ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ: ‘ସାମାଜିକ ସଦ୍ଭାବ ପ୍ରତିଷ୍ଠା କରେ ମଧ୍ୟସ୍ଥତା’

 ଭୁବନେଶ୍ୱର:  ଏହି ସମ୍ମିଳନୀରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି, ପ୍ରଧାନ ବିଚାରପତି ଭୂଷଣ ରାମକ୍ରୀଷ୍ଣା ଗଭାଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ବିଚାରପତି ହରିଶ କୁମାର ଟଣ୍ଡନ ଓ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉଦବୋଧନ ଦେଇଥିଲେ  । ଏହି ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ ଡକ୍ଟର କମ୍ଭମପଟି କହିଲେଯେ, ମଧ୍ୟସ୍ଥତାଦ୍ୱାରା କେବଳ ବିବାଦର ସମାଧାନ ହୁଏ ନାହିଁ ବରଂ ଏହା ବିଶ୍ୱାସ ଓ ସମ୍ପର୍କ ରକ୍ଷା କରିବା ସହ ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିଥାଏ  । ଓଡ଼ିଶା ଏଭଳି ଏକ ସମ୍ମିଳନୀର ଆୟୋଜନ କରିବା ଗର୍ବର କଥା  । ମଧ୍ୟସ୍ଥତା ଆଲୋଚନାର ସଂସ୍କୃତିକୁ ମଜବୁତ କରିଥାଏ  । ବିବାଦ ମଧ୍ୟରେ ଏହା ସେତୁ ଭଳି କାମ କରେ  । ଯାହାଦ୍ୱାରା ନିରପେକ୍ଷ ଓ ଦୀର୍ଘକାଳୀନ ସମାଧାନ କରିଥାଏ ବୋଲି ରାଜ୍ୟପାଳ କହିଥିଲେ  ।
ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ମଧ୍ୟସ୍ଥତା ଆଇନ୍ ୨୦୨୩ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ  । ନ୍ୟାୟ ବ୍ୟବସ୍ଥାରେ ଏହା ଏକ ବିକଳ୍ପରୁ ବିଶ୍ୱସନୀୟ ସ୍ତମ୍ଭ ଭାବେ ରୂପାନ୍ତରିତ ହୋଇଛି  । ଏହି ଆଇନ୍ କୋର୍ଟର ମାମଲାଗୁଡ଼ିକୁ ହ୍ରାସ କରିବାରେ ସହାୟକ ହୋଇପାରିବ  ।
ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଓ ବିକଳ୍ପ ବିବାଦ ସମାଧାନ କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ସେ କହିଥିଲେଯେ, ଭାରତର ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ମଧ୍ୟସ୍ଥତା ଏକ ଆଧାରଶୀଳା  । ନ୍ୟାୟିକ ବ୍ୟବସ୍ଥାରେ ଏହା କ୍ଷମତା, ଅନ୍ତର୍ଭୁକ୍ତିକରଣ ଓ ଆସ୍ଥା ବୃଦ୍ଧିକରିବ  । ମଧ୍ୟସ୍ଥତା ହେଉଛି ଆଲୋଚନା, ତାହା ବିବାଦ ନୁହେଁ  । ଯାହାକି ସେତୁ ସ୍ଥାପନ କରିବ, କିନ୍ତୁ କାନ୍ଥ ନୁହେଁ  । ଯଦି ମଧ୍ୟସ୍ଥତା ଜରିଆରେ ବିବାଦ ସମାଧାନ ହେବ ତେବେ ଏହା କୋର୍ଟଙ୍କୁ ଆଶ୍ୱସ୍ତ କରିବ  । ଲୋକମାନେ ବି ଖୁବ ସହଜରେ ନ୍ୟାୟ ପାଇପାରିବେ  । ମଧ୍ୟସ୍ଥତାକୁ ଏକ ପ୍ରକ୍ରିୟା ନୁହେଁ ବରଂ ଏହା ଏକ ଅଭିଯାନ ବୋଲି ସେ ମନେକରନ୍ତି  । ଶାନ୍ତି, ସଦଭାବ ଓ ନ୍ୟାୟ ପାଇଁ ଏହା ଏକ ଅଭିଯାନ  । ଏହି ସମ୍ମିଳନୀର ସମସ୍ତ ପରାମର୍ଶ ଓ ନିଷ୍କର୍ସକୁ ତାଙ୍କୁ ପଠାଇବାକୁ ସେ ଆଇନ୍ ବିଭାଗକୁ ପରାମର୍ଶ ଦେଇଥିଲେ  । 
ଅପରପକ୍ଷରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ କହିଥିଷଲଯେ, ମଧ୍ୟସ୍ଥତା ସେବାର ସମ୍ପ୍ରସାରଣ ପାଇଁ ଓଡ଼ିଶା ବହୁ ଫଳପ୍ରଦ ପଦକ୍ଷେପ ନେଇଛି  । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାରା ଦେଶରେ ମଧ୍ୟସ୍ଥତାକୁ ପ୍ରୋତ୍ସାହନ ପାଇଁ ସରକାର ଓ ବିଚାରବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ  । ଏହି ସମ୍ମିଳନୀରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କେଟରମଣୀ, ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯୋଗ ଦେଇଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବାର୍ତ୍ତାକୁ ଏଜି ଶ୍ରୀ ଆଚାର୍ଯ୍ୟ ପଢ଼ି ଶୁଣାଇଥିଲେ  । ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଧନ୍ୟବାଦ ଅର୍ପଣ କରିଥିଲେ  ।