‘ରାଜ୍ୟରେ ଡରୁଛନ୍ତି ମହିଳା’
ଭୁବନେଶ୍ୱର: ଘରେ କି ବାହାରେ ମହିଳା ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ମହିଳାମାନେ ଡରୁଛନ୍ତି । ଥାନାକୁ ବିଜେପି କର୍ମୀମାନେ ଲିଜ୍ରେ ନେଇ ଯାଇଛନ୍ତି । ସେମାନଙ୍କ ଦାଉରୁ ଥାନାକୁ ରକ୍ଷା କରାଯାଉ । ଏଭଳି ଢଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ଅପରପକ୍ଷରେ ଏହାର ଜବାବରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଯେ, ପୂର୍ବ ସରକାର କହୁଥିଲେ ଆଇନ୍ ତା’ବାଟରେ ଯିବ । କାହିଁକିନା ସେମାନେ ଅସହାୟ ଥିଲେ । କିନ୍ତୁ ମୋହନ ସରକାରଙ୍କ ନୀତି ହେଉଛି, ଆଇନଠୁ କେହି ଉଦ୍ଧ୍ୱର୍ରେ ନୁହଁନ୍ତି । ଅପରାଧି ଯେଉଁ ଦଳର ହୁଅନ୍ତୁ ବା ଯେଉଁ ବର୍ଗର ହୁଅନ୍ତୁ, ସେ ଯେତେ ପ୍ରଭାବଶାଳୀ ହେଲେବି ଆଇନରୁ ଉପରେ ନୁହଁନ୍ତି । ଅପରାଧ ଓ ଅପରାଧିଙ୍କୁ ଧୂଳିସାତ୍ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏବେ ଅପରାଧିଙ୍କୁ ଧରି ଆମେ ଜେଲ୍ରେ ଭର୍ତ୍ତି କରୁଛୁ । ବିରୋଧୀ ଯାହା କହୁଛନ୍ତି ତାହା ତଥ୍ୟ ଉପରେ ଆଧାରିତ ନୁହେଁ । ସରକାର ନୀରବ ନାହାନ୍ତି, ଘଟଣା ଘଟିବା ମାତ୍ରେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅପରାଧ ଓ ଦଣ୍ଡବିଧାନର ହାରକୁ ଅନୁଶୀଳନ କରିବା ଦରକାର । ଦଣ୍ଡର ଭୟ ଆସିଲେ ହିଁ ଅପରାଧ କମିପାରିବ । ୨୪ ବର୍ଷ ଧରି ବିଜେଡ଼ି ସରକାର ଅପରାଧିଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିଲେ । ତୃତୀୟ ମହଲାରୁ ଅନୁମତି ନମିଳିଲେ ଗିରଫ କରାଯାଉନଥିଲା । ଏନସିଆରବି ରିପୋର୍ଟରେ ପୂର୍ବ ସରକାର ଅମଳରେ ଓଡ଼ିଶା କେଉଁଠି ଥିଲା ତାହା ସମସ୍ତେ ଜାଣନ୍ତି । ଆଗାମୀ ଦିନରେ ରିପୋର୍ଟ ଆସିଲେ ସେମାନେ ବୁଝିପାରିବେ ଆମ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ।
ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେଯେ, ମୁଖ୍ୟମନ୍ତ୍ରୀ କହୁଛନ୍ତି ଅପରାଧ ବଢ଼ିଛି, ହେଲେ ମନ୍ତ୍ରୀ କହୁଛନ୍ତି ଅପରାଧ କମିଛି । ତଥ୍ୟଗତ ଅମେଳ ରହଛି । ଆବାସିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ବେଳେ ପ୍ରସବ କରୁଛନ୍ତି । କେନ୍ଦୁଝରର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗଭର୍ବତୀ ହେଲେ । ଗୋଟିଏ ପଟେ ‘ବେଟି ବଚାଅ ଓ ବେଟି ପଢ଼ାଅ’ର ନାରା ଦିଆଯାଉଛି । କିନ୍ତୁ ବାସ୍ତବରେ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଛାଡ଼ି ଦିଆଯାଉଛି । ସରକାର ଗୃହ କମିଟି ଗଠନ କରି ଏସବୁର ତଦନ୍ତ କରିବାକୁ ଶ୍ରୀ ଦାସ ଦାବି କରିଥିଲେ । ଆଲୋଚନାରେ କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଦାଶ ଅଂଶଗ୍ରହଣ କରି ସରକାରଙ୍କୁ ସମାଲୋଚନା କରିଥିଲେ ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଥିଲେଯେ, ମହିଳାମାନେ ଘରୁ ବାହାରିବାକୁ ଡରିଲେଣି । ଏ ସରକାର ମହିଳା, ଛାତ୍ରଛାତ୍ରୀ ଓ ଦଳିତ ବିରୋଧୀ । ପିହୁକୁ ନେଇ ରାଜନୀତି କରୁଥିଲେ କିନ୍ତୁ ଏବେ କ’ଣ ପଦକ୍ଷେପ ନେଇଛନ୍ତି । ମହିଳା ଓ ଶିଶୁ ନିର୍ଯ୍ୟାତନା ନେଇ ସରକାର ଶ୍ୱେତପତ୍ର ଜାରି କରିବାକୁ କହିଥିଲେବି କରିନାହାନ୍ତି । ବିଜେପି କର୍ମୀମାନେ ଥାନାକୁ ଲିଜ୍ରେ ନେଇଛନ୍ତି । କର୍ମୀମାନେ ଅଫିସରଙ୍କୁ ଧମକାଉଛନ୍ତି । ସେମାନଙ୍କ ଦାଉରୁ ଥାନାକୁ ରକ୍ଷା କରନ୍ତୁ । ପୁଲିସକୁ ନିରପେକ୍ଷ କାମ କରିବାର ସୁଯୋଗ ଦେବାକୁ ସେ ଦାବି କରିଥିଲେ । ସେହିପରି ବିଧାୟକ ଗୌତମ ବୁଦ୍ଧ ଦାସ ବି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।
ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ କହିଲେଯେ, ମହିଳା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀଙ୍କ ନୈତିକ ଅଧିକାର ନାହିଁ । ଆଇନଶୃଙ୍ଖଳାକୁ ସେମାନେ ବିଧ୍ୱସ୍ତ କରିଦେଇଥିଲେ । ପୁଲିସକୁ ମୋଟର ସାଇକେଲ ନଦେଇ ହେଲିକପ୍ଟରରେ ବୁଲୁଥିଲେ । ସେହିପରି ବିରୋଧୀ ଦଳ କ୍ଷମତାରେ ଥିବାବେଳେ ଓଡ଼ିଶାକୁ ଦୁଷ୍କର୍ମ ହବରେ ପରିଣତ କରିଦେଇଥିଲେ ବୋଲି ବିଧାୟକ ସନାତନ ବିଜୁଳି କହିଥିଲେ । ଆଲୋଚନାରେ ବିଧାୟକ ଅମର ନାୟକ ଓ ସରୋଜ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।