ସ୍ପେଶାଲ ସ୍କ୍ୱାଡ୍ ଜାଲରେ ୪ ଅଭିଯୁକ୍ତ; ୨ଟି କଟୁରୀ ଓ କାର ଜବତ
ତ୍ରିକୋଣୀୟ ପ୍ରେମରୁ ଯୁବତୀଙ୍କୁ ଅପହରଣ ଘଟଣା
ଭୁବନେଶ୍ୱର, ୧୮ା୧ : ରାଜଧାନୀରେ ପ୍ରେମିକକୁ ଆକ୍ରମଣ ପରେ ପ୍ରେମିକାକୁ କିଡନାପ ଘଟଣା । ସ୍ପେଶାଲ ସ୍କ୍ୱାଡ୍ ପଞ୍ଝାରେ ୪ ଅଭିଯୁକ୍ତ । ବାହାର ଜିଲ୍ଲାରୁ ଜଣେ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ସେମାନେ ହେଲେ କ୍ୟାପିଟାଲ ଥାନା ଅଧିନ ମା ମଙ୍ଗଳା ବସ୍ତିର ଚନ୍ଦନ ମଲ୍ଲୀକ୍, ଲିଙ୍ଗରାଜ ଥାନା ଅଧିନ ରାଜାରାଣୀ କଲୋନୀର ରାହୁଲ ନାୟକ ଓରଫ ଟୁକୁ, ପିଚୁକୋଳି ବସ୍ତିର ପ୍ରଣବ ନାୟକ ଓ ଜଣେ ନାବାଳକ । ସେମାନଙ୍କ ନିକଟରୁ ୨ଟି କଟୁରୀ ଓ ଅପହରଣରେ ବ୍ୟବହୃତ ସୁଇପ୍ଟ କାର ଜବତ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଣବ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୭ଟି ମାମଲା ଥିବାବେଳେ, ଚନ୍ଦନ ନାଁରେ ୫ଟି ଓ ରାହୁଲ ନାଁରେ ୨ଟି ମାମଲା ରହିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ହେଉଛି ପ୍ରଣବ ମଲ୍ଲୀକ । ଅପହରଣ ହୋଇଥିବା ଯୁବତୀଙ୍କ ସହ ପୂର୍ବରୁ ଯୁବକମାନଙ୍କ ସଂପର୍କ ରହିଥିଲା । ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ କରାଯାଇଥିବା ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ସୂଚନାଯୋଗ୍ୟ ଯେ, ଗତ ୨୨ ଡ଼ିସେମ୍ବର ୨୦୨୪ ବିଳମ୍ବିତ ରାତିରେ ଅଭିଯୋଗକାରିଣୀ ଓ ତାଙ୍କ ସାଙ୍ଗ ଲୁମ୍ବିନୀ ବିହାର ଘରକୁ ସ୍କୁଟିରେ ଫେରୁଥିବା ବେଳେ, ହଠାତ ୩ରୁ ୪ ଜଣ ଯୁବକ କାରରେ ପହଞ୍ଚି ଅଭିଯୋଗକାରିଣୀଙ୍କୁ ଜୋରଜବରଜସ୍ତ ଅପହରଣ କରିନେଇଥିଲେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ସାଙ୍ଗ ଆକାଶ ସିଂ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଅଭିଯୋଗକାରିଣୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ଫଳରେ ଆହତ ଆକାଶଙ୍କ ହାତରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏନେଇ ୨୩ ଡ଼ିସେମ୍ବର ଦିନ ସକାଳୁ ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପଯେର ପୁଲିସ ମାମଲା ରୁଜୁକରି ସ୍ପେଶାଲ ସ୍କ୍ୱାଡ୍ ସହଯୋଗରେ ଅଭିଯୋଗକାରିଣୀଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଉଦ୍ଧାର କରିଥିଲେ । ହେଲେ ଅଭିଯୁକ୍ତ ମାନେ ଭୟରେ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଏନେଇ ପୁଲିସ ସେବେଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିବା ବେଳେ, ଗତକାଲି ରାତିରେ ସ୍ପେଶାଲ ସ୍କ୍ୱାଡ୍ ଟିମ ଓ ମୈତ୍ରୀବିହାର ଥାନା ପୁଲିସ ମିଳିତ ଭାବେ ନୟାଗଡ଼, କଟକ, ଖୋଦ୍ଧା ଓ ଭୁବନେଶ୍ୱରରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨ଟି କଟୁରୀ, ଏକ କାର ଓ ୩ଟି ମୋବାଇଲ ଜବତ କରିବାରେ ସଫଳ ହୋଇଥିବା ନେଇ ଆଜି ଡ଼ିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।