ଉଜୁଡି  ଯାଇଛି ଗାଁ...   ସତ୍ତା ହରାଇଛି ଖଣି ଅଞ୍ଚଳର ପ୍ରାକୃତିକ ଝରଣା

କାଳିଆପାଣି : ସୁକିନ୍ଦା ଖଣି ଅଞ୍ଚଳ ୮୦ଦଶକ ପୂର୍ବରୁ ଯାହା ଥିଲା ବର୍ତ୍ତମାନ ଆଉ ସେଇୟା ହୋଇନାହିଁ । ଏହି ୪୦ ବର୍ଷ ମଧ୍ୟରେ ସବୁକିଛି ବଦଳିଯାଇଛି । ଦିନ ଥିଲା ଟମକା-ମଙ୍ଗଳପୁର ମଧ୍ୟରେ ରହିଥିବା ନଦୀ ନାଳ ଓ ଝରଣା ପୋଖରୀ ଇତ୍ୟାଦି ପ୍ରାକୃତିକ ଉତ୍ସ ଗୁଡିକ ଏ ଅଞ୍ଚଳବାସୀଙ୍କ ଜୀବନ ଧାରଣର ମଧ୍ୟାମ ଥିଲା । ରାଷୋଳ ପଞ୍ଚାୟତର କୁସୁମୁ ଡିହା ଗାଁ ଠାରୁ କଅଁସ ପଞ୍ଚାୟତର କଅଁସ ଗ୍ରାମ ମଧ୍ୟରେ ଅନେକ ଗୁଡିଏ ପ୍ରାକୃତିକ ଝରଣା ଏବଂ ପୋଖରୀ ରହିଥିଲା । ସ୍ଥାନୀୟ ବାସିନ୍ଦା ଉକ୍ତ ଝରଣା ଏବଂ ପୋଖରୀର ପାଣିରୁ ନିଜ ବାଡ଼ି ବଗିଚା ଏବଂ ଧାନ କ୍ଷେତକୁ ଜଳସେଚିତ କରି ପାରୁଥିଲେ । ବର୍ଷକୁ ଦୁଇଥର ବା ବାରମାସୀ ଫସଲରେ ଲହଲହ କରୁଥିଲା ଗାଁ ଗୁଡିକର ବିଲବାଡ଼ି । ଆଉ ଏହାରି ଉପରେ ନିର୍ଭର କରି ଜୀବିକା ନିର୍ଭର କରୁଥିଲେ ଅଞ୍ଚଳର ବସ୍ତି ବାସିନ୍ଦା । ବର୍ଷ ସାରାର ଖାଦ୍ୟ ଯୋଗାଡ଼ କରିପାରୁଥିଲେ ଅଞ୍ଚଳବାସୀ । ହେଲେ ଦୁର୍ଭାଗ୍ୟ ଏବେ ଆଉ ସେହିସବୁ ପ୍ରାକୃତିକ ଝରଣା ପୋଖରୀ କି ଛୋଟ ଛୋଟ ନାଳ ଗୁଡିକ ଦେଖିବାକୁ ମିଳୁନି । ଯାହାର ଅସ୍ତିତ୍ୱ ହଜି ସାରିଛି । ଲାଗୁଛି ସତେ ଯେମିତି ଅଞ୍ଚଳରେ କେବେ ବି ଝରଣା ପୋଖରୀ ନଥିଲା । ରାଷୋଳ ଏବଂ ମହୁଲଖାଲ ଗାଁ ମଝିରେ ବହିଯାଉଥିଲା ଦୁଧେଇ ନାଳ ।
ଖରା ବର୍ଷା ନିରନ୍ତର ବହିଯାଉଥିଲା ଏହା ମଧ୍ୟରେ ସ୍ୱଛ ନିର୍ମଳ ଝରଣାର ପାଣି । ଶହଶହ ପରିବାର ଏହାର ପାଣିରେ ବର୍ଷ ତମାମ ଚାଷ କରି ଆସୁଥିଲେ । ମାତ୍ର ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ଭୀମ ଟାଙ୍ଗର ଗାଁ ମଧ୍ୟଦେଇ ବହିଯାଉଥିଲା ଏକ ପ୍ରାକୃତିକ ଝରଣା ତାହା ମଧ୍ୟ ବିଲୁପ୍ତ ହୋଇସାରିଛି । ଏହିପରି ଭାବରେ କଲରଙ୍ଗୀ ଠାରୁ ଆରମ୍ଭକରି କଅଁସ ଯାଏଁ ଅନେକ ଝରଣା ସେମାନଙ୍କ ସତ୍ତା ହଜି ଯାଇଛି । ଏହାର ମୁଖ୍ୟ କାରଣ ହେଲା ଖଣି ଖାଦାନ । କ୍ରୋମାଇଟ ପଥର ଖୋଳିବା ଆରମ୍ଭ ପରଠୁ ଧିରେଧିରେ ଏମାନଙ୍କ ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଥିଲା । ବର୍ତମାନ ବିଭିନ୍ନ କମ୍ପାନୀ କ୍ରୋମାଇଟ ପଥର ଖନନ ଉଦ୍ଦେଶ୍ୟରେ ହଜାର ହଜାର ଫୁଟ ତଳକୁ ଗଭୀରତା କରି ଚାଲିଛନ୍ତି । ପରିଣାମ ସ୍ୱରୂପ ଏ ଅଞ୍ଚଳର ଭୂତଳ ଜଳସ୍ଥର ତଳକୁ ତଳ ଖସିବାରେ ଲାଗିଛି ଏବଂ ଏଥିଯୋଗୁଁ ନଦୀନାଳ ଏବଂ ପ୍ରାକୃତିକ ଝରଣା ଗୁଡିକ ଶୁଖିବାରେ ଲାଗିଛି । ବିଶେଷକରି ଟାଟା କମ୍ପାନୀ ଅଧିନରେ ଥିବା ଖଣି ଗୁଡିକ ହଜାର ହଜାର ଫୁଟ ଗଭୀରତା ହୋଇସାରିଛି । ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳର ସମସ୍ତ ଝରଣା ଏବଂ ପୋଖରୀ କୂଅ ଗୁଡିକ ଶୁଷ୍କ ଅବସ୍ଥାରେ ପଡିଛନ୍ତି । ସେହିପରି ଇମ୍ଫା, ଇସ୍ପାତ ଏବଂ ଜିନ୍ଦଲ କମ୍ପାନୀ ଗୁଡିକର ଖଣି ଗୁଡିକ ଏପରି ଗଭୀରତା ହୋଇଯାଇଛି ଯେ, ସେ ଗୁଡିକରେ ଅଣ୍ଡର ଗ୍ରାଉଣ୍ଡ ଖଣି ଖୋଳା ଯାଉଛି । ଏମାନଙ୍କ ପ୍ରଭାବରେ କାଳିଆପାଣି, ଚିଙ୍ଗୁଡ଼ିପାଳ, ବେଣାଗାଡ଼ିଆ, ରଙ୍ଗମାଟିଆ ଇତ୍ୟାଦି ଗାଁ ଗୁଡିକରେ ଥିବା ସମସ୍ତ ଝରଣା ପୋଖରୀ ଏବଂ ଖୋଲା କୂଅ ଗୁଡିକ ଶୁଖି ଆଁ କରିଛି । ସେହିପରି ବେଦାନ୍ତ ଫେକର କମ୍ପାନୀର ଖଣି ଗୁଡିକ ଏପରି ଗଭୀରତା ଯୋଗୁଁ ଏହାର ପାର୍ଶ୍ୱବର୍ତୀ ଗାଁ ଗୁରୁଜାଙ୍ଗ, ଓସ୍ତପାଳ, ପଟଣା, ଓସ୍ତିଆ ଇତ୍ୟାଦି ଗାଁ ଗୁଡିକରେ ପୂର୍ବରୁ ବୋହିଯାଉଥିବା ଝରଣା ପୋଖରୀ ସବୁ ନିଶ୍ଚିର୍ଣ୍ଣ ହୋଇଯାଇଛି । ଯେଉଁଠାରେ ଦିନେ ଲୋକଙ୍କ ବିଲ ବାଡ଼ି ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ  ଦିଶୁଥିଲା ବର୍ତମାନ ସବୁଆଡେ ଟାଙ୍ଗରା ଭୂଇଁ । ଏଥିପାଇଁ ଦାୟୀ କେବଳ ବଡ଼ ବଡ଼ ଖଣି ଖାଦାନର ମାଲିକ । ଏ ଅଞ୍ଚଳର ଭୂମିତଳେ ଗଛିତ ହୋଇ ରହିଥିବା ବହୁ ମୂଲ୍ୟବାନ କ୍ରୋମାଇଟ ପଥର ଖୋଳି କୋଟିକୋଟି ଟଙ୍କାର ମୁନାଫା ଅର୍ଜନ କରି ଚାଲିଛନ୍ତି । ହେଲେ ପାରିପାର୍ଶ୍ୱିକ ପରିବେଶ ପ୍ରତି ଆଦୌ ଗୁରୁତ୍ୱ ଦେଇନାହାନ୍ତି । ଖଣି ପ୍ରଭାବିତ ଲୋକମାନେ କାଳକ୍ରମେ ରୋଜଗାର ହରାଇ ଖଣି ଖାଦାନ ଉପରେ ନିର୍ଭର କରି ରହିଲେ । ଯାହା ସେମାନଙ୍କ ପାଇଁ ସବୁଠାରୁ ବେଶୀ ଅଡୁଆରେ ପକାଇଛି । ଏବେ ଏହି ଅଞ୍ଚଳର ଖଣି ଖାଦାନ ଗୁଡିକ ଧୀରେ ଧୀରେ ବନ୍ଦ ହେବାକୁ ବସିଥିଲା ବେଳେ, ଏଥିରେ ନିର୍ଭର କରି ବଞ୍ôଚ ଆସୁଥିବା ଲୋକଙ୍କ ଜୀବିକା ଦୁଇ ଆଡୁ ଠପ୍‌ ହେବାକୁ ଯାଉଛି । ଖଣି ଖାଦାନରେ ନିଯୁକ୍ତି ପାଇବା ଆଶାରେ ନିଜନିଜ ବିଲ ବାଡି଼କୁ ବିନା ସର୍ତରେ କମ୍ପାନୀଙ୍କୁ ଟେକିଦେଇ ସର୍ବହରା ପାଲଟିଛନ୍ତି ଅଞ୍ଚଳବାସୀ ।