ଶୁଳ୍କ ବିବାଦ : ପରସ୍ପରକୁ ମୋଦି-ଟ୍ରମ୍ପଙ୍କ ପ୍ରଶଂସା ; ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି: ମୋଦି
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ବିବାଦ ଭିତରେ ଆସିଛି ବଡ ଖବର । ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା ପରେ ମୁହଁ ଖୋଲିଛନ୍ତି ମୋଦି । ସେ ଟ୍ରମ୍ପଙ୍କ ଭାବନାକୁ ଗଭୀର ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଗକୁ ଦୁଇ ନେତା ଓ ଦୁଇ ଦେଶ ମଧ୍ୟରେ ଶୁଳ୍କକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଘଟିବାକୁ ଯାଉଛି ବୋଲି ଆଶା ଦେଖାଦେଇଛି । ରୁଷରୁ ଭାରତ ତେଲ କିଣିବା ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦଣ୍ଡସ୍ୱରୂପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯାହାକୁ ନେଇ ପୂର୍ବରୁ ଦୁଇ ବନ୍ଧୁ ଥିବା ଟ୍ରମ୍ପ ଓ ମୋଦିଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି । ନିକଟରେ ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଜିନପିଙ୍ଗ ଓ ପୁଟିନଙ୍କ ସହ ମୋଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେତେବେଳେ ସାରା ବିଶ୍ୱର ନଜର ଏହି ତିନି ମହାଶକ୍ତିଙ୍କ ଉପରେ ଥିଲା । ଶୁକ୍ରବାର ଏନେଇ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ତିନି ନେତାଙ୍କ ଫଟୋ ସେୟାର କରି ଲେଖିଥିଲେ ଯେ, ଆମେ ଅନ୍ଧକାର ଭିତରେ ଥିବା ଚୀନ ହାତରେ ଭାରତ ଓ ରୁଷକୁ ହରାଇ ଦେଇଛୁ । ସେମାନଙ୍କର ଏକ ଦୀର୍ଘ ଓ ସମୃଦ୍ଧ ସଂପର୍କ କାମନା କରୁଛୁ । ଏହି ମନ୍ତବ୍ୟ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କିଛି କହିବାକୁ ମନା କରିଦେଇଥିଲା ।
ଏହାର କିଛି ଘଣ୍ଟା ପରେ ହ୍ୱାଇଟହାଉସରେ ଏକ ଘୋଷଣା ସମୟରେ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ "ଅତି ବିଶେଷ ସମ୍ପର୍କ’ ବୋଲି କହିଥିଲେ ଏବଂ ସେ ଓ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ବନ୍ଧୁ ରହିବେ, "ଚିନ୍ତା କରିବାର କିଛି ନାହିଁ’ ବୋଲି ଦୃଢ଼ ଭାବରେ କହିଥିଲେ । ତାଙ୍କୁ ପଚରାଯାଇଥିବା ପ୍ରଶ୍ନରେ, ଆପଣ କ'ଣ ଏହି ସମୟରେ ଭାରତ ସହିତ ସମ୍ପର୍କ ପୁନଃସ୍ଥାପନ କରିବାକୁ ପ୍ରସ୍ତୁତ?, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, "ହଁ । ମୁଁ ସର୍ବଦା (ପ୍ରଧାନମନ୍ତ୍ରୀ) ମୋଦିଙ୍କ ସହିତ ବନ୍ଧୁ ରହିବି । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ସେ କିଛି ମାସ ପୂର୍ବରୁ ଏଠାକୁ ଆସିଥିଲେ । ସଂପର୍କ ମଧ୍ୟରେ ମତଭେଦ ଥାଏ । ବେଳେବେଳେ ମତଭେଦ ସତ୍ତ୍ୱେ ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ବନ୍ଧୁ ହୋଇ ରହିବୁ । କିନ୍ତୁ ଏହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ । କିନ୍ତୁ ଭାରତ ଓ ଆମେରିକାର ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ଅଛି । ଚିନ୍ତା କରିବାର କିଛି ନାହିଁ । ଏହାସହ ସୋସିଆଲ ମିଡିଆ ପୋଷ୍ଟ ଉପରେ ସଫେଇ ଦେଇ କହିଛନ୍ତି ଯେ, ଯେଉଁଠାରେ ସେ ‘ଭାରତ ଓ ରୁଷକୁ ଚୀନ୍ ପାଖରେ ହାରିବା' ବୋଲି କହିଥିଲେ, ସେ କହିଛନ୍ତି ଯେ ସେ ଭାବୁନାହାଁନ୍ତି ଯେ ଏପରି ଘଟିଛି ।
ଟ୍ରମ୍ପଙ୍କ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପ୍ରତିକ୍ରିୟାରେ କହିଛନ୍ତି, ଭାରତ ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି । ଭାରତ ଓ ଆମେରିକା ମଧ୍ୟରେ ସକରାତ୍ମକ ରଣନୈତିକ ସହଭାଗିତା ରହିଛି । ଉଭୟ ରାଷ୍ଟ୍ର ଅନ୍ତର୍ଜାତୀୟ ସ୍ତରରେ କାମ କରିବାକୁ ଆଗ୍ରହୀ । ଦୁଇ ନେତାଙ୍କ ମଧ୍ୟରେ ସକାରାତ୍ମକ ଆଦାନପ୍ରଦାନ ସୂଚାଇ ଦେଉଛି ଯେ ଟ୍ରମ୍ପ ଓ ତାଙ୍କ ଅଧିକାରୀଙ୍କ ଦ୍ୱାରା ଭାରତ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେବା ପରେ ବି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ପୁନଃସ୍ଥାପନର ସମ୍ଭାବନା ରହିଛି ।