ଏକ ବିକଶିତ ଭାରତର ରୂପରେଖ      

 ହିମାଂଶୁ  ଶେଖର ଆଚାର୍ଯ୍ୟ :  ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସରକାର ଏବେଠାରୁ ସ୍ୱପ୍ନ ଆରମ୍ଭ କରିଦେଇଛନ୍ତି । ଏଥିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ସହ ବିକଶିତ ଭାରତ ନକ୍ସା ନେଇ ଆଲୋଚନା କରିଛନ୍ତି । ଏଥିପାଇଁ ମନ୍ତ୍ରୀମାନେ ଯେଉଁ ଚିନ୍ତାଧାରା ଉପସ୍ଥାପନ କରିଥିଲେ ତାହାକୁ ନେଇ ବ୍ୟାପକ ଆଲୋଚନା କରାଯାଇଛି । ବିକଶିତ ଭାରତ ନକ୍ସା ଲାଗି ପ୍ରଧାନମନ୍ତ୍ରୀ   କିଛି ବର୍ଷ ତଳେ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେଥିରେ ବିଭିନ୍ନ ମନ୍ତ୍ରଣାଳୟ ସାମିଲ ଥିଲେ । ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପସଂଘ, ନାଗରିକ ସମାଜ ସହ ବିବ୍ୟାପକଆଲୋଚନା ହୋଇଥିଲା । ବୈଜ୍ଞାନିକ ସଂଗଠନ ଓ ଯୁବବର୍ଗଙ୍କ ଠାରୁ ଅଭିନବ ଚିନ୍ତାଧାରା ପରାମର୍ଶ ଓ ଇନ୍ପୁଟ୍ ସଂଗ୍ରହ କରାଯାଇଥିଲା । ଏବେ ଲୋକସଭାରେ ସମ୍ବିଧାନ ଉପରେ ସ୍ୱତନ୍ତ୍ର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ୧୧ଟି ସଂକଳ୍ପ ସମ୍ପର୍କରେ ଉଲ୍ଲେଖ କରିଛନ୍ତି  । ଏହି ସଂକଳ୍ପ ମଧ୍ୟରେ ରହିଛି କର୍ତ୍ତବ୍ୟପାଳନ, ସବ୍କା ସାଥ୍ ସବକା ବିକାଶ, ଦୁର୍ନୀତି ପ୍ରତି ଶୂନ୍ୟ ସହନ  ଶୀଳତା, ଦାସତ୍ୱ ମାନସିକତାରୁ  ମୁକ୍ତି, ବଂଶଗତ ରାଜନୀତିର ଅନ୍ତ, ଆଇନକୁ ସମ୍ମାନ, ସମ୍ବିଧାନକୁ  ସମ୍ମାନ, ସଂରକ୍ଷଣ ବ୍ୟବସ୍ଥାର ସୁରକ୍ଷା, ମହିଳା ବିକାଶ, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶକୁ ପ୍ରାଥମିକତା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଏକ, ଭାରତ, ଶ୍ରେଷ୍ଠ ଭାରତର ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି । 
ସୂଚନାଯୋଗ୍ୟ ଯେ, ଅଗଣିତ ସଂଗ୍ରାମୀ ମାନଙ୍କର  ବଳିଦାନ, ରକ୍ତକ୍ଷୟୀ ସଂଗ୍ରାମ ଓ ଐକାନ୍ତିକ ପ୍ରଚେଷ୍ଟା ବଳରେ ଆମେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଲୁ ।  ଏହି ସାତ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତ ଏକ  ସାର୍ବଭୌମ, ଧର୍ମ ନିରପେକ୍ଷ, ସମାଜବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ସମଗ୍ର ବିଶ୍ୱରେ ନିଜ ପାଇଁ ନିଆରା ପରିଚୟ ସୃଷ୍ଟି କରିପାରିଛି  । ଏହା ଆମ ପାଇଁ ଗୈାରବର ବିଷୟ  । ସେହିପରି ଦୀର୍ଘ ସାତ ଦଶନ୍ଧି ଧରି ଆମେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆମକୁ ଶାସନକରି ଚାଲିଛୁ  । ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ଆମେ ଆମର ଇପ୍ସିତ ଲକ୍ଷ୍ୟକୁ ଅନେକାଂଶରେ ପୂରଣକରି   ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛୁ । ସବୁଜ ବିପ୍ଳବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଳବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ  କାରିଗରୀରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯ୍ୟାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୯ କୋଟିରେ ପହଞ୍ଚିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୫ବର୍ଷକୁ ବୃଦ୍ଧି ପାଇଛି ।    ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା  ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି । ଏସବୁ ସଫଳତା  ସତ୍ତ୍ୱେ  ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ପ୍ରାୟ ୩୫କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ  ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ କ୍ଷୁଧାର୍ତ୍ତ ଲୋକଙ୍କ ସଂଖ୍ୟା ଅଧିକ  ।  ଏହାର ମୂଳ କାରଣ ହେଉଛି ଦୁର୍ନୀତି । ବିଡମ୍ବନା ହେଲାଯେ ଏହି ଦୁର୍ନୀତିର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି ।   ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୂମି ଥିବା ଲୋକମାନେ । ଏହା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୯ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା । ଦିଲ୍ଲୀର ନିର୍ଭୟା ଘଟଣାର ୧୨ବର୍ଷପରେ ପୁଣି ଏକ ଦୁଷ୍କର୍ମ ଘଟଣା କୋଲକାତାରେ ଘଟିଛି । ଏହା ସଭ୍ୟ ସମାଜ ପ୍ରତି ଏକ ପରିହାସ କହିଲେ ଭୁଲ ହେବନାହିଁ । ଏହା ଦେଶର ଆଉ ଏକ କଳଙ୍କିତ ଅଧ୍ୟାୟ । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର  ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ । 
ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଗୋଟିଏ ଦେଶପାଇଁ ୭୮ ବର୍ଷ କିଛିକମ୍ ନୁହେଁ  । ଆମ ପରେ ସ୍ୱଧୀନତା ପାଇଥିବା ବହୁ ଛୋଟେଛାଟ ଦେଶ ଆଜି ସବୁ କ୍ଷେତ୍ରରେ ଆମ ଠାରୁ ବହୁ ଆଗରେ କିନ୍ତୁ ଆମେ ବହୁ ପଛରେ ପଡିଛୁ । ଏହାର ପ୍ରମୁଖ କାରଣ ହେଉଛି ଆମ ଦେଶ କୃଷି ପ୍ରଧାନ ହୋଇଥିବା ବେଳେ ଏସବୁ ଦେଶ ଶିଳ୍ପ ପ୍ରଧାନ  । ସେଥିପାଇଁ ଆମ ମୁଣ୍ଡପିଛା ଆୟଠାରୁ ସେମାନଙ୍କର ମୁଣ୍ଡପିଛା ଆୟ ବହୁ ଉଚ୍ଚରେ । ଏପରିକି ସେମାଙ୍କର ଜୀବନ ଧାରଣର ମାନ ଆମଠାରୁ ବହୁତ ଉନ୍ନତ । ତେଣୁ  ଆମ ଦେଶ ବିକାଶମୁଖୀ ଦେଶ ରୂପେ ପରିଗଣିତ  । ଏଥିପାଇଁ ସବୁକ୍ଷେତ୍ରରେ ଦ୍ରୁତଗତିଶୀଳ ଅଭିବୃଦ୍ଧି ଆବଶ୍ୟକ । ଖାଲି ସେତିକି ନୁହେଁ ଏହି ବିାକଶକୁ ଦୀର୍ଘସ୍ଥାୟୀ ଓ ଚିରସ୍ଥାୟୀ କରିବା ଦରକାର । ଏଥି ସହିତ ବିକାଶ ପାଇଁ ଯେଉଁ ରଣନୀତି ଅନୁସରଣ କରାଯାଇଛି ତାହାକୁ ବଜାୟ ରଖିବାକୁ ହେବ । ଭାରତର ବିକାଶ ପ୍ରକ୍ରିୟାରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବିକଶିତ ରାଷ୍ଟ୍ର ଗଠନ କରିବାକୁ ହେଲେ ମୁଣ୍ଡପିଛା ଆୟକୁ ବଢାଇବାକୁ ହେବ । ବିକଶିତ ରାଷ୍ଟ୍ରରେ ଦୁର୍ନିତି ଓ ଭ୍ରଷ୍ଟାଚାରର ନିରାକରଣ ହେବା ଦରକାର । ଏତଦ୍ ବ୍ୟତୀତ ବିକାଶର ସୁଫଳ ଯେପରି ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଟି ପାଖରେ ପହଞ୍ଚô ପାରିବ ସେଥିପାଇଁ ଉଦ୍ୟମ ହେବା ଜରୁରି । ତାହାଲେ ଯାଇ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ।   
 ତିର୍ତ୍ତୋଲ, ଜଗତସିଂହପୁର
ମୋ-୯୯୩୭୧୫୧୦୫୨