ରଥ ଖଳା ଚଳଚଞ୍ଚଳ : ରଥ ଉପରେ ଆବଶ୍ୟକ କାଠର ଚାଲିଛି ନିର୍ମାଣ
ପୁରୀ : ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ନବଦିନ ପାଇଁ ଜନ୍ମବେଦୀକୁ ଯାତ୍ରା କରିବେ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ରଥ ଖଳାରେ ତିନୋଟି ରଥ ନିର୍ମାଣ ଚାଲିଛି । ମହାରଣା, ଭୋଇ, କରତି, ଓଝା, ରୂପକାରଙ୍କୁ ମିଶାଇ ୨୦୫ଜଣ ସେବକ ରଥ ନିର୍ମାଣରେ ଲାଗିପଡ଼ିଛନ୍ତି । ରଥ ନିର୍ମାଣର ୨୬ତମ ଦିବସରେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି । ତିନି ରଥର ୩୯ଗୋଟି ଚକ ନିର୍ମାଣ ଶେଷ ହେବା ସହ ୧୪ଟି ନାହାକାର ଚଉପଟ କାର୍ଯ୍ୟ କରାଯାଉଛି । ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଉ ତିନୋଟି ଚକ ନିର୍ମାଣ ପରେ ୪୨ଗୋଟି ଚକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ତେଣୁ ତିନୋଟି ଚକର ନିର୍ମାଣ କାର୍ଯ୍ୟ ମହାରଣାମାନେ ଆଜି ଶେଷ କରି ଚକର ପଇବିନ୍ଧ ଆରମ୍ଭ କରିଛନ୍ତି । ଭୋଇ ସେବକମାନେ ତିନି ରଥର ଶେଷ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତାଗାଡ଼ ଠାରେ ଶେଷ କରିଛନ୍ତି । ଭୋଇମାନେ ଯନ୍ତାଗାଡ଼ ମୁଜିଛନ୍ତି । ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଓ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ଗୋଟି ଲେଖାଏଁ ୨୦ଫୁଟିଆ ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ ପୂଜା କରାଯାଇ ଚଉତା କାଠ ଗୁଡ଼ିକରେ ପାଞ୍ଚୋଟି ଲେଖାଏଁ ପାଖୁଡ଼ା ବିନ୍ଧ କରାଯାଇଛି ।
ସୋମବାର ଦିନ ୪୨ଗୋଟି ଯୋକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତିନି ରଥର ଏହି ୧୮ଫୁଟିଆ ଯୋକା ଗୁଡ଼ିକ ତିନି ରଥର ଅଖ, କୁଡ଼ୁକା, ଗୟଳ ଏବଂ ନିରାଡ଼ିକୁ ମଜବୁତ୍ କରି ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏଥିସହ ତିନି ରଥର ୮ଟି ଲେଖାଏଁ ୨୦ଫୁଟିଆ ୧୪ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇ ସେଗୁଡ଼ିକର ୮କଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ରୂପକାରମାନେ କୋଣ ଗୁଜ ବା ସାଲଗୁଜରେ ସିଂହବିରାଳ, ରୂପ ଖୋଦେଇ କରୁଛନ୍ତି । ଖୋଦେଇ ରୂପଗୁଡ଼ିକୁ ପଲିସ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଏବେ ଦଣ୍ଡା ବିଡ଼ିଆ, ଆଗ ପାତେଳି, କଣ୍ଟା ନିର୍ମାଣ କାର୍ଯ୍ୟ କରାଯାଉଛି । ଦୋଳବେଦୀ ଠାରେ ସ୍ନାନ ଯାତ୍ରା ଓ ରଥଯାତ୍ରା ଅବସରରେ ରଥ ଉପରେ ମହାପ୍ରଭୁଙ୍କ ପୂଜାରେ ଆବଶ୍ୟକ କାଠ ନିର୍ମିତ ଉପକରଣ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି ।