ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ
ବାଣପୁର : ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବଙ୍କ ସହିତ ରୁକ୍ମିଣିଦେବୀଙ୍କ ଶୁଭବିବାହ ମନ୍ଦିର ପ୍ରାଙ୍ଗଣରେ ଶୁଭଲଗ୍ନରେ ମହା ଆନନ୍ଦ ଉଲ୍ଲାସର ସହିତସମାହିତ ହୋଇଯାଇଛି । ଶୁକ୍ଳ ଦ୍ୱାଦଶୀରେ ନବବିବାହିତ ଦେବଦମ୍ପତିଙ୍କ ଶିବ ଦର୍ଶନ, ନଗର ପରିଭ୍ରମଣ,ଯାହାକୁ ଗୁଆଲିଯାତ୍ରା ବୋଲି କୁହାଯାଏ, ସଂଧ୍ୟାରେ ବିରାଟ ଥାଟ ପଟୁଆରରେ ଦେବଦମ୍ପତି ବାଣପୁରର ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀଦକ୍ଷେଶ୍ୱର ମହାଦେବଙ୍କ ମନ୍ଦିରକୁ ବିଜେ କରିଥିଲେ । ସେଠାରେ ଶ୍ରୀ ଚନ୍ଦ୍ରଶେଖରଦେବଙ୍କ ଦର୍ଶନ ପରେ ଏକତ୍ର ହରିହର ଭେଟ ହୋଇଏକ ଆସନରେ ଉପବେଶନ କରିବା ପରେ ପରିଛା ମହାପାତ୍ରେ ଦେବା ଦେବୀଙ୍କୁ ଶୀତଳ ମଣୋହୀ କରି ଆଳତି ବଢାଇଥିଲେ । ଦେବଦେବ ମହାଦେବ ଚନ୍ଦ୍ରଶେଖର ଦେବଦମ୍ପତ୍ତି ଶ୍ରୀମଦନମୋହନ ଦେବ ଓ ମାତାରୁକ୍ମିଣି ଦେବୀଙ୍କୁ ଏକତ୍ର ଦର୍ଶନକରି କୃପାଲାଭ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ପରେ ଦେବଦମ୍ପତ୍ତି ବାଣପୁର ନଗର ଭ୍ରମଣ କରି ସ୍ୱମନ୍ଦିରକୁ ବିଜେ କରିଥିଲେ । ପରେ ମନ୍ଦିର ପ୍ରସାଶନ ଏବଂ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।