ରାସନକାର୍ଡ ବିବାଦ : ଜିଲ୍ଲାପାଳଙ୍କୁ ଭେଟିଲେ ବିଧାୟକ
ଖୋର୍ଦ୍ଧା : ରାଜ୍ୟ ସରକାର ଆସନ୍ତା ୨୪ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ହିତାଧିକାରୀ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରେ ୩୦୦୦ରୁ ଉର୍ଦ୍ଧ ଆବେଦନ ପତ୍ର ପଡ଼ିଛି । ସେଥି ମଧ୍ୟରୁ ୧୪୦୦ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆସନ୍ତା ୨୪ ତାରିଖରେ ମାତ୍ର ୬ଜଣଙ୍କୁ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହାକୁ ନେଇ ସାରା ବ୍ଲକରେ ଅସନ୍ତୋଷ ଦେଖାଦେଇଛି । ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏକାଠି ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ସେମାନେ ବ୍ଲକ ସମ୍ମିଳନୀ କକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଥିଲେ । ବୋଲଗଡ଼ ବ୍ଲକରେ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ବିଡିଓଙ୍କୁ ପ୍ରଦାନ କରିବା ସହ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଯାଞ୍ଚ ହୋଇନଥିବା ଦରଖାସ୍ତକୁ ତୁରନ୍ତ ଯାଞ୍ଚ କରାଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର ନୀତି ପାଳନ କଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ପ୍ରଦୀପ କୁମାର ସାହୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କ୍ଷେତ୍ରରେ କେତେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି ତାହାକୁ ବୋଲଗଡ଼ ବ୍ଲକ ସମେତ ସମଗ୍ର ଜିଲ୍ଲା ବାସୀ ଅପେକ୍ଷା କରିଛନ୍ତି ।