ରାଜକୋଷରୁ ଖର୍ଚ୍ଚ ହେଲା ବହୁଲକ୍ଷ  କାମରେ ଲାଗୁନି ଆରଡି କର୍ମଚାରୀ ବାସଗୃହ


ବ୍ୟାସନଗରରୁ ଉମାକାନ୍ତ ରାଉତ୍ :
ସରକାରୀ କର୍ମଚାରୀଙ୍କ ରହିବା ପାଇଁ ନିର୍ମାଣ ହେଲା ବାସଗୃହ । ବାସଗୃହ ବାବଦରେ ରାଜକୋଷରୁ ବିନିଯୋଗ ହେଲା ବହୁଲକ୍ଷ ଟଙ୍କା । ହେଲେ ବର୍ଷ ପରେ ବର୍ଷ ବିତୁଛି ସିନା ବାସଗୃହ ଗୁଡ଼ିକ ଯେମିତି କି ସେମିତି ପଡ଼ିଛି । ନାଁ କେହି କର୍ମଚାରୀ ରହୁଛନ୍ତି ନା କାହାକୁ ଭଡ଼ାରେ ଦିଆଯାଉଛି । 
ସରକାରୀ କା ମାଲ ଦରିଆ ମେଁ ଡ଼ାଲ ପରି ବହୁଲକ୍ଷ ଖର୍ଚ୍ଚ ପରେ ଅଦରକାରୀ ହୋଇପଡ଼ିଛି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ ବାସଗୃହ । କିନ୍ତୁ ଆଶ୍ଚର୍ଯ୍ୟର କଥା ବିଭାଗର ବଡ଼ବାବୁଙ୍କ ଟିକେଟବି ଏଥିପ୍ରତି ନିଘା ନାହିଁ । ଆମେ କହୁଛୁ ଦଳା-ଶଙ୍ଖଚିଲା ରାସ୍ତାର ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟ ଖୋଲିବା ପରେ କାର୍ଯ୍ୟରତ କର୍ମଚାରୀ ଏବଂ ଅଧିକାରୀଙ୍କ ରହିବା ନିର୍ମିତ ହୋଇଥିବା ୭ ଗୋଟି ବାସଗୃହର କଥା । ଯେଉଁ ବାସଗୃହ ଗୁଡ଼ିକ ପାଖାପାଖି ୬ବର୍ଷ ତଳୁ  ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଥିଲା । ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ରହିବା ରାଜ୍ୟ ରାଜକୋଷରୁ ବହୁଲକ୍ଷ ଟଙ୍କା ବିନିଯୋଗରେ ୧/୨ ବିଏଚକେ ସଦୃଶ ଗୃହ ନିର୍ମାଣ ହୋଇଥିଲା । ଅଧୁନା ସଂପୃକ୍ତ ଗୃହ ଗୁଡ଼ିକ ଅବ୍ୟବହୃତ ହୋଇ ପଡ଼ିରହିଛି । କିଛି ଗୃହରେ ଚେୟାର ଟେବୁଲ ପଡ଼ିଛି, ସିନା କବାଟ କିନ୍ତୁ ଖୋଲା ହେଉନି । କବାଟ ଖୋଲା ହେଉନଥିବା ଗୃହ ଗୁଡ଼ିକର ଝରକା କିନ୍ତୁ ମେଲା ପଡ଼ିଛି । କେହି ରହୁନଥିବାରୁ ଠାଏଠାଏ ଅନାବନା ଗଛ ଉଠି ପରିସର ଜଙ୍ଗଲ ସଦୃଶ ହୋଇପଡ଼ିଛି । ବାସଉପଯୋଗୀ ଗୃହ ଗୁଡ଼ିକ ଫାଙ୍କା ପଡ଼ିଥିବାରୁ ଉକ୍ତ ସ୍ଥାନଟି ମଦୁଆ, ଜୁଆଡ଼ିଙ୍କ ପାଇଁ ଆଡ୍ଡାସ୍ତଳ ପାଲଟିଯାଇଛି । କେଉଁଠି ତାଲା ଅଛି ତ କେଉଁଠି ମେଲା ପଡିଛି ଯାହା ଫାଟକ ପ୍ରମାଣିତ କରୁଛି । ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଘର ଗୁଡ଼ିକ କାହିଁକି ଫାଙ୍କାପଡ଼ିଛି, ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନସୃଷ୍ଟି କରିଛି ।  ଗୃହ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ମହିଳା ହଷ୍ଟେଲ, ସନ୍ତରା ଗ୍ରାମ ଓ ନୂଆକରି ଗଢି ଉଠିଥିବା ୩ ଟି କଲୋନୀ । ଏହାର ଚାରିପଟେ ଶତାଧିକ ପରିବାର ବସବାସ କରୁଛନ୍ତି । ବାସ ଉପଯୋଗୀ ଅଞ୍ଚଳ ହୋଇଥିବା ଏବଂ ବ୍ୟାସନଗରରେ ଘର ଭଡ଼ା ମୂଲ୍ୟ ହୁହୁ ହୋଇ ବଡ଼ୁଥିବା ବେଳେ ବିଭାଗ କାହିଁକି ଏହି ଗୃହ ଗୁଡ଼ିକ ଭୁତକୋଠି ହେବାକୁ ଛାଡ଼ି ଦେଇଛି, ତାହା ସନେ୍ଦହ ସୃଷ୍ଟି କରିଛି । ଏଥିପାଇଁ ଉତ୍ତରଦାୟୀ? ଏହାର ଅନୁଧ୍ୟାନ କରି ବିଜେପି ସରକାରର ବିଭାଗୀୟ ମନ୍ତ୍ରୀ ବାସଗୃହକୁ ଉପଯୋଗ କରିବା ଦିଗରେ ପଦକ୍ଷେପ ନେବେ କି?