ସରୁନି ରାସ୍ତା କାର୍ଯ୍ୟ,  ହନ୍ତସନ୍ତ ପଥଚାରୀ


 ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ :  ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଏମ୍ଆରଏଲ୍-୦୧ ପୂର୍ତ୍ତ ବିଭାଗ ରାସ୍ତା କେନ୍ଦୁପାଟଣା ଛକ ଠାରୁ  ରାଇସୁଙ୍ଗୁଡା ଭାୟା କାଜିହାଟ ରାସ୍ତା ଯାହାର ପ୍ୟାକେଜ୍ ନଂ - ଓଆର-୦୭-୩୫୩ ରାସ୍ତା କାର୍ଯ୍ୟ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ହେଉଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଅନୁଦାନରେ ନିର୍ମିତ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡିଶା ସରକାର ତଦାରଖ କରିବା କଥା । ଏହି ରାସ୍ତାକୁ ଠିକାଦାର ତା. ୧୭.୦୮.୨୦୨୩ ରିଖରେ ଶେଷ କରିବା କଥା । ହେଲେ ବିଭାଗୀୟ ଅଧିକାରୀଙ୍କ ସହ ସଂପର୍କ ରଖି ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ନ ସାରି ଠିକାଦାର କାର୍ଯ୍ୟ କରିବା ସମୟ ଅବଧି ସରକାରଙ୍କ ତରଫରୁ ବଢାଇଥିଲେ । ଏହା ପରେ ମଧ୍ୟ ଅବଧି ଶେଷ ହେବାକୁ ବସିଲାଣି । ଦେଢ ବର୍ଷରୁ ଊଦ୍ଧ୍ୱର୍ ହେଲା ରାସ୍ତା କାର୍ଯ୍ୟ ଶେଷ ହେଉନି । ଏହି ରାସ୍ତାର କିଛି ଅଂଶ ପିଚୁ ପାଇଁ ଗୋଡି ପକାଯାଇଛି । ଯେଉଁଥିରେ କି ପାଣି ସିଞ୍ଚନ କରାଯାଉନି କି ରୋଲିଂ କରାଯାଉନି । ଗୋଡି ଗୁଡିକ ଉପରେ ଗଡୁଛି । ଗୋଡି ଉଠିଯାଇଥିବାରୁ ଉକ୍ତ ରାସ୍ତାରେ ଯିବା ଆସିବା କରିବା ଆଦୌ ସମ୍ଭବପର ହେଉନାହିଁ । ରାସ୍ତାରେ ଚାରିଚକିଆ ଯାନ ଯାତାୟତ ସମୟରେ ଏତେ ମାତ୍ରାରେ କ୍ରସର ଗୁଣ୍ଡ ଉଡୁଛି, ଯାହାଫଳରେ ବାଇକ୍ ଓ ସାଇକେଲ ଆରୋହୀ ଏପରିକି ବହୁ ଛାତ୍ରଛାତ୍ରୀ ଯିବା ଆସିବା ସମୟରେ ଗୁଣ୍ଡ ଉଡି ସେମାନଙ୍କ ଆଖି ଓ ନାକରେ ଭରି ଯାଉଥିବାରୁ ସେମାନେ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାଛଡା ସ୍ଥାନୀୟ ଜନସାଧାରଣ କ୍ରସର ଗୁଣ୍ଡ ଉଡିବା ଯୋଗୁଁ ତ୍ରାହି ତ୍ରାହି ଡାକିଲେଣି । ତୁରନ୍ତ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସଠିକ୍ ଢଙ୍ଗରେ କରି ସମାପ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିିଛନ୍ତି ।