ଶିକ୍ଷା ହେଉଛି ବିକଶିତ ଭାରତ ପରିକଳ୍ପନାର ମୂଳଦୁଆ
(ଏଜେନ୍ସି) ନୂଆଦିଲ୍ଲୀ /ଭୁବନେଶ୍ୱର: ନିରନ୍ତର ବିକାଶ ଓ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟର ଶିକ୍ଷା ମନ୍ତ୍ରୀମାନଙ୍କ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାନବ ସମ୍ବଳ ବିକାଶକୁ ପ୍ରାଥମିକତା ଗ୍ଲୋବାଲ ସାଉଥର ଦୃଷ୍ଟିକୋଣ କଥାବସ୍ତୁ ଉପରେ ଆୟୋଜିତ ଏହି ଅଧିବେଶନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗ୍ଲୋବାଲ ସାଉଥ ଔପନିବେଶିକ ଇତିହାସ, ସାମାଜିକ-ଆର୍ଥିକ ଆକାଂକ୍ଷା, ସମୃଦ୍ଧ ଜୀବନ୍ତ ସଂସ୍କୃତି ଓ ଅପାର ସମ୍ଭାବନାର ଏକ ପରିଚୟକୁ ପ୍ରତିଫଳିତ କରୁଛି । ଏହି ପରିପ୍ରେକ୍ଷୀରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା କେବଳ ଦକ୍ଷତା ପ୍ରଦାନ ପାଇଁ ନୁହେଁ ବରଂ ପ୍ରତିଭାକୁ ଚିହ୍ନଟ କରିବା, ଅଭିନବ ଉଦ୍ୟମକୁ ପ୍ରୋସôାହିତ କରିବା ଓ ସ୍ଥିର ସମୁଦାୟ ଗଠନ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ । ନିରନ୍ତର ବିକାଶ ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ଭାବରେ କାର୍ଯ୍ୟ କରିପାରିବ । ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ପରିକଳ୍ପନାର ମୂଳଦୁଆ । ତାଙ୍କ ନେତୃତ୍ୱରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହୋଇଛି । ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ଦସ୍ତାବିଜ୍, ଯାହା ସର୍ବବ୍ୟାପୀ, ସର୍ବସ୍ପର୍ଶୀ ତଥା ବହମୁଖୀ ଶିକ୍ଷା ବ୍ୟବସ୍ଥାକୁ ପ୍ରୋସôାହିତ କରେ । ଏହି ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।