ଲଘୁଚାପ ସାରିଦେବ ଦଶହରା ସରାଗ


 ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି  । ଗୁଣୁପୁରରୁ ୫୦ କିଲୋମିଟର ପୂର୍ବ ଉତ୍ତର ପୂର୍ବ, ଗୋପାଳପୁରରୁ ୭୦ କିମି ପଶ୍ଚିମ, ଫୁଲବାଣୀରୁ ୧୩୦ କିମି ଦକ୍ଷିଣ, ଭବାନୀପାଟଣାରୁ ୧୩୦ କିମି ପୂର୍ବ ଦକ୍ଷିଣ ପୂର୍ବରେ ଏହା କେନ୍ଦ୍ରୀଭୂତ ହୋଇଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାକ ପକ୍ଷରୁ ଆକଳନ କରାଯାଇଛି  । ଯାହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  ।
ଏତଦବ୍ୟତୀତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ୍ ବି ଯାଇଛି  । ସେହିପରି ଆସନ୍ତା ୩୦ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟିହେବ  । ଯାହାର ପ୍ରଭାବରେ ଉତ୍ତର ଓ ତତସଂଲଗ୍ନ ବଙ୍ଗୋପସାଗରେ ଅକ୍ଟୋବର ପହିଲା ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବବୋଲି ଆକଳନ କରାଯାଇଛି  । ଫଳରେ ଦଶହରା ଓ ଭସାଣି ସବୁ ଫିକା ପଡ଼ିଯିବାର ଆଶଙ୍କା ରହିଛି  । 
ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଝଡ଼ବର୍ଷା ସହ ୪୦ କିମି ବେଗରେ ଝଟକା ପବନ ବହିବାର  ଥିବାରୁ ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଲଘୁଚାପ ଓ ଅବପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  । ଫଳରେ ମହାନଦୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଫୁଲିବାରେ ଲାଗିଛି  । ଜଳସମ୍ପଦବିଭାଗର ତଥ୍ୟ ଅନୁଯାୟୀ, ଖଇରମାଳ ଓ ନରାଜରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି  । ସେହିପରି ଆଳିପିଙ୍ଗଳ ଠାରେ ଦେବୀ ନଦୀ ବଢୁଥିବାବେଳେ ଇନ୍ଦୁପୁର ଠାରେ ବ୍ରାହ୍ମଣୀ ନଦୀ ବଢ଼ିବାରେ ଲାଗିଛି  । ଅପରପକ୍ଷରେ ଚନ୍ଦନପୁର, ବାରିପଦା, ବାଲିମୁଣ୍ଡଳୀ ଓ ଏନଏଚ ଗୋବିନ୍ଦପୁର ଠାରେ ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  । ସେପଟେ ଜାମସେଦପୁର, ଜାମଶୋଳାଘାଟ ଓ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଫୁଲୁଛି  । ମଥାନି ରୋଡ଼ ବ୍ରିଜ୍ ଠାରେ ଜଳକା ନଦୀର ଜଳ ବି ବଢୁଛି  । ଋଷିକୂଲ୍ୟା ନଦୀର ଜଳସ୍ତର ପୁରୁଷୋତ୍ତମପୁର ଠାରେ ବଢୁଥିବାବେଳେ ବଂଶଧାରାର ଜଳସ୍ତର ଗୁଣୁପୁର ଓ କାଶୀନଗର ଠାରେ ବଢ଼ିପାରେ ଲାଗିଛି  ।