ପଞ୍ଚତୀର୍ଥ ମହାତ୍ମ୍ୟ
ବନାରସରେ ଯେପରି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ତୀର୍ଥ ଅଛି ପୁରୀରେ ମଧ୍ୟ ସେହିପରି ପାଞ୍ଚଟି ତୀର୍ଥ ଅଛି । ଏହାକୁ ପଞ୍ଚତୀର୍ଥ କୁହାଯାଏ । ବ୍ରହ୍ମପୁରାଣରେ ଏହି ପଞ୍ଚତୀର୍ଥ ହେଲା ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀ । ଏହି ରୋହିଣେୟ "ରୋହିଣୀକୁଣ୍ଡ' ମଧ୍ୟ ହୋଇପାରେ । "ସ୍କନ୍ଧ ପୁରାଣ'ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦୁ୍ୟମ୍ନ ସରୋବର । "ମୁକ୍ତି ଚିନ୍ତାମଣି' ଓ ହଳଧରକୃତ "ସ୍ତୁତି ତର୍ପଣ' ଅନୁସାରେ ପଞ୍ଚତୀର୍ଥ ହେଲା - ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦୁ୍ୟମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି - ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦୁ୍ୟମ୍ନ ଓ ମାର୍କଣ୍ଡେୟ ସରୋବର ।
ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି । ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରାଯାଇ ଜ୍ୟେଷ୍ଠମାସର ଶୁକ୍ଳ ଦଶମୀ ଠାରୁ ଆରମ୍ଭ କରି ଦେବସ୍ନାନ ପୂର୍ଣ୍ଣିମା ଦିନ ଉଦ୍ୟାପନ କରାଯାଏ । ଆଉ କେତେକ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏଁ ଏହି ବ୍ରତ ପାଳନ କରନ୍ତି । ପଞ୍ଚତୀର୍ଥରେ ପିଣ୍ଡଦାନ ଓ ମାନସିକ ମୁଣ୍ଡନକ୍ରିୟା କରାଯାଏ (ରୋହିଣୀକୁଣ୍ଡକୁ ବାଦ ଦେଇ) । ମାର୍କଣ୍ଡେୟ ପୁଷ୍କରିଣୀ ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ । ଉତ୍ତର, ପୂର୍ବ, ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ରେ ପୁଷ୍କରିଣୀର ଦୈର୍ଘ୍ୟ ଯଥାକ୍ରମେ ୩୫୦, ୫୦୫, ୩୮୫ ଓ ୫୪୨ ଫୁଟ । ପୁଷ୍କରିଣୀ ତଟରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତୁ୍ୟଞ୍ଜୟ ଲିଙ୍ଗ, ପଞ୍ଚ ପାଣ୍ଡବ ଓ କାଳୀୟଦଳନ ବିଗ୍ରହ ଅବସ୍ଥିତ । ଏହାର ତଟରେ ସପ୍ତମାତୃକା ମନ୍ଦିର ରହିଛି । ମାଦଳାପାଞ୍ଜି (ସଂ-ଆର୍ତ୍ତବଲ୍ଲଭ)ରେ ଉଲ୍ଲେଖ ଅଛି ଯେ ରାଜା କୋଶଳ କେଶରୀ ମାର୍କଣ୍ଡେଶ୍ୱର ଦେଉଳ ତୋଳାଇଥିଲେ ଓ ପୋଖରୀ ପଶ୍ଚିମ ପଟ ପଥର ପାଚେରୀ କଲେ । (ଆନୁମାନିକ ୮୧୧ରୁ ୮୨୯ ଖ୍ରୀଷ୍ଟାବ୍ଦ ମଧ୍ୟରେ) । ସପ୍ତମାତୃକା ମନ୍ଦିରଟିକୁ ଭୀମକେଶରୀ ନିର୍ମାଣ କରିଥିଲେ ବୋଲି ଉକ୍ତ ପାଞ୍ଜିରେ ଉଲ୍ଲେଖ ଅଛି । ଆନୁମାନିକ ୧୧୦୭ରୁ ୧୧୧୫ ଖ୍ରୀଷ୍ଟାବ୍ଦ ଭିତରେ ଏହି ନିର୍ମାଣ କାର୍ଯ୍ୟ ହୋଇଥିବ ।
ଶ୍ୱେତଗଙ୍ଗା ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଦିଗର ବାଲିସାହିରେ ଅବସ୍ଥିତ । ପୁଷ୍କରିଣୀର ଦୈର୍ଘ୍ୟ ଓ ପ୍ରସ୍ଥ ୨୫୪ ଫୁଟ ଓ ୧୮୦ ଫୁଟ । ତଟରେ ଶ୍ୱେତମାଧବ ଓ ମତ୍ସ୍ୟମାଧବ ନାମକ ନାରାୟଣ ବିଗ୍ରହ ଦ୍ୱୟ ବିରାଜିତ । ମାଦଳା ପାଞ୍ଜି ଅନୁସାରେ ରାଜା ଗୋବିନ୍ଦ କେଶରୀ ଏହି ଦୁଇ ଠାକୁରଙ୍କ ପାଇଁ ଦେଉଳ ତିଆରି କରାଇଥିଲେ (ଆନୁମାନିକ ଖ୍ରୀ. ୧୦୦୦ ବେଳକୁ) । ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୪୮୫ ଫୁଟ ଓ ୩୯୬ ଫୁଟ । କିମ୍ବଦନ୍ତୀ କହେ ଯେ ରାଜା ଇନ୍ଦ୍ରଦୁ୍ୟମ୍ନ ଅଶ୍ୱମେଧ ଯଜ୍ଞ କଲାବେଳେ ଅସଂଖ୍ୟ ଗୋରୁଦାନ କରିଥିଲେ । ଏହି ଗୋରୁ ମାନଙ୍କ ଖୁରା ବାଜି ଭୂମି ଖୋଳି ହୋଇଯାଇ ଏହି ପୁଷ୍କରିଣୀଟି ହୋଇଗଲା । ମନ୍ଦିର ନିର୍ମାଣ ବେଳେ ବନ ବଡ଼ ପଥର ପିଠିରେ ବୋହି ଯେଉଁ ଲୋକମାନେ ଆଣିଥିଲେ ସେମାନେ କୂର୍ମ ପାଲଟି ଯାଇଥିଲେ । ରାଜା ଇନ୍ଦ୍ରଦୁ୍ୟମ୍ନ ଓ ଗାଲମାଧବଙ୍କ ମଧ୍ୟରେ ମନ୍ଦିର ନିର୍ମାଣ ନେଇ ବିବାଦ ଉପୁଜିବାରୁ ଏହି କୂର୍ମମାନେ ଯେଉଁମାନେ କି ପୁଷ୍କରିଣୀରେ ରହୁଥିଲେ, ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ପୁଷ୍କରିଣୀ ତୀରରେ ନୀଳକଣ୍ଠେଶ୍ୱର, ରାଜା ଇନ୍ଦ୍ରଦୁ୍ୟମ୍ନ, ରାଣୀ ଗୁଣ୍ଡିଚା ଓ ଗାଲମାଧବଙ୍କ ବିଗ୍ରହ ରହିଛି । ମାଦଳା ପାଞ୍ଜିରେ ଲେଖାଅଛି ଯେ ରାଜା ପଦ୍ମକେଶରୀ ଇନ୍ଦ୍ରଦୁ୍ୟମ୍ନ ଚାରିପାଖେ ପାହାଚ ଓ ନୀଳକଣ୍ଠେଶ୍ୱର ଦେଉଳ ତୋଳାଇଥିଲେ । (ଆନୁମାନିକ ଖ୍ରୀ୭୨୬ରୁ ୭୪୫ ମଧ୍ୟରେ ଏହା ନିର୍ମିତ ହୋଇଥିବ ।) ପ୍ରତିବର୍ଷ ନବଦିନ ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବହୁ ଶ୍ରଦ୍ଧାଳୁ ନରନାରୀ ଇନ୍ଦ୍ରଦୁ୍ୟମ୍ନ ସରୋବରେ ସ୍ନାନ, ଯଜ୍ଞ ନୃସିଂହଙ୍କୁ ଦର୍ଶନ ଓ ଆଡ଼ପମଣ୍ଡପ (ଗୁଣ୍ଡିଚା ମନ୍ଦିର)ରେ ମହାପ୍ରଭୁଙ୍କୁ ଦର୍ଶନ ଏବଂ ମହାପ୍ରସାଦ ସେବନ କରି ଗୁଣ୍ଡିଚା ବ୍ରତ ପାଳନ କରନ୍ତି । ପଞ୍ଚତୀର୍ଥ ମଧ୍ୟରେ ପରିଗଣିତ ହେଉନଥିଲେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିଶ୍ଚିତ ଭାବରେ ଏକ ତୀର୍ଥର ମାନ୍ୟତା ପାଇବା ଉଚିତ । ଏଠାରେ ପ୍ରତିବର୍ଷ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରା ପାଳନ କରାଯାଏ ।
ଇନ୍ଦୁ ଭୂଷଣ ଭୂୟଁ,ମୋ: ୯୨୦୪୬୫୨୦୬୫ା