ଶ୍ରୀଜଗନ୍ନାଥ ମାହାତ୍ମ୍ୟ ଶୀର୍ଷକ ଆଲୋଚନାଚକ୍ର

ପୁରୀ : ନୀଳାଚଳ ତତ୍ତ୍ୱସନ୍ଧାନ ପରିଷଦ ପକ୍ଷରୁ ଅତିବଡ଼ି ଭକ୍ତିଧାରାରେ ଶ୍ରୀଜଗନ୍ନାଥ ମାହାତ୍ମ୍ୟ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଗବେଷକ ଡ. ଗୋପାଳ କୃଷ୍ଣ ଦାଶ ଅଧ୍ୟକ୍ଷତା କରିଥିଲେ । ବାସନ୍ତୀ ଦେବୀ ଶ୍ରୀଜଗନ୍ନାଥଙ୍କ ଧ୍ୟାନମନ୍ତ୍ର ଆବୃତ୍ତି କରିଥିଲେ । ଡ. ଭାସ୍କର ମିଶ୍ରଙ୍କ ପରିଚାଳନାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଷୋଡ଼ଶ ଶତାଦ୍ଦୀରେ ପଞ୍ଚସଖା ଯୁଗୀୟ ଅନ୍ୟତମ ଶ୍ରେଷ୍ଠ ସନ୍ଥ ତଥା ସାରସ୍ୱତ ସାଧକ ଅତିବଡ଼ି ଜଗନ୍ନାଥ ଦାସ ଜ୍ଞାନମିଶ୍ର ଭକ୍ତିର ଉପାସକ ଥିଲେ । ରାଧାକୃଷ୍ଣଙ୍କ ପ୍ରେମରସ ଆସ୍ୱାଦନରେ ସେ ବିଭୋର ହୋଇ ତାଙ୍କ କୃତୀ ସମୂହରେ ରାଧାକୃଷ୍ଣ ତତ୍ତ୍ୱ ଓ ପ୍ରେମ ଭକ୍ତି ସଂପର୍କରେ ବହୁଳ ଭାବରେ ଆଲୋଚନା କରିଛନ୍ତି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ବାସନ୍ତୀ ଦେବୀ ଆଲୋଚକ ଭାବେ ଯୋଗଦାନ କରି କହିଥିଲେ ଯେ ଜଗନ୍ନାଥ ଦାସଙ୍କ ଶ୍ରେଷ୍ଠ କୃତି ଭାଗବତରେ ଭକ୍ତି ଧାରା ଉପରେ ବହୁ ତଥ୍ୟ ଉପଲବ୍ଧି ହୋଇଥାଏ । ଗବେଷକ ଡ. ଭାସ୍କର ମିଶ୍ର ଓଡ଼ିଆ ମଠ, ଜଗନ୍ନାଥ ଦାସଙ୍କର ଶ୍ରୀମନ୍ଦିରରେ ଅଷ୍ଟକାଳ ସେବା ଓ ଭାଗବତ ରଚନା ଉପରେ ଆଲୋକପାତ କରିଥିଲେ । ଡ. ଉମେଶ ଚନ୍ଦ୍ର ଚିନ୍ନରା ଜଗନ୍ନାଥ ଦାସଙ୍କ ତତ୍ତ୍ୱ ସମ୍ବଳିତ ରାଧାକୃଷ୍ଣଙ୍କ ପ୍ରେମ ସମ୍ବନ୍ଧୀୟ ଭକ୍ତିରସ ସଂପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସରୋଜ କୁମାର ସାହୁ, ଅଧ୍ୟାପକ ଦେବରାଜ ପ୍ରଧାନ, ଡ଼କ୍ଟର କଲ୍ୟାଣୀ ଶତପଥୀ, ଡ. ନୃସିଂହ ଚରଣ ସାହୁ, ଅନାମ ଚନ୍ଦ୍ର ସାହୁ, ରଂଜିତା ମହାପାତ୍ର, ନକୁଳ ଚରଣ ସ୍ୱାଇଁ ପ୍ରମୁଖ ଆଲୋଚକ ଭାବେ ଯୋଗଦାନ କରିଥିଲେ ।