ଶିମିଳିପାଳରେ ଶିକାରୀ ଆତଙ୍କ
ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ରହିଛି ଶିମିଳିପାଳ ଜୈବ ମଣ୍ଡଳ । ଏହା କେବଳ ମୟୁରଭଞ୍ଜ ଜିଲ୍ଲାରେ ସୀମିତ ନୁହେଁ । ବାଲେଶ୍ୱର, କେନ୍ଦୁଝର, ଝାରଖଣ୍ଡର ସିଂହଭୂମ ଆଦି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି ଜୈବ ମଣ୍ଡଳ ବ୍ୟାପ୍ତ ହୋଇ ରହିିଛି । ଏହି ଜୈବ ମଣ୍ଡଳ ଭିତରେ ଘଞ୍ଚ ଜଙ୍ଗଲ ଅନେକ ସ୍ଥାନରେ ରହିଛି । ଏହି ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ପ୍ରକାରର ଜଙ୍ଗଲରେ ବାସ କରୁଥିବା ପଶୁପକ୍ଷୀ, ସରୀସୃପ ଆଦି ରହିଛନ୍ତି । ତେବେ ଏହି ଶିମିଳିପାଳ ଜୈବ ମଣ୍ଡଳ ଭିତରେ କଳା ମହାବଳ ବାଘ ରହିଥିବା ଦେଖାଯାଇଛି । କଳା ମହାବଳ ବାଘ ସାଧାରଣତଃ ଅନ୍ୟାନ୍ୟ ଜୈବ ମଣ୍ଡଳରେ ଦେଖାଯାଆନ୍ତି ନାହିଁ ଏବଂ ଏହି ବିରଳ ପ୍ରାଣୀଟି ଦିନକୁ ଦିନ ସଂଖ୍ୟା କମି କମି ବିଲୁପ୍ତ ହେବାକୁ ଯାଉଛି । ଶିମିଳିପାଳ ଜୈବ ମଣ୍ଡଳର ଅରଣ୍ୟରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ବିରଳ କଳା ମହାବଳ ବାଘର ଉପସ୍ଥିତି ଜଣାପଡ଼ିବା ପରେ ଏହି ବାଘଙ୍କର ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି । ତେବେ ଏ କ୍ଷେତ୍ରରେ ବନ୍ୟଜନ୍ତୁ ଶିକାରୀମାନେ ଲୁଚି ଛପି ଜଙ୍ଗଲ ଭିତରେ ପଶି ବିଭିନ୍ନ ବନ୍ୟ ପଶୁପକ୍ଷୀଙ୍କୁ ଶିକାର କରୁଛନ୍ତି । ଏଥିମଧ୍ୟରୁ ମହାବଳ ବାଘ ଏବଂ କଳା ମହାବଳ ବାଘ ଅନ୍ୟତମ । ଏଇ ଅଳ୍ପ ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ପରିସର ମଧ୍ୟରେ ପ୍ରବେଶ କରି କିଛି ଶିକାରୀ ବାଘଟିକୁ ମାରି ଖାଇ ଦେଇଥିଲେ । ଏହାର ଚମଡ଼ା, ନଖ, ଦାନ୍ତ ଆଦିକୁ ବିକ୍ରି କରିବା ପାଇଁ ଯୋଜନା ମଧ୍ୟ କରୁଥିଲେ । ଏହିଭଳି ପରିସ୍ଥିତିରେ ଜଙ୍ଗଲ ବିଭାଗ କୌଣସି ମତେ ସୂଚନା ପାଇ କଳା ମହାବଳ ବାଘର ଛାଲକୁ ଜବତ୍ କରିବା ସହିତ ନଖ, ଦାନ୍ତ, ହାଡ଼, ନିଶ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ୍ କରିଥିଲେ । ଏ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲାଣି ।
ଶିମିଳିପାଳ ଜୈବ ମଣ୍ଡଳ ଅଭୟାରଣ୍ୟ ମଧ୍ୟରେ ଅନେକ ଗ୍ରାମ ଏବଂ ଜନବସତି ରହିଛି । ତେଣୁ ଅଭୟାରଣ୍ୟକୁ ଜଗିବା ସମ୍ଭବ ହୋଇ ପାରୁନାହିଁ । ଅଭୟାରଣ୍ୟ ପରିସର ମଧ୍ୟରୁ ଜନବସତିକୁ ହଟାଇବା ମଧ୍ୟ ସମ୍ଭବ ନୁହେଁ । ଶହ ଶହ ଗ୍ରାମ ଏହି ଜୈବ ମଣ୍ଡଳ ଭିତରେ ରହିଥିବାରୁ ସେମାନଙ୍କୁ ଏଠାରୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ । ଚୈତ୍ର, ବୈଶାଖ ମାସରେ ଏହି ଜୈବ ମଣ୍ଡଳ ଭିତରେ ରହିଥିବା କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଧିବାସୀମାନେ ଅଖଣ୍ଡ ଶିକାର ନାମରେ ଦଳବଦ୍ଧ ହୋଇ ଜଙ୍ଗଲରେ ପଶି ସମ୍ମୁଖରେ ଯେଉଁ ପଶୁକୁ ପାଇଲେ ତାକୁ ମାରିଦିଅନ୍ତି । ଏହା ସେମାନଙ୍କର ଏକ ପରମ୍ପରା ଭାବରେ ଚଳି ଆସିଥିଲା । ବର୍ତ୍ତମାନ ଏହି ଅଖଣ୍ଡ ଶିକାର ପରମ୍ପରାକୁ ବନ୍ଦ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଜଙ୍ଗଲରେ ପଶୁପକ୍ଷୀଙ୍କର ରହିବା ସେମାନଙ୍କର ଅଧିକାର ବୋଲି ଲୋକମାନଙ୍କୁ ବୁଝାଇ ଦେଇ ସେମାନଙ୍କର ଶିକାରକୁ ଅପରାଧ ଭାବରେ ପ୍ରଚାର ମଧ୍ୟ କରାଯାଉଛି । ଏସବୁ ସତ୍ତ୍ୱେ ଲୁଚାଛପାରେ ଅଖଣ୍ଡ ଶିକାର କିଛି ସମ୍ପ୍ରଦାୟର ଲୋକମାନେ କରି ଚାଲିଛନ୍ତି । ଦୀର୍ଘ ବର୍ଷ ହେଲା ହାତୀମାନଙ୍କ କ୍ଷେତ୍ରରେ ଅନେକ ବିପଦ ମନୁଷ୍ୟ ଠାରୁ ହିଁ ଆରମ୍ଭ ହୋଇଛି । ହାତୀର ଦାନ୍ତ କଳା ବଜାର ବିକ୍ରି କରିବା ଉଦେ୍ଦଶ୍ୟରେ ହାତୀମାନଙ୍କର ହତ୍ୟାକୁ ଚୋରା ବେପାରୀମାନେ କରୁଥିବା ବେଳେ ଏହାକୁ ରୋକିବା କ୍ଷେତ୍ରରେ ବନ ବିଭାଗକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଜୁଳି ତାରରେ କରେଣ୍ଟ୍ ସଂଯୋଗ କରି ହାତୀ ମାନଙ୍କର ଯିବା ଆସିବା ପଥରେ ବିଦୁ୍ୟତ୍ ଫାଶ ବସାଇ ହାତୀ ଶିକାର କରୁଥିବା ଏକ ବହୁ ପୁରୁଣା ପଦ୍ଧତି ଉପରେ ମଧ୍ୟ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ହାତୀଦାନ୍ତ କାରବାରରେ ଲିପ୍ତ ଥିବା ଶିକାରୀ ଏବଂ ଚୋରା ବେପାରୀଙ୍କୁ ଗିରଫ କରାଯାଇ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯାଇଛି । ଏସବୁ ସତ୍ତ୍ୱେ ଶିମିଳିପାଳ ଜୈବ ମଣ୍ଡଳ ବର୍ତ୍ତମାନ ବନ୍ୟପ୍ରାଣୀମାନଙ୍କ ପାଇଁ ଆଉ ନିରାପଦ ଆଶ୍ରୟସ୍ଥଳ ହୋଇ ରହିନାହିଁ । କେବଳ ଜନଚେତନା ମାଧ୍ୟମରେ ବନ୍ୟପ୍ରାଣୀମାନଙ୍କର ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ ।