ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ: ଗୀତଗୋବିନ୍ଦ ସାରା ବିଶ୍ୱରେ ଆଦୃତି ହୋଇଛି
ଭୁବନେଶ୍ୱର : ସମଗ୍ର ଭାରତ ବର୍ଷରେ ପ୍ରାତଃସ୍ମରଣୀୟ କବିମାନଙ୍କ ମଧ୍ୟରେ ଓଡ଼ିଶା ମାଟିର ମହାନ କବି ଶ୍ରୀଜୟଦେବଙ୍କ ନାମ ସର୍ବାଗ୍ରେ । ତାଙ୍କ ରଚିତ ‘ଶ୍ରୀଗୀତଗୋବିନ୍ଦ’ କାବ୍ୟ କେବଳ ଏକ ଶୃଙ୍ଗାର ଭକ୍ତିକାବ୍ୟ ନୁହେଁ ବରଂ ଭାରତୀୟ ସଂସ୍କୃତି ଓ ସାହିତ୍ୟର ଏକ ଅମୂଲ୍ୟ ରତ୍ନ । ଦ୍ୱାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳାକୁ ଅତି ଚମକôାର ଭାବେ ସେ ବର୍ଣ୍ଣନା କରିଛନ୍ତି । ଯାହାର ଲଳିତ ସୁନ୍ଦର ପଦାବଳୀ କେବଳ ଓଡ଼ିଶାରେ କିମ୍ବା ଭାରତ ବର୍ଷରେ ନୁହେଁ, ଏହା ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି ।
ଏ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଯୋଗଦେଇ ଜୟଦେବଙ୍କ ପରି ସଂସ୍କୃତ ବିଦ୍ୱାନ ଭାରତ ଇତିହାସରେ ବିରଳ । ଓଡ଼ିଶାରେ ଜନ୍ମ ନେଇଥିବା ସଂସ୍କୃତ ବିଦ୍ୱାନ ଆଜି ତାଙ୍କ କାଳଜୟୀ ରଚନା ପାଇଁ ସମଗ୍ର ବିଶ୍ୱରେ ପୂଜିତ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ ଦେବପ୍ରସାଦ ଦାଶ ଯୋଗ ଦେଇ ଓଡ଼ିଶୀ ନୃତ୍ୟ ଏବଂ ଗୀତଗୋବିନ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମତବ୍ୟକ୍ତ କରିଥିଲେ । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ପରେ ଶ୍ରୀଜୟଦେବ ଓ ଶ୍ରୀଗୀତଗୋବିନ୍ଦ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଶିଷ୍ଟ ସାହିତି୍ୟକ ତଥା ଗବେଷକ ପ୍ରଫୁଲ୍ଲ ତ୍ରିପାଠୀ, ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ବିଶିଷ୍ଟ ସାହିତି୍ୟକ ରଘୁନାଥ ପଣ୍ଡା, ପ୍ରାଚୀ ସଂସ୍କୃତି ଗବେଷକ ହଂସନାଥ ସାହୁ, ବିଶିଷ୍ଟ ସାହିତି୍ୟକ ଡକ୍ଟର ସନ୍ତୋଷ ମହାପାତ୍ର ଏବଂ ଶ୍ରୀଗୀତଗୋବିନ୍ଦ ଗବେଷକ ଗଦାଧର ମହାପାତ୍ର ପ୍ରମୁଖ ସେମାନଙ୍କ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଓଡିଶା ସାହିତ୍ୟ ଏକାଡେମୀର ସହସଚିବ ସଂଜୟ ଛୁଆଳ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।