ପ୍ରେମିକାକୁ ନିର୍ଯ୍ୟାତନା ଦେଇ ପ୍ରେମିକ ଗିରଫ

ପ୍ରେମିକାକୁ ନିର୍ଯ୍ୟାତନା ଦେଇ ପ୍ରେମିକ ଗିରଫ


 ଭୁବନେଶ୍ୱର, ୧୯ା୪ : ନିର୍ଯ୍ୟାତାନା ଦେବା ସହ ବିଚ୍ ରାସ୍ତାରେ ପ୍ରେମିକାଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇ ତାଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା । ଥାନାରେ ଅଭିଯୋଗ ପରେ ୬୭ରେ ମାମଲା ରୁଜୁକରି ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୁଲିସ । ପରେ ଦଫା ୩୪୧, ୨୯୪, ୩୨୩, ୫୦୬, ୩୭୯ରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଜଗତସିଂହପୁର ଜିଲ୍ଲାର ଶଙ୍କର ଦଳେଇ । 
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଅଭିଯୁକ୍ତଙ୍କୁ ଗତ ୭ ବର୍ଷ ହେବ ଭଲ ପାଇ ଆସୁଥିବା ବେଳେ ଗତ ୨ ବର୍ଷ ହେବ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ଫେବୃୟାରୀ ୮ ତାରିଖ ରାତି ୮ଟା ସମୟରେ ଅଭିଯୋଗକାରିଣୀ ମାର୍କେଟକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ସେଠାରେ ତାଙ୍କୁ ଅଟକାଇ ଗାଳି ଗୁଲଜ କରିବା ସହ ବଳପୂର୍ବକ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ । ଏତିକି ବେଳେ ଅଭିଯୋଗକାରିଣୀ ତାଙ୍କ ମୋବାଇଲ ଫୋନ୍ ମାଗିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମାଡ ମାରିବା ସହ ହତ୍ୟା କରିବାର ଧମକ ଦେଇଥିଲେ । ଏଭଳି ଘଟଣା ପରେ ଅଭିଯୋଗକାରିଣୀ ଜଣଙ୍କ ଭୟରେ ନୟାପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେବେଠାରୁ ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଥିବା ବେଳେ ଆଜି ତାକୁ ଗିରଫ କରାଯାଇଛି ।