍ତକରୁ ସଂଗୃହିତ ଜ୍ଞାନ ଇଂଲଣ୍ଡର ଏକ ପ୍ରାଥମିକ ବିଦ୍ୟାଳୟର ବ୍ୟବହୃତ ବହିର ସଂକ୍ଷିପ୍ତ ବିବରଣୀରୁ କମ ମୂଲ୍ୟବାନ ।
ସର୍ବମୋଟ କହିବାକୁ ଗଲେ ମ୍ୟାକଲେଙ୍କ ମିନିଟ ହେଉଛି ଉପନିବେଶବାଦର ଜାତିକୈନ୍ଦ୍ରିକ ପକ୍ଷପାତିତା ଏବଂ ଏକ ୟୁରୋପ କୈନ୍ଦ୍ରିକ ଶ୍ରେଷ୍ଠତାକୁ ଦର୍ଶାଉଥିବା ଏକ ଦସ୍ତାବିଜ । ଏହା ଭାରତ ଭଳି ପୁରାଣ- ଇତିହାସ ପରମ୍ପରାକୁ ଅବୈଧ କହି ଅବମୂଲ୍ୟାୟନ କରିବା ସହ ଅଣୟୁରୋପୀୟ ସଂସ୍କୃତି ପ୍ରତି ଗଭୀର ଘୃଣାକୁ ପ୍ରଦର୍ଶିତ କରେ । ସଂସ୍କୃତ ସାହିତ୍ୟର ସମସ୍ତ ଐତିହାସିକ ସୂଚନାକୁ ସବୁଠାରୁ ମୌଳିକ ଇଂରାଜୀ ସ୍କୁଲ ପୁସ୍ତକ ସହିତ ତୁଳନା କରାଯାଇପାରିବ ନାହିଁ ବୋଲି ତାଙ୍କର ଘୋଷଣା ବେଦ ଏବଂ ଉପନିଷଦରେ ନିହିତ କାଳଜୟୀ ଦାର୍ଶନିକ ଅନ୍ତର୍ଦୃଷ୍ଟିକୁ ଅଣଦେଖା କରେ । ଭଗବଦ୍ ଗୀତାର ଗଭୀର ଶିକ୍ଷାକୁ ଚିହ୍ନିବାରେ ବିଫଳତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ପ୍ରତି ଅବଜ୍ଞା ତାଙ୍କର ଗଭୀର ପକ୍ଷପାତପୂର୍ଣ୍ଣ ଦୃଷ୍ଟିକୋଣର ପରିଚାୟକ । ଭାରତୀୟ ଦର୍ଶନକୁ ସେ ମିଥ୍ୟା କହିବା ସହ ଭାରତୀୟଙ୍କୁ ସଭ୍ୟ କରିବା ପାଇଁ ବ୍ରିଟିଶ ହସ୍ତକ୍ଷେପର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ । ଇଂରାଜୀ ଶିକ୍ଷା ଭାରତୀୟଙ୍କୁ ଜ୍ଞାନ ପ୍ରଦାନ କରିବା ସହ ସଭ୍ୟ କରିବ ବୋଲି ମତ ଅଣୟୁରୋପୀୟ ବୌଦ୍ଧିକ ସଫଳତା ପ୍ରତି ତାଙ୍କର ଉଦାସିନତାକୁ ସ୍ପଷ୍ଟ କରେ । ସେ ହିନ୍ଦୁମାନଙ୍କୁ ଦୁର୍ବଳ ଏବଂ ନିଷ୍କ୍ରିୟ କହିବା ସହ ସେମାନେ ପ୍ରତିରୋଧ ବିନା ଯୁଗ ଯୁଗ ଧରି ଅତ୍ୟାଚାର ସହ୍ୟ କରୁଥିଲେ ବୋଲି ବର୍ଣ୍ଣନା କରିଥିଲେ । ଏହା ସହ ସେ କହିଥିଲେ ଯେ ହିନ୍ଦୁ ଯାହା କରନ୍ତି, ସେ ଆଳସ୍ୟପୂର୍ଣ୍ଣ ଭାବରେ କରନ୍ତି, ଶାରୀରିକ ପରିଶ୍ରମକୁ ଡରନ୍ତି ଏବଂ ତାଙ୍କର ପ୍ରିୟ କାର୍ଯ୍ୟ ହେଉଛି ବସି ରହିବା । ହିନ୍ଦୁମାନେ ବିଦେଶୀ ଯୁଆଳି ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ବୋଲି ମ୍ୟାକେଲଙ୍କ ଦାବି ଗୋରାଲୋକଙ୍କ ଶ୍ରେଷ୍ଠତାକୁ ଦର୍ଶାଇବା ସହ ବିଦେଶୀ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଭାରତୀୟ ଜନସାଧାରଣଙ୍କ ପ୍ରଚଣ୍ଡ ପ୍ରତିରୋଧକୁ ଅଣଦେଖା କରିଥିଲା । ମ୍ୟାକେଲଙ୍କ ମିନିଟରୁ ଭାରତର ପ୍ରାଚୀନ ଜ୍ଞାନକୁ ଅବମାନନା ଏବଂ ଏକ ବିଦେଶୀ ଭାଷା ଏବଂ ସଂସ୍କୃତିର ପ୍ରବର୍ତ୍ତନ ଦେଶର ସାଂସ୍କୃତିକ ଗଠନକୁ ଅପୂରଣୀୟ କ୍ଷତି ପହଞ୍ଚାଇଛି । ସଂସ୍କୃତ ଏବଂ ହିନ୍ଦୁ ଚିନ୍ତାଧାରା ପ୍ରତି ତାଙ୍କ ଘୃଣା ଭାରତର ସମୃଦ୍ଧ ବୌଦ୍ଧିକ ଐତିହ୍ୟ ପ୍ରତି ଅହଙ୍କାର ଏବଂ ଘୋର ଅଜ୍ଞତାକୁ ଦର୍ଶାଏ ।
ଏହି ଶିକ୍ଷା ନୀତି ଏକ ଧୀର ପ୍ରଭାବଶାଳୀ ବିଷ ପରି ଭାରତର ସାଂସ୍କୃତିକ ଆତ୍ମାକୁ ସୂକ୍ଷ୍ମ ଭାବରେ କ୍ଷତି ପହଞ୍ଚାଇଛି ଏବଂ ଦୀର୍ଘ ସମୟ ଧରି ସାମାଜିକ ବ୍ୟବସ୍ଥାକୁ କ୍ରମାଗତ ଭାବରେ ଦୁର୍ବଳ କରିଚାଲିଛି । ଏବେ ଭାରତୀୟମାନେ ପାଶ୍ଚାତ୍ୟ ସଂସ୍କୃତି ଏବଂ ୟୁରୋପୀୟ ଭାଷାକୁ ଶ୍ରେଷ୍ଠ ମନେ କରିବା ସହ ସେମାନଙ୍କ ସମକକ୍ଷ ହେବାକୁ ପ୍ରଚେଷ୍ଟା କରୁଛନ୍ତି । ଭାରତୀୟ ଜୀବନ ଅପେକ୍ଷା ୟୁରୋପୀୟ ଜୀବନ ଶ୍ରେୟସ୍କର ବୋଲି କହୁଛନ୍ତି । ଯୌଥ ପରିବାର ବଦଳରେ ଏକକ ପରିବାରକୁ ପସନ୍ଦ କରୁଛନ୍ତି । ରୁଚିରେ, ଖାଦ୍ୟରେ, ବେଶ ଏବଂ ପୋଷାକରେ ଭାରତୀୟମାନେ ୟୁରୋପୀୟ ହୋଇଯାଇଛନ୍ତି । ଭାରତୀୟ ଲେଖକଙ୍କ ବଦଳରେ ୟୁରୋପୀୟଙ୍କ ଲେଖାକୁ ଠିକ୍ ଦର୍ଶାଉଛନ୍ତି । ଭାରତୀୟମାନେ ବିଶେଷକରି ୟୁରୋପରୁ ସୃଷ୍ଟି ଆଧୁନିକତା, ଯୁକ୍ତିବାଦ ଏବଂ ଧର୍ମନିରପେକ୍ଷତା ଭଳି ଚିନ୍ତାଧାରାର ପ୍ରହେଳିକା ମଧ୍ୟରେ ବଞ୍ଚୁଛନ୍ତି । ତେଣୁ ମୂଳ ଐତିହ୍ୟକୁ ହରାଇ ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରୁଥିବା ଲୋକଙ୍କ ପାଇଁ ‘ମ୍ୟାକେଲଙ୍କ ସନ୍ତାନ’ ଶବ୍ଦଟି ଆଜି ମଧ୍ୟ ବ୍ୟବହୃତ ହୁଏ ।
ଅଧ୍ୟାପକ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ, ଯାଜପୁର
ମୋ: ୯୪୩୯୮୧୮୬୧୯