ଯାଜପୁର ବିଜେଡ଼ିକୁ ଆଉ ଏକ ଝଟକା : ପଦ୍ମ ଧରିଲେ ବରୀ ବ୍ଲକ ଅଧ୍ୟକ୍ଷ

ଯାଜପୁର ବିଜେଡ଼ିକୁ ଆଉ ଏକ ଝଟକା : ପଦ୍ମ ଧରିଲେ ବରୀ ବ୍ଲକ ଅଧ୍ୟକ୍ଷ

 ଯାଜପୁର : ଯାଜପୁର ବିଜେଡ଼ିକୁ ତୃତୀୟ ଝଟକା ଲାଗିଥିବା ବେଳେ ବରୀ ବିଧାୟକ ବିଶ୍ୱରଂଜନ ମଲିକଙ୍କୁ ଲାଗିଛି ଜବର ଝଟକା । ବିଧାୟକ ବିଶ୍ୱ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମାତିଥିବା ବେଳେ ବରୀରେ ତାଙ୍କ ଦଳର ବ୍ଲକ ମଙ୍ଗ ଧରିଥିବା ଅଧ୍ୟକ୍ଷ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ବର୍ଷକ ପରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ୍ଡୀଙ୍କ ସହ ୬ ପଞ୍ଚାୟତ ପ୍ରତିନିଧି ପଦ୍ମ ଧରିବା ପରେ ବରୀରେ ରାଜନୈତିକ ପାଣିପାଗ ସରଗରମ ହୋଇପଡ଼ିଛି । ଗୁରୁବାର ବରୀ ବ୍ଲକ ରମ୍ପା ପଞ୍ଚାୟତ ନେଉଳା ପଡିଆ ଠାରେ ଆୟୋଜିତ ଏକମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିଥିଲେ । ଯିଏ କି ୨୦୨୪ ଅଗଷ୍ଟ ମାସରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ଉକ୍ତ ମାସ ୨୭ରେ ପୁଣି ଘର ବାହୁଡ଼ା ବା ବିଜେଡି଼କୁ ଫେରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଅଶୁତୋଷ ପରିଡାଙ୍କ ସଭାପତିତ୍ୱରେ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବରୀ ସରପଞ୍ଚ ସୋନାଲି ସିଂ, ବୋଦୁଅ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର, ରତ୍ନଗିରି ସମିତିସଭ୍ୟା ସସ୍ମିତା ମଲ୍ଲିକ, ସାହୁପଡା ସମିତିସଭ୍ୟା ଶାନ୍ତିଲତା ଦଳାଇ, ଅରଙ୍ଗାବାଦ ସମିତିସଭ୍ୟ ଅନୁସୂୟା ମଲ୍ଲିକ, ବାଲିଆ ସମିତିସଭ୍ୟା ମାନସୀ ଦାସ, ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଡ, ସେରପୁରର ଯୁବନେତା କିଶୋର ଚନ୍ଦ୍ର ଧଳ, ଅମଠପୁରର ଦଳିତନେତା କୁଳମଣି ମଲ୍ଲିକ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । 

      ତାଙ୍କୁ ଦଳୀୟ ଉତ୍ତରୀୟ ଦିଆଯାଇ ଦଳକୁ ଶ୍ରୀ ଜେନା ସ୍ୱାଗତ କରିଥିଲେ । ଏଥିରେ ବିଜେପି ନେତା ଶ୍ରୀ ଜେନା ଯୋଗଦେଇ କହିଥିଲେ ଯେ, ଯେଉଁ ବରୀ ଓଡ଼ିଶା ରାଜନିତୀକୁ ଶିକ୍ଷା ଦେଇଛି ସେହି ମାଟିରେ ଜନ୍ମନେଇ ନା କାହାକୁ ଡର ଅଛି ନା କାହାକୁ ଭୟ ଅଛି । ୨୪ବର୍ଷ ହେବ ବରୀକୁ କିଛି ଗୋଷ୍ଠୀ ଲୁଟିଛନ୍ତି । ବରୀରେ ଅସାଧୁ ମେଣ୍ଟ ଚାଲିଛି । ଯାହା ୪ବର୍ଷରେ ହୋଇନାହିଁ ତାହା ମୁଁ ଏହି ଗୋଟିଏ ବର୍ଷରେ କରି ଦେଖାଇବି ବୋଲି ଦୃଢତାର ସହ କହିଥିଲେ । ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗେଡି  ବରୀର ବିକାଶ ପାଇଁ ଏହି ମିଶ୍ରଣ ହୋଇଛି । କିଛି କୁଚକ୍ର ଗୋଷ୍ଠୀ ନେତାଙ୍କସହ ବରୀକୁ ମଧ୍ୟ ଖାଇଗଲେଣି । ସେମାନଙ୍କ ବିରୋଧରେ ମୋର ଏହି ସଂଗ୍ରାମ । ଦଳ ମତ ନିର୍ବିଶେଷରେ ମୋ ପାଇଁ ସମସ୍ତେ ସମାନ । ଆପଣମାନେ ମୋତେ ସହଯୋଗ କରନ୍ତୁ ବିକାଶ ଆହୁରି ଆଗେଇ ନେବି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ପ୍ରଦୀପ ଦାସ, ଆର୍ତ୍ତବନ୍ଧୁ ସାମଲ, ପୂର୍ବତନ ଜିଲ୍ଲାପରିଷଦ ରବୀନ୍ଦ୍ର ଜେନା, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ନାୟକ, ନିର୍ମଳ ସାମଲ, ସଂଗ୍ରାମ ପଲେଇ, ମୁନା ଜେନା, ମନସ୍ମିତା ପରିଡା, ଜଗନ୍ନାଥ ପରିଡା, ସୌଭାଗ୍ୟ ଦାସ, ଶ୍ରବଣ ଦାସ, ସରପଞ୍ଚ ମାନସ ଯେନା, ଧିରେନ୍ଦ୍ର ଦାସ, ଗୀତିକାର ଦିଲ୍ଲୀପ ଜେନା, ପ୍ରଫୁଲ ବିଶ୍ୱାଳ, ସତ୍ୟଜିତ ପରିଡା, ସନ୍ତୋଷ ନାୟକ, ଗୁରୁଚରଣ ଦାସଙ୍କ ସମେତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ । ତେବେ ବିଜେଡ଼ିର ଗଡ଼ ପାଲଟିଥିବା ଯାଜପୁରରେ ଧର୍ମଶାଳାରୁ ହିଁ ଗଡ଼ବଡ଼ ଆରମ୍ଭ ହୋଇଯାଇଥିଲା । ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଆସିବା ଏବଂ ସେ ଅନାସ୍ଥା ପୂର୍ବରୁ ଇସ୍ତଫା ଦେବା ଘଟଣା ବିଜେଡ଼ିକୁ ପ୍ରଥମ ଝଟକା ଲାଗିଥିବା ବେଳେ ବଡ଼ଚଣାରୁ ଦ୍ୱିତୀୟ ଝଟକା ଲାଗିଥିଲା । ଆଉ ଆଜି ବରୀ ବ୍ଲକ ଅଧ୍ୟକ୍ଷ ବିଜେପିରେ ଯୋଗ ଦେବା ପରେ ବିଜେଡ଼ିକୁ ତୃତୀୟ ଝଟକା ଲାଗିଛି । ଆଗାମୀ ଦିନରେ ଜିଲାର ଅନ୍ୟ କୌଣସି ବ୍ଲକ ଅକ୍ତିଆର ପାଇଁ ବିଜେପି ବିଜେଡ଼ିକୁ ଝଟକା ଦେବାଟାକୁ ଏଡ଼ାଇ ଦିଆଯାଇନପାରେ ।