ଲୋଭୀର ନଥାଏ ବିଚାରଶକ୍ତି

ଆଜିକାଲି ବିଭିନ୍ନ ସହରର ଗଳିକନ୍ଦିରେ କିଛି ଲୋକ ୧୦ ଟଙ୍କାରେ ଏଲ୍ଇଡ଼ି ବଲ୍ବ ବିକ୍ରି କରୁଛନ୍ତି । ହେଲେ ଦୋକାନରେ ଏଲ୍ଇଡ଼ି ବଲବ୍ ଗୋଟା ପାଖାପାଖି ୧୦୦ ଟଙ୍କା । ପ୍ରାୟ ୩ ବର୍ଷ ତଳେ କେନ୍ଦ୍ର ସରକାରଙ୍କର ଉଜ୍ଜ୍ୱଳା ଯୋଜନାରେ ଏଲ୍ଇଡ଼ି ବଲ୍ବ ବିକ୍ରି ହେଉଥିଲା । ସେତେବେଳେ ତାହାର ରିହାତି ମୂଲ୍ୟ ଥିଲା ୬୫ରୁ ୭୦ ଟଙ୍କା । ଏହି ୯ ୱାଟ୍ର ବଲ୍ବ ଗୁଡ଼ିକ ପ୍ରକୃତରେ ଘରକୁ ଉଜ୍ଜ୍ୱଳ ମଧ୍ୟ କରୁଥିଲା । ଏହା ସହିତ ବିଜୁଳି ବିଲ୍ ମଧ୍ୟ କମ୍ ଆସୁଥିଲା । ତେଣୁ ଦୀର୍ଘ ୩-୪ ବର୍ଷ ଧରି ଏଲ୍ଇଡ଼ି ବଲ୍ବ ଉପରେ ଲୋକମାନଙ୍କର ଏକ ବିଶ୍ୱାସ ଆସିଯାଇଛି । ପରବର୍ତ୍ତୀ ସମୟରେ ଉଜ୍ଜ୍ୱଳା ଯୋଜନାରେ ସର୍ବସାଧାରଣଙ୍କୁ ଏଲ୍ଇଡ଼ି ବଲ୍ବ ଯୋଗାଇବା ବନ୍ଦ ହୋଇଗଲା । କିନ୍ତୁ ବିଭିନ୍ନ କମ୍ପାନୀ ଖୋଲା ବଜାରରେ ୯୦ରୁ ୧୦୦ ଟଙ୍କା ଦାମ୍ରେ ଏହାକୁ ବିକ୍ରି କରୁଛନ୍ତି । ଏପରି ସ୍ଥଳେ ଯଦି କେହି କହିବ ଯେ କମ୍ପାନୀ ପକ୍ଷରୁ ବିଶେଷ ରିହାତି ଦିଆଯାଇ ଏହି ବଲ୍ବ ମାତ୍ର ୧୦ ଟଙ୍କାରେ ବିକ୍ରି କରାଯାଉଛି, ତେବେ ଏକଥାକୁ ହଠାତ୍ କେହି ଅବିଶ୍ୱାସ କରିପାରିବେ ନାହିିଁ । ଯେହେତୁ କମ୍ପାନୀ ପକ୍ଷରୁ ରିହାତି ଦିଆଯାଉଛି ବୋଲି କୁହାଯାଉଛି, ତେଣୁ ଏହି ରିହାତିରେ ମାତ୍ର ୧୦ ଟଙ୍କାରେ ଏଲ୍ଇଡ଼ି ବଲ୍ବ ପାଇବା ପାଇଁ ଲୋକମାନେ ପରସ୍ପର ଭିତରେ ପ୍ରତିଯୋଗିତା ଆରମ୍ଭ କରିଦେବା ସ୍ୱାଭାବିକ । କିନ୍ତୁ ୧୦ ଟଙ୍କାରେ ଏହି ଏଲ୍ଇଡ଼ି ବଲ୍ବ ପାଇବାକୁ ହେଲେ ଏଥିପାଇଁ ଦୁଇଟି ସର୍ତ୍ତ ରହିଛି । ପ୍ରଥମଟି ହେଲା ଆଧାର କାର୍ଡ୍ ନମ୍ବର ଏବଂ ଫିଙ୍ଗର୍ ପ୍ରିଣ୍ଟ୍ ଦେବା ପାଇଁ ଏକ ବ୍ୟବସ୍ଥା । ଆଧାର କାର୍ଡ୍ ନମ୍ବର ସହିତ ଫିଙ୍ଗର୍ ପ୍ରିଣ୍ଟ୍ ନେବା ପାଇଁ ମୋବାଇଲ୍ରେ ଏକ ଛୋଟ ଡ଼ିଭାଇସ୍ ଲଗାଇ ସେଥିରେ ଫିଙ୍ଗର୍ ପ୍ରିଣ୍ଟ୍ ନିଆଯାଉଛି । ଏଲ୍ଇଡ଼ି ବଲ୍ବ ସହିତ ଫିଙ୍ଗର୍ ପ୍ରିଣ୍ଟ୍ର କଣ ସମ୍ପର୍କ କିମ୍ବା ଆଧାର କାର୍ଡ୍ର କଣ ସମ୍ପର୍କ, ତାହା କେହି ପଚାରୁ ନାହାନ୍ତି । ପରବର୍ତ୍ତୀ ସମୟରେ ଆଧାର ନମ୍ବର୍ ଏବଂ ଫିଙ୍ଗର୍ ପ୍ରିଣ୍ଟ ଦେଇଥିବା ଲୋକଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଉଛି । ଯେହେତୁ ବୁଲା ବିକାଳୀ ଭାବରେ ଏ ପ୍ରକାରର ଚାଲାଖି କରି ଲୋକଙ୍କ ଫିଙ୍ଗର୍ ପ୍ରିଣ୍ଟ୍ ସହିତ ଆଧାର ନମ୍ବର ଧୂର୍ତ୍ତମାନେ ନେଇ ଯାଉଛନ୍ତି, ତେଣୁ ସେମାନଙ୍କୁ ଧରିବା ମଧ୍ୟ ସମ୍ଭବପର ନୁହେଁ । କାରଣ ସେମାନଙ୍କର ନିର୍ଦ୍ଦିଷ୍ଟ ଦୋକାନ ମଧ୍ୟ ନାହିଁ କିମ୍ବା ଆଧାର ସହିତ ଫିଙ୍ଗର୍ ପ୍ରିଣ୍ଟ୍ ଦେଉଥିବା ଲୋକର ଠିକଣା ପଚାରୁନାହାନ୍ତି ଏବଂ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମଧ୍ୟ ରଖୁନାହାନ୍ତି । ତେଣୁ ୧୦ ଟଙ୍କାରେ ଏଲ୍ଇଡ଼ି ବଲ୍ବ ଦେବାର ଲୋଭ ଦେଖାଇ ଲୋକଙ୍କ ଠାରୁ ଫିଙ୍ଗର୍ ପ୍ରିଣ୍ଟ୍ ସହିତ ଆଧାର ନମ୍ବର ନେଇଯିବା ସହଜ ହେଉଛି । ଲୋକେ ମଧ୍ୟ ଲୋଭର ବଶବର୍ତ୍ତୀ ହେଲେ ନିଜର ବିଚାର ଶକ୍ତି ହରାଉଛନ୍ତି । 
ଅନ୍ୟପକ୍ଷରେ କୌଣସି ବି ପରିସ୍ଥିତିରେ ଅଜଣା ଲୋକଙ୍କୁ ନିଜର ଆଧାର ନମ୍ବର କିମ୍ବା ବ୍ୟାଙ୍କ୍ ଆକାଉଣ୍ଟ୍ ସମ୍ପର୍କିତ ବ୍ୟକ୍ତିଗତ ଗୋପନୀୟ ତଥ୍ୟକୁ କାହାରିକୁ ନ ଦେବା ପାଇଁ ବ୍ୟାଙ୍କ୍ ପକ୍ଷରୁ ଏବଂ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଲୋକମାନଙ୍କୁ ସତର୍କ କରାଯାଉଛି । ହେଲେ ୧୦ ଟଙ୍କାରେ ଏଲ୍ଇଡ଼ି ପାଇବାର ଲୋଭ ବିଚାରଶକ୍ତିକୁ ନଷ୍ଟ କରି ଦେଉଛି । ବିଭିନ୍ନ ସମୟରେ ସାଇବର୍ ଠକମାନେ ଅନେକ ପ୍ରକାରର ଫନ୍ଦିଫିକର କରି ଲୋକମାନଙ୍କ ଠାରୁ ସେମାନଙ୍କର ଆଧାର ନମ୍ବର୍ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ନେଇଯିବା ପରେ ବ୍ୟକ୍ତିଗତ ତଥ୍ୟର ସୂଚନା ଦେଇଥିବା ବ୍ୟକ୍ତିଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି ହୋଇ ଯାଇଥିବା ଭଳି ଅନେକ ଅଭିଯୋଗ ଆସିଛି । କେତେବେଳେ ଏଟିଏମ୍ କାର୍ଡ୍ କ୍ୟାନ୍ସଲ୍ ତ ଆଉ କେତେବେଳେ ଆକାଉଣ୍ଟ ଅଚଳ ହୋଇଯିବାର ଭୟ ଦେଖାଇ ସାଇବର ଠକମାନେ ବ୍ୟକ୍ତିଗତ ଇ-ମେଲ୍ ପାସ୍ୱାର୍ଡ୍, ଓଟିପି, ଆଧାର ନମ୍ବର ଆଦି ସେୟାର କରି ଦେଉଛନ୍ତି । ପ୍ରତିଦିନ ନୂଆ ନୂଆ ଉପାୟ ସାଇବର ଠକମାନେ ବାହାର କରୁଛନ୍ତି । ତେଣୁ ନିଜେ ସାବଧାନ ନହେଲେ କେହି କାହାକୁ ସୁରକ୍ଷା ଦେଇପାରିବେ ନାହିଁ ।