ବାଲି ଉତ୍ତୋଳନକୁ ନେଇ ଆକ୍ରମଣରେ ଗୁରୁତରଙ୍କ ମୃତୁ୍ୟ

ଯାଜପୁର ସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ଉପର ବରୁଆଁ ପଞ୍ଚାୟତର କଚେରୀ ଗାଁରେ ଚୋରା ବାଲି ଉତୋଳନକୁ ନେଇ ତା୨୭ା୫ା୨୦୨୫ ରିଖରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୁରୁତର ଥିବା ତପନ ଲେଙ୍କାଙ୍କ ଆଜି ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଯେ ଖରାସ୍ରୋତା ନଦୀର କଚେରୀ ଗାଁ ନଦୀଘାଟରୁ ଦୀର୍ଘ ୨୦ବର୍ଷ ହେବ ଆକ୍ରମଣ କାରୀ ଚନ୍ଦନ କୁମାର ନାୟକ (ଚିଣ୍ଟୁ) ବାଲି ଲୁଟ କରୁଥିବା ବେଳେ ସେହି ଗ୍ରାମର ତପନ ଲେଙ୍କା (୩୨) ନିଜ ଘର କାମ ପାଇଁ ସେଠାରୁ ବାଲି ଉତୋଳନ କରିବାରୁ ତାଙ୍କୁ ଚିଣ୍ଟୁ ତା ଭାଇ ଓ ବାପାଙ୍କ ସମେତ ତାଙ୍କ କର୍ମଚାରୀ ମାନେ ଠେଙ୍ଗା ଓ ଭୁଜାଲି ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡ଼ାକ୍ତର ଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା । ଆଜି ତପନ କୁମାର ଲେଙ୍କାଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ଏହି ଘଟଣାକୁ ନେଇ କଚେରୀଗାଁ ଓ ତାର ପାଖାପାଖି ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି । ସଦର ଥାନା ପୁଲିସ ଘଟଣା ଘଟିବା ପରେ କେବଳ ଚିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରି ଚୁପ୍ ବସିଥିବା ସ୍ଥଳରେ ଅନ୍ୟ ଅଭିଯୁକ୍ତ ଖୁଲମ ଖୁଲା ବୁଲୁଛନ୍ତି ।