ସଂଘର୍ଷରୁ ସଫଳତା ପାଇଥିଲେ ଲକ୍ଷପତି ଦିଦି ଲୁସା
ଭୁବନେଶ୍ୱର : ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଲକ୍ଷପତି ଦିଦି ପୁରସ୍କାର ପାଇଛନ୍ତି ୫ ମହିଳା । ସେମାନଙ୍କ ଥିବା ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲିକ ଗାଁର ୪୩ ବର୍ଷୀୟ ଆଦିବାସୀ ମହିଳା ଲୁସା ଗନିକଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଏହି ସମ୍ମାନ ଲୁସା ଗନିକଙ୍କ ବ୍ୟକ୍ତିଗତ ସଫଳତା ସହ ଥିଲା ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ଅଧୀନରେ ପରିଚାଳିତ ଲକ୍ଷପତି ଦିଦି ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନର ଏକ ଜ୍ୱଳନ୍ତ ଉଦାହରଣ । କିନ୍ତୁ ଏହି ମଞ୍ଚରେ ପାଦ ରଖିବାର ବହୁ ପୂର୍ବରୁ ଲୁସାଙ୍କ ଯାତ୍ରା ଆରମ୍ଭ ହୋଇଥିଲା ଏକ ଦୁର୍ଗମ ଆଦିବାସୀ ଅଞ୍ଚଳରୁ ।
ଲୁସା ଛୋଟବେଳୁ ହିଁ କଷ୍ଟ କ’ଣ ଜାଣିଥିଲେ । ସୀମିତ ଶିକ୍ଷା ଓ ପ୍ରାୟ କୌଣସି ସମ୍ବଳ ନ ଥିବାରୁ ତାଙ୍କ ପାଖରେ ବହୁତ କମ୍ ସୁଯୋଗ ଥିଲା । ତଥାପି, ଲୁସା ନିଜ ବିଧବା ଭଉଣୀଙ୍କ ଓ ସେମାନଙ୍କ ସନ୍ତାନମାନଙ୍କ ଦାୟିତ୍ୱ ନେଇଥିଲେ । "ମୋର ନିଜର ପରିବାର ନ ଥାଇ ପାରେ," ଲୁସା କୁହନ୍ତି, "କିନ୍ତୁ ସେମାନଙ୍କର ଦାୟିତ୍ୱ ସହିତ ମୋର ପରିବାର ବଢ଼ିଲା । ସେମାନଙ୍କର ସ୍ୱପ୍ନ ମୋର ହୋଇଗଲା ।’
୨୦୧୪ରେ ଲୁସା ଏକ ସାହସିକ ପଦକ୍ଷେପ ନେଇ କୁମାରବାହଲ ପଞ୍ଚାୟତ ଅଧୀନରେ ନିଜ ଗାଁର ସରସ୍ୱତୀ ଏସ୍ଏଚ୍ଜିରେ ଯୋଗ ଦେଇଥିଲେ । ଏସ୍ଏଚ୍ଜି ମାଧ୍ୟମରେ ଅତିରିକ୍ତ ୩୦,୦୦୦ ଟଙ୍କା ବ୍ୟାଙ୍କ ଋଣ ନେଇ ସେ ଲଙ୍କା ଚାଷ ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ, ତାଙ୍କର ପ୍ରଥମ ଫସଲରୁ ହିଁ ୬୦,୦୦୦ରୁ ୭୦,୦୦୦ ଟଙ୍କା ଆୟ ହୋଇଥିଲା । ଏହି ସଫଳତା ତାଙ୍କୁ ଆହୁରି ଅଧିକ କାମ କରିବାକୁ ପ୍ରେରଣା ଯୋଗାଇଥିଲା । ଲୁସା ନିଜ ଚାଷ ଜମିରେ ବାଇଗଣ, ଭେଣ୍ଡି ଏବଂ ଜହ୍ନି ଚାଷ ଆରମ୍ଭ କରିଥିଲେ । ତାଙ୍କର କଠିନ ପରିଶ୍ରମ ଓ ବ୍ୟବସାୟିକ ବୁଦ୍ଧିମତ୍ତା ଫଳରେ ତାଙ୍କ ଆୟ ବୃଦ୍ଧି ପାଇଥିଲା । କୃଷି ବ୍ୟତୀତ ସେ ଏକ ତେଜରାତି ଦୋକାନ, ଷ୍ଟେସନାରୀ ଦୋକାନ ଏବଂ ଏକ ପୋଷାକ ଦୋକାନ ମଧ୍ୟ ଚଳାଉଛନ୍ତି । ଏହି ସମସ୍ତ ଉଦ୍ୟୋଗରୁ ତାଙ୍କର ବାର୍ଷିକ ଆୟ ୧୨.୫୫ ଲକ୍ଷ ଟଙ୍କା ଅତିକ୍ରମ କରିଛି, ଯାହା ତାଙ୍କୁ ଓଡ଼ିଶାର ସର୍ବାଧିକ ଆୟକାରୀ ଲକ୍ଷପତି ଦିଦିମାନଙ୍କ ମଧ୍ୟରୁ ଜଣେ କରିଛି ।