ଲୋକସଭାରେ ଆଜି ଆଗତ ହେବ ନୂଆ ଆୟକର ବିଲ୍

ଲୋକସଭାରେ  ଆଜି ଆଗତ ହେବ ନୂଆ ଆୟକର ବିଲ୍

ଇନକମ୍ ଟ୍ୟାକ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆଜି ନୂଆ ଆୟକର ବିଲ୍  ୨୦୨୫ ତମାମ ସଂଶୋଧନ ପରେ ଲୋକସଭାରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଜି ଲୋକସଭାରେ ଆଗତ କରିବେ । ତେବେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ୨୮୫ଟି ସଂଶୋଧନ ପରେ ଏହି ବିଲକୁ ସଂସଦରେ ଆଗତ କରାଯାଉଛି । ଜାଣିରଖିବା ଉଚିତ ଯେ, ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଏହି ସଂଶୋଧନ ଗୁଡ଼ିକୁ ମଞ୍ଜୁରୀ ଦେଇଛି । ନୂଆ ଆୟକର ବିଲ୍ ସଂସଦରେ ପାସ୍ ହେଲେ, ଏହା  ୬୩ ବର୍ଷ ତଳର ପୁରୁଣା ଆୟକର ନିୟମର ସ୍ଥାନ ନେବ । ତେବେ ଆଜି ଆସନ୍ତୁ ଜାଣିବା ଏହି ନୂଆ ଆୟକର ବିଲ୍ ବର୍ତ୍ତମାନ ଥିବା ଆୟକର ନିୟମଠାରୁ କେତେ ଭିନ୍ନ...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ମୁତାବକ, ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ବୈଷୟିକ ଉନ୍ନତି ଏବଂ କ୍ରସ୍ ରେଫରେନ୍ସିଂକୁ ସାମିଲ କରାଯାଇଛି । ୨୮୫ଟି ସଂଶୋଧନ ପାଇଁ ସୁପାରିଶ କରାଯାଇଥିଲା, ଆଉ ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଛି ।  

୨୦୨୫ ମସିହା ଫେବ୍ରୁଆରି ୧୩ ତାରିଖରେ ଲୋକସଭାରେ ଆୟକର ବିଲ୍ ଆଗତ କରାଯାଇଥିଲା । ଏହାପରେ ଏହାର ଯାଞ୍ଚ ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୩୧ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିବାବେଳେ, ଏହି କମିଟି ସର୍ବମୋଟ ୨୮୫ଟି ପରାମର୍ଶ ଦେଇଥିଲା । ଏହାପରେ ଗତ ମାସରେ ଅର୍ଥାତ ୨୦୨୫ ମସିହା ଜୁଲାଇ ୨୧ ତାରିଖରେ କମିଟି ନିଜର ରିପୋର୍ଟ ଦାଖଲ କରିଥିଲା । ଆଉ ଏହାପରେ ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ସଂସଦରେ ଆଗତ କରିବେ । 

ନୂଆ ଆୟକର ବିଲ୍ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇ ଆସୁଥିବା ୧୯୬୧ ମସିହାର ଆୟକର ଆଇନର ଆକାରରେ ଅଧା । ବର୍ତ୍ତମାନ ଥିବା ଆଇନରେ ୮୧୬ଟି ଧାରା ଥିବାବେଳେ, ନୂଆ ବିଲରେ ଏ ସମ୍ପର୍କିତ ୫୩୬ଟି ଧାରା ରହିଛି । ଏହାସହ ନୂଆ ବିଲକୁ ଅଧିକ ସରଳ କରାଯାଇଛି ।