ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ଶୋଭନାଙ୍କୁ ପାଛୋଟି ଆଣିବା ପାଇଁ ପଦ୍ମଶିବ ଆଉ ଡୋମିନିକର ସ୍ତ୍ରୀ ଯାଇଥିଲେ । ପଦ୍ମଶିବର ସ୍ତ୍ରୀ ପତଳୀ, କିନ୍ତୁ ତାଙ୍କ ଛୁଆ ଦୁହେଁ ବେଶ ଚଳଚଞ୍ଚଳ । ଶୋଭନା ଆଉ ଅନ୍ୟମାନେ ଚାଲି ଚାଲି ଆସୁଥିଲାବେଳେ ଛୁଆଦୁହେଁ ଡେଇଡେଇଁ ଆସୁଥିଲେ । ସେମାନଙ୍କପାଇଁ ଆଜି ଏକ ବଡ ଦିନ । ଡୋମିନିକର ସ୍ତ୍ରୀ ଏକ ସୁନ୍ଦର ଶାଢି ପିନ୍ଧିଥିଲେ । ସେ ଅନ୍ୟ ନିକୋବରୀ ମହିଳାଙ୍କ ଠାରୁ ପତଳୀ । ସ୍କୁଲରେ ପାଠ ପଢାଉଥିବାରୁ ବେଶ ମାର୍ଜ୍ଜିତ କଥାବାର୍ତ୍ତା କରନ୍ତି । ଶୋଭନା ଏକ ସାଲୱାର କମିଜ ପିନ୍ଧିଥିଲେ । ତାଙ୍କର ଲମ୍ବା ସିଧାବାଳ ପଛୁଆ ହୋଇ କୁଣ୍ଡା ଯାଉଥିଲା ଆଉ ସାଇଜରେ ରଖିବାପାଇଁ ସେ ସେଥିରେ ଏକ ବ୍ୟାଣ୍ଡ ଲଗାଇ ଦେଇଥିଲେ । 
କୋଠରୀରରେ ଶୋଭନାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଗଲା । ପ୍ରସାଦବାବୁ ଆଉ ଡୋମିନିକ ସବୁ କାମ ଅତି ଶୃଙ୍ଖଳାର ସହ କରାଉଥିଲେ । ଡୋମିନିକ ମୋଟେ ସ୍ଥିର ହୋଇ ବସୁନଥିଲେ । ସବୁବେଳେ ତାଙ୍କ ଗୋଡ ଚାଲୁଥିଲା ଆଉ ସେ ସବୁକାମକୁ ଠିକ ଭାବେ କରାଉଥିଲେ । ଡୋମିନିକ ଯୁବ ରେଞ୍ଜ ଅଫିସର । ତାଙ୍କର ଶୃଙ୍ଖଳା, ନିଷ୍ଠା ପ୍ରଶଂସାଯୋଗ୍ୟ । ଦେହଟା ଅନ୍ୟ ନିକୋବରୀଙ୍କଠାରୁ ପତଳା, ରଙ୍ଗ ବେଶ ଗୋରା, ଆଉ ସେ ଅତି ଚଞ୍ଚଳ ରହୁଥିଲେ ।

ଗୀତ ଆସରର ଉପସ୍ଥାପିକା ସ୍ମାର୍ଟ ଲାଗୁଥିଲେ । ସେ ଗୀତ ଗାଇବାକୁ ଆସୁଥିବା ଅତଥିଙ୍କ ପରିଚୟ ଭଲଭାବେ ଦେଉଥିଲେ ଓ ତା’ ସହ କେଉଁ ଗୀତ ଗାଇବେ ତାହା କହୁଥିଲେ । ଗୀତ ଗାଇବାକୁ ଆସୁଥିବା ସ୍ଥାନୀୟ କଳାକାରମାନେ କେହି ଅଲଗା ନୁହଁନ୍ତି, ଅଫିସର ଷ୍ଟାଫ ବା ସେମାନଙ୍କ ଦ୍ୱାର ନିମନ୍ତ୍ରିତ କରାଯାଇଥିବା କିଛି ଅତିଥି । ହଲରେ ଛୁଆମାନେ ଆଗ ଚେଆରମାନ ଅଧିକାର କରିନେଇଥିଲେ । ଛୁଆମାନଙ୍କର ସବୁଠାରୁ ବେଶି ଅଧିକାର ଥାଏ । ପଦ୍ମଶିବର ଛୁଆ ଦୁହେଁ ଅସୀମଙ୍କ ପାଖରେ ବସି ପଡିଲେ । ମହିଳା ଆଉ ପୁରୁଷମାନେ ଅଲଗା ଅଲଗା ହୋଇ ବସିଥିଲେ । ଅତିଥିମାନଙ୍କ ଭିତରେ ସ୍ଥାନୀୟ ନନ୍‌ମାନେ ମହିଳାଙ୍କ ଧାଡିରେ ବସିଥିଲେ । ସେମାନେ ନିଜ ଶରୀରକୁ ଶାଢି ଆଉ ବ୍ଲାଉଜରେ ଖୁବ ଭଲବାବେ ଆବୃତ୍ତ କରି ରଖିଥିଲେ । ନନ୍‌ମାନଙ୍କର ବ୍ୟବହାର ଅତି ସଂଜତ ଆଉ ଭଦ୍ର ଥିଲା । ସେମାନେ ବହୁ ଶୃଙ୍ଖଳା ମାନନ୍ତି । ସ୍ଥାନୀୟ ଚର୍ଚ୍ଚର ଫାଦର ମଧ୍ୟ ଆସିଥିଲେ । ସେ ପାଦ୍ରୀର ପୋଷାକ ନପିନ୍ଧି ସାଧାରଣ ପୋଷାକ ପିନ୍ଧିଥିଲେ । ଫରେଷ୍ଟରେ କାମକରୁଥିବା ଲୋକମାନେ ମୁଖ୍ୟତଃ ରଞ୍ôଚବାସୀ ବା ନିକୋବରୀ ଆଉ ସେମାନେ ଖ୍ରଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି । କେଉିଁ ବି ବଡ ପର୍ବ ପର୍ବାଣିରେ ଫାଦର ତଥା ନନମାନେ ନିମନ୍ତ୍ରିତ ହୁଅନ୍ତି ।  ପ୍ରଥମ ଗୀତ ଗାଉଥିବା ଝିଅଟି ଥିଲା ପତଳୀ, ଆଉ ତା’ର ଗଠଣ ଭଲ ଥିଲା । ସାମାନ୍ୟ ରଙ୍ଗ ମଉଳା ହେବା ସତ୍ତେ୍ୱ ଝିଅଟିର ମୁହଁର ଭାଙ୍ଗ କମନୀୟ ଥିଲା । ତା’ କଣ୍ଠରୁ ଗୀତ ଝରି ଆସିଲା । ଝିଅଟି ବଡ ମଧୁର ସ୍ୱରରେ ଗୀତ ଗାଉଥିଲା । ତା’ ଗୀତ ସହ ତାବଲା ବାଦକର ଦେହର ଭଙ୍ଗୀ ଯେମିତି ନୃତ୍ୟ କରୁଥିଲା । କେତେବେଳେ ତାବଲା ବାଦକର ବାଳ ଡୁବି ତାବଲାକୁ ଘୋଡାଇପକାଉଥିଲା ତ କେତେବେଳେ ସାମାନ୍ୟ ଭାବରେ ମୁଣ୍ଡ ଉଠିଯାଉଥିଲା । ଝିଅଟିର ଗୀତରେ ତାବଲାବାଦକ ନିଜକୁ ଯେମିତି ପୂରା ହଜାଇ ଦେଇଥିଲା । ହାରମୋନିଅମ ବାଦକ ଠିଆହୋଇ ହାରମୋନିଅମ ଧୀରେ ବଜାଉଥିଲେ । ତାଙ୍କ ଦେହର ଭଙ୍ଗୀ ସାଧାରଣ ଥିଲା । କାସିଓରେ ସୁର ଦେଉଥିବା ବ୍ୟକ୍ତି ଜଣଙ୍କ ଠିକ ଭାବରେ ସୁର ଦେଇପାରୁଥିଲେ । ତାଙ୍କ ବୟସ ଅନ୍ୟମାନ ଠାରୁ ଅଧିକ । ବାଳ ସାମାନ୍ୟ ପତଳା ହୋଇଆସିଛି । କିନ୍ତୁ ତାଙ୍କ ଦ୍ୱାରା ବଜାଯାଉଥିବା କାସିଓରୁ ମଧୁର ସ୍ୱର ଭାସି ଆସୁଥିଲା । ଅସୀମଙ୍କ ଅଫିସରେ କାମ କରୁଥିବା ପରବୀନ ନାମକ ତରୁଣୀ ବହୁତ ମଧୁର କଣ୍ଠରେ ଗୀତ ଗାଉଥିଲା । ସେ ଝିଅଟି ଏତେ ପାଖରେ ଥିଲ କିନ୍ତୁ ତା’ ଭିତରେ ଏତେ କଳା ଲୁଚି ରହିଥିଲା ତାହା ଅସୀମ ଜାଣିନଥିଲେ । ସେହି ତରୁଣୀଟି ଏକ ଚମକ୍ରାର ଫିକା ଲାଲ ସହ ନୀଳ ହାତଥିବା ଚୁଡିଦାର ପିନ୍ଧିଥିଲା । 

ଏମିତି ଗୀତର ଆସର ବହୁ ସମୟ ଚାଲିଲା । ସବୁ କଳାକାର ନିଜ ନିଜ ହିସାବରେ ଗୀତ ଗାଇଲେ । ରାମଦାସ ସବୁଠାରୁ ମଧୁର ଭାବେ ଗୀତ ଗାଉଥିଲେ । ରାମଦାସ ୪୧ କିମି କଚ୍ଛପ କ୍ୟାମ୍ପରେ କାମ କରନ୍ତି । ସେଠି ଲୋକଙ୍କର ଚଳପ୍ରଚଳ ବେଶି ନାହିଁ । କ୍ୟାମ୍ପରେ ଜଗାରଖା, କଚ୍ଛପମାନଙ୍କର ଗଣା ଇତ୍ୟାଦି କାମରେ ବ୍ୟସ୍ତ ରୁହନ୍ତି । କାମଟା ସେତେ କଠିନ ନଲାଗିପାରେ । କିନ୍ତୁ ଲୋକମାନଙ୍କ ଠାରୁ ଦୂରରେ କ୍ରମାଗତ ରହି ଜଗାରଖା କରିବା ସହଜ ନୁହେଁ । ମଣିଷ ଯାହାହେଲେ ବି ଏକ ସାମାଜିକ ପ୍ରାଣୀ । ଏମିତି ନିର୍ଜ୍ଜନରେ ରହିବାକୁ ଏହି ଗୀତମାନ ଯାହା ସାଥି ଦେଉଥିବ । ରାମଦାସଙ୍କର ଛୋଟ ଶ୍ୟମାଳ ଶରୀର ଗୀତରେ ମଗ୍ନ ହୋଇଯାଇଥିଲା । ଦର୍ଶକମାନେ ସକ ଛୋଟ ମହଲରେ ଯେମିତି ସଙ୍ଗୀତର ମାଧୁର୍ଯ୍ୟରେ ଡୁବାଇ ଦେଇଥିଲେ ।

“ଭୁଲିଯାଅ କାଲିକୁ, ତୁମେ ଯାହା ଛାଡି ଆସିଥିଲ । ଭୁଲିଯାଅ କାଲିକୁ, ତୁମପାଇଁ ଅପେକ୍ଷା କରିକି ରହିଛି ।”- ଅସୀମଙ୍କ ଭିତରେ କିଏ ଗାଉଥିଲା । ସେ ସୁର କେମିତି ହେବ ସେ ବିଷୟରେ ଭାବିଚାଲିଲେ । 
“କେବଳ ଏହି ଯେ ମୁହୁର୍ତ୍ତ । ପାଣି ଧାରରେ ତୁମେ ବସି ଯେ ରହିଛ । ପାଣି ବୋହି ତ ଯାଉଛି ।”- କାନକୁ ତାଙ୍କର କିଛି ଏମିତି କାବ୍ୟିକ ଭାବ ଆସୁଥିଲା ।
“ଅସୀମ, ଚାଲିଚାଲି ଯାଅ, ପାଦ ତୁମର ଯେତେ ବାଟ ତୁମକୁ ନେଇଯାଇପାରେ ।”-ତାଙ୍କ ଭିତରେ ଆଉ କିଛି ନୂଆ ବାକ୍ୟ ଗଢିଉଠେ । 
ଋାଞ୍ôଚ ଲୋକମାନେ କ୍ୟାମ୍ପବେଲ ବେରେ ଅନେକ ଥିଲେ । ସେମାନେ ଜଙ୍ଗଲରେ ବହୁତ ଚାଲନ୍ତି । କେଉଁ କେବେ ସୁଦୂର ଓଡିଶା-ଝାଡଖଣ୍ଡ-ଛତିଶଗଢ ସୀମାନ୍ତରୁ ସେମାନଙ୍କୁ ଜଙ୍ଗଲ ଆଉ ଅନ୍ୟ କଠିନ ଶ୍ରମ ଦରକାର କରୁଥିବା କାମ ପାଇଁ ଅଣାଯାଇଥିଲା । ସେମାନେ କର୍ମଠ ଲୋକ, କାମକୁ ମୋଟେ ଡରନ୍ତିନି,ସବୁ କାମ ନିଖୂଣ ଭାବେ କରନ୍ତି ଆଉ ବ୍ୟବହାର ଅତି ଭଦ୍ର । ଆନୁଗତ୍ୟ ମଧ୍ୟ ପ୍ରଶଂସାଯୋଗ୍ୟ । କ୍ୟାମ୍ପବେଲ ବେରେ ଅନ୍ୟମାନଙ୍କୁ ସେମାନଙ୍କ ଉପରେ ସବୁ ଛୋଟମୋଟ କାମପାଇଁ ନିର୍ଭର କରିବାକୁ ପଡେ । ଯେତେ କଠିନ କାମ ହେଲେ ମଧ୍ୟ ସେମାନେ ବିନା ପ୍ରତିବାଦରେ ଖୁସିରେ କରିଦେଇଥାନ୍ତି । ଯେମିତିକି ସେମାନେ ମେସିନ, ଜୀବନ କେବଳ କାମ ପାଇଁ ଗଢା ହୋଇଛି ।

ଏତେ ଚାଲିବା ପରେ ଆଉ କ’ଣ କିଛି ଦରକାର ହୁଏ?
ଏକ ଆମନ୍ତ୍ରଣ । ଅସୀମ ଆଉ ଶୋଭନାଙ୍କୁ କିଛି କିଛି ଉତ୍ସବରେ ନିମନ୍ତ୍ରଣ ମିଳିଯାଏ । ସେଦିନ ଏକ ପୁରସ୍କାର ବିତରଣରେ ଅତିଥି ହେବା ପାଇଁ ଚର୍ଚ୍ଚରେ ସେମାନଙ୍କୁ ନିମନ୍ତ୍ରଣ ଥିଲା । ଚର୍ଚ୍ଚ ଖ୍ରୀଷ୍ଟିଆନ ଲୋକଙ୍କ ଧର୍ମସ୍ଥଳୀ । ଅସୀମଙ୍କ ଅଧୀନରେ ବହୁ ରାଞ୍ôଚ ଲୋକ ମଧ୍ୟ ଅଛନ୍ତି । ଏହି ରାଞ୍ôଚ ନିବାସୀଗଣ ପ୍ରାୟ ଶତ ପ୍ରତିଶତ ଖ୍ରୀଷ୍ଟିଆନ । ନିଜର ଷ୍ଟାଫମାନଙ୍କ ଅନୁରୋଧ ଆଉ ଫାଦରଙ୍କ ଅନୁରୋଧ ପରେ ଅସୀମ ସେଠାକୁ ଯିବାକୁ ଚାହିଁଲେ । ନିଜ ସହକର୍ମୀଙ୍କର କିଛି ମୁଖ୍ୟ ପର୍ବପର୍ବାଣିରେ ଉପସ୍ଥିତ ରହିଲେ ସେମାନେ ଖୁସି ହୁଅନ୍ତି ଆଉ ପରେ ସେମାନଙ୍କର କାମପାଇଁ ଉତ୍ସାହ ବଢିଯାଏ । ଏକ ବଡ ଆୟୋଜନ ହୋଇଥିଲା ।ଚର୍ଚ୍ଚକୁ ସୁନ୍ଦର ଭାବେ ସଜାଯାଇଥିଲା । ଉପରେ ଥିଲା ବଡ ସାମିଆନା ଆଉ ବସିବା ପାଇଁ ଚୌକି ପଡିଥିଲା ଏବଂ ବହୁ ଲୋକ ଜମା ହୋଇଥିଲେ । ସମସ୍ତେ ନିଜ ସାଧ୍ୟ ମୁତାବକ ଭଲ କପଡା ପିନ୍ଧିଥିଲେ । ରାଞ୍ôଚ ଲୋକମାନେ ପ୍ରାୟ ଶ୍ରମିକ ଶ୍ରେଣୀୟ, ଅତି ସାଧାରଣ ଚାଲି ଚଳଣି । ଖୁସିରେ ରୁହନ୍ତି, ଜଙ୍ଗଲରୁ ଶାଗ ଭାଜି, ସମୁଦ୍ରରୁ ତଥା ନାଳରୁ ମାଛ କଙ୍କଡା ଆଦି ମଧ୍ୟ କେବେକେବେ ସଂଗ୍ରହ କରନ୍ତି । ସନ୍ଧ୍ୟାରେ ହାଣ୍ଡିଆ ପିଅନ୍ତି । 
ଅସୀମ ଚେଆରରେ ବସି ସେହି ରାଞ୍ôଚ ଲୋକମାନଙ୍କୁ ଅନାଇଲେ । ସେମାନଙ୍କୁ ଦେଖି ସେ ସମୁଦ୍ରକୂଳରେ ଲାଗିଥିବା ଏକ ବଡ ବୋଟର କଥା ଭାବୁଥିଲେ । ଯେମିତି ଗତକାଲି ଅପରାହ୍ନରେ ବୋଟଟି ସେମାନଙ୍କ କଲୋନୀ ପଛ ଉପକୂଳରେ ଲାଗିଥିଲା । କିଛି ଲୋକଙ୍କ ସହ ସତେ ଯେମିତି କେଉଁଠୁ ଭାସିଆସିଛି ଆଉ ଲୋକମାନେ କୂଳରେ ଓହ୍ଲାଇ ଯାଇଛନ୍ତି । ପଛରେ ଅଛି ଉଜ୍ଜ୍ୱଳ ଆକାଶ । ଆକାଶରେ କିଛି ସୁନେଲୀ ବାଦଲ ମୁଣ୍ଡ ଟେକିଛି ଓ ସୁନେଲୀ, କମଳା ରାଙ୍ଗର ଆଭା ଆକାଶ ସାରା ବୁଲିଯାଇଛି । ତଳ ପାଣି କିଛିଟା କମଳା ଦେଖାଯାଉଛି । ନୀଳ ପାଣି ମୋଟେ ଗଭୀର ଜଣା ପଡୁନି । ସମୁଦ୍ରରେ ଏତେ ପାଣି ଅଛି ବୋଲି ମୋଟେ ଜଣା ପଡୁନି । ଆଉ କୂଳରେ ଛୋଟ ଛୋଟ ଲହଡି ଭାଙ୍ଗି ପଡୁଛି । ବୋଟର ନଙ୍ଗରକୁ ଓହ୍ଲାଇ ଦିଆଯାଇଛି ଆଉ ବୋଟ ଏତେ ପାଖରେ ଅଛି ଯେ ଜଣେ ସହଜରେ ତଳକୁ ଓହ୍ଲାଇଯାଇ ପାଣିରେ ସାମାନ୍ୟ ପଶି କୁଳରେ ପହଞ୍ôଚଯାଇ ପାରିବ । ତାଙ୍କୁ ଲାଗୁଥିଲା କ୍ୟାମ୍ପବେଲ ବେରେ କିଛି ଲୋକ ସାମାନ୍ୟ ଲହଡିରେ ନାଚୁଛନ୍ତି କୁଦୁଛନ୍ତି ଆଉ ଚାଲି ମାଟିରେ ପହଞ୍ôଚଯାଇ ଆହ୍ଲାଦିତ ହେଉଛନ୍ତି ।

“ସେହି ରାଞ୍ôଚ ଲୋକମାନେ ।”- ତାଙ୍କ ଭିତରେ କିଏ ନିଶ୍ଚିତ ହୋଇ କହୁଥିଲା । 
ତାଙ୍କୁ ଅନେକ କଳାକଳା ଗୋଡ ଦେଖାଗଲା । ସେମାନେ ଅନେକ ଚାଲିଛନ୍ତି । ଏବେ ଏକ ବୋଟରେ ଭାସି ଆସି ଶାନ୍ତ ସମୁଦ୍ରକୂଳରେ ବସିଯାଇଛନ୍ତି । 
“ସୁନେଲୀ ସ୍ୱପ୍ନ, ଏକ ଉଜ୍ଜ୍ୱଳ ଆକାଶ । -ତାଙ୍କ ଭିତରେ କିଏ କହିଲା ।
“ସୁନେଲୀ ସ୍ୱପ୍ନ କାଲିର, ଆଉ ଉଜ୍ଜ୍ୱଳ ଆକାଶ ଗତ କାଲିର । ଆସନ୍ତାକାଲି ପାଇଁ ଗତ କାଲିକୁ ଛାଡି ଆସିଛନ୍ତି ।”-ସେ ଆଉ ଏକ ବାକ୍ୟ ଶୁଣିଲେ । 
“ସୁନେଲୀ ଆକାଶକୁ ଅପେକ୍ଷା କରି ରହିଛନ୍ତି । କୂଳରେ ଲହଡି ସାମାନ୍ୟ ।”-ଶବ୍ଦମାନ ସ୍ପଷ୍ଟ କିନ୍ତୁ ଛଡା ଛଡା ଥିଲା । 
“ଜୀବନ ସାମାନ୍ୟ, ଗତିଶୀଳ ହୋଇଯାଇଛି । ଆଗକୁ କ’ଣ ହେବ ଭାବୁନାହାନ୍ତି ।”- ଆଉ ସେ ନିଜ ଭିତରେ ଏକ ଉତ୍ତର ଶୁଣିଲେ ।(କ୍ରମଶଃ)