ଓଡ଼ିଶା ହେବ ମାନୁଫାକ୍ଚରିଂ ହବ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଦିନରେ ଓଡ଼ିଶା ହେବ ମାନୁଫାକ୍ଚରିଂ ହବ୍ । ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ ଏମଓୟୁ ସ୍ୱାକ୍ଷରିତ ହୋଇଛି, ସେ ସବୁକୁ କାର୍ଯ୍ୟକାରୀ କରାଯିବ । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ ଯୁବବର୍ଗଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରାଯିବ । ଶିଳ୍ପପତି, ଶ୍ରମିକ ଓ ସରକାର- ଏହି ତିନି କ୍ଷେତ୍ର ମଧ୍ୟରେ ସମନ୍ୱୟ ରହିଲେ ପ୍ରଗତି ଆସିବ । ଖୋର୍ଦ୍ଧା ନିକଟବର୍ତ୍ତୀ ହଳଦୀପଦା ଠାରେ ବିଭିନ୍ନ ଶିଳ୍ପାନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଜି ଏଠାରେ ୧୩ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଗଲା ଓ ଗୋଟିଏ ଶିଳ୍ପର ଉଦ୍ଘାଟନ କରାଗଲା । ଏହି ୧୪ଟି ଶିଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ସେହିସବୁ ପ୍ରକଳ୍ପ ପୂର୍ଣ୍ଣକ୍ଷମ ହେଲେ ୩୭ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିର ସୁଯୋଗ ମିଳିବ । ପୋଷାକ ପ୍ରସ୍ତୁତି, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, କ୍ୟାପିଟାଲ ଗୁଡସ୍ ଓ ରେଳଚକ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ନିବେଶ କରାଯାଉଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଉ କୌଣସି ଅସୁବିଧା ନାହିଁ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଉତ୍କର୍ଷ ଓଡ଼ିଶା ମେକ-ଇନ ଓଡ଼ିଶା କନକ୍ଳେଭ ଆଶାଠାରୁ ଅନେକ ଗୁଣରେ ସଫଳତା ପାଇଛି । ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ସେଥିମଧ୍ୟରୁ ୧୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି । ଶିଳ୍ପାୟନର ସୁବିଧା ପାଇଁ ଆସନ୍ତା ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ଆମର ଲକ୍ଷ୍ୟ ରହିଛି । ଶିଳ୍ପାଞ୍ଚଳରେ ଦିନ୍ଦୟାଲ କର୍ମଚାରୀ ନିବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି । ଏମଏସଏମଇ କ୍ଷେତ୍ରରେ କାମ କରୁଥିବା ୧୫ରୁ ୨୦ ହଜାର ଶ୍ରମିକମାନଙ୍କ ପାଇଁ ୫ଟି ହଷ୍ଟେଲ କରାଯିବ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଶିଳ୍ପପତି ଓ ଶ୍ରମିକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଶିଳ୍ପପତି, ଶ୍ରମିକ ଓ ସରକାର ଏହି ତିନି କ୍ଷେତ୍ର ମଧ୍ୟରେ ସମନ୍ୱୟ ରହିଲେ ପ୍ରଗତି ଆସିବ । ଶିଳ୍ପ ତଥା ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଡ଼ି ହୋଇ ଅଛନ୍ତି ଓ ଓଡ଼ିଶାର ସମୃଦ୍ଧି ପାଇଁ ଦିନରାତି ଏକ କରି କାମ କରୁଛନ୍ତି । ଉତ୍କର୍ଷ ଓଡ଼ିଶା ଆୟୋଜନର ୨ ମାସ ମଧ୍ୟରେ ଆଜି ଏଠାରେ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଆମ ସରକାର ଯାହା କଥା ଦିଅନ୍ତି ତାହା ରଖନ୍ତି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରମୁଖ ଉଦବୋଧନ ଦେଇଥିଲେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିଥିଲେ ।