ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା

ବାଇକ ଉପରେ ଚଢ଼ିଗଲା କାର; ଜଣେ ମୃତୁ୍ୟ ୨ ଗୁରୁତର
 ଭୁବନେଶ୍ୱର, ୧୮ା୧: ରାଜଭବନ ଛକରେ ଘଟିଛି ସିରିଜ୍ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା କାର । ଜଣେ ମୃତ ଦୁଇ ଗୁରୁତର ଆହତ । ମୃତକ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମୋହନାର ଗୌରଚନ୍ଦ୍ର ନାୟକ, ସେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ । ଅନ୍ୟପଟେ ୨ ଜଣ ଆହତଙ୍କ ଭିତରୁ ଜଣେ ମୃତ ଗୌରଚନ୍ଦ୍ରଙ୍କ ଦାଦା ପୁଅ ହେଉଛନ୍ତି ରବିନ୍ଦ୍ର ଚନ୍ଦ୍ର ନାୟକ । ସେ ମଧ୍ୟ ଜଣେ ଅବସରପ୍ରାପ୍ତ ସୁବେଦାର ଓ ଅନ୍ୟଜଣେ ବାଇକ ଚାଳକ ହେଲେ ଜାଗମରା ଗ୍ରାମର ଦୀନବନ୍ଧୁ ସାମନ୍ତରାୟ । ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ କାର ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଅଟକ ଡ୍ରାଇଭର ଜଣକ ହେଲେ, ଲଲାଟେନ୍ଦୁ ବାରିକ । ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ।
 ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟା ୫ଟା ୩୦ ସମୟରେ ମୃତ ଗୌରଚନ୍ଦ୍ର ନାୟକ ଓ ତାଙ୍କ ଭାଇ ରବିଚନ୍ଦ୍ର ନାୟକ ଏକ ବାଇକରେ ରାଜଭବନ ଦେଇ ଯାଉଥିଲେ । ଏହି ସମୟରେ ପଛପଟୁ ଦୃତଗତିରେ ଆସି ଏକ କାର ଧକ୍କା ଦେଇ ଚଢ଼ିଯାଉଥିଲା । ଦୁର୍ଘଟଣା ଘଟାଇବା ପରେ କାରଟି ଗୋଟିଏ ବାଇକକୁ ଘୋଷାଡ଼ି ନେଉଥିବା ବେଳେ, ସେହି କାରଟି ଦ୍ରୁତ ଗତିରେ ଯାଇ ଆଉ ଏକ ବାଇକୁ ପିଟିଥିଲା । ବାଇକକୁ ପିଟିବା ପରେ ରାଜଭବନ ଛକ ଡିଭାଇଡର ଉପରକୁ କାରଟି ଚଢ଼ି ଯାଇଥିଲା । ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ବେଳେ ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ କାରକୁ ପୁଲିସ ଘଟଣା ସ୍ଥଳରୁ ଜବତ କରିଥିବା ବେଳେ ନିଶାଶକ୍ତ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।