ଆଜି ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ

ଆଜି ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର: ଆଜି ବିଜେପି ଅଫିସ୍‌ରେ  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ଏବଂ ଓଡ଼ିଶା ପ୍ରଭାରୀ  ବିଜୟ ପାଲ ସିଂ ତୋମାର ଏଥିରେ ଉପସ୍ଥିତ ରହିବେ । କୋର୍‌ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହେବେ ।  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଆଲୋଚନା ସହିତ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗରେ ୨୧ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ଏବେ ଆହୁରି ୬ଜଣଙ୍କ ପାଇଁ ଆସନ ଫାଙ୍କା ଅଛି । ଏହି ୬ ପଦ ପାଇଁ ଦୁଇ ଡଜନ ଆଶାୟୀଙ୍କ  ଆଖି ରହିଛି । ୧୭ ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ଏକାଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ଓଜନିଆ ବିଭାଗ ରହିଛି ।  ଜଣେ ଜଣେ ମନ୍ତ୍ରୀ ଦୁଇରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି । ଅନେକ ବରିଷ୍ଠ ନେତା ମନ୍ତ୍ରୀ ହେବା ଆଶାରେ  ଅଛନ୍ତି । କିଛି ନବାଗତ ବି ମନ୍ତ୍ରୀ ପଦ ପାଇବାକୁ ଅପେକ୍ଷା  କରି ରହିଛନ୍ତି । ଖାଲି ମନ୍ତ୍ରୀ ପଦ ନୁହେଁ, ବିଭିନ୍ନ ବୋର୍ଡ,  ନିଗମ ଓ କମିଶନ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି । ଏଥିପାଇଁ  ଅନେକ ଆଶାୟୀ ଅଛନ୍ତି । ବୈଠକରେ ଏହା ଉପରେ  ଆଲୋଚନା ହେବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ  ଚର୍ଚ୍ଚା ହୋଇପାରେ । 

ସରକାରକୁ ଆଠ ମାସ ପୂରି ଯାଇଥିଲେ ବି ଏହି ପଦବି  ପୂରଣ ହୋଇନଥିବାରୁ ଆଶାୟୀଙ୍କ ଭିତରେ ବ୍ୟାକୁଳତା  ବଢ଼ିଗଲାଣି । ଦଳର ହାଇକମାଣ୍ଡ ମଧ୍ୟ ଏହା ଉପରେ ନଜର  ରଖିଛନ୍ତି । ମନ୍ତ୍ରୀମାନଙ୍କ ଦକ୍ଷତା ଓ ପ୍ରଦର୍ଶନ ମପାଯାଉଛି ।  ଖୁବ୍‌ଶୀଘ୍ର କିଛି ବଡ଼ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ସୂତ୍ର  ଅନୁସାରେ, ଦଳର ଜଣେ, ଦୁଇ ଜଣ ବରିଷ୍ଠ ଓ କିଛି ନୂଆ ମୁହଁକୁ  ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହାସହ ଆଉ କିଛି ମନ୍ତ୍ରୀଙ୍କ  ଭିତରେ ବିଭାଗ ଅଦଳବଦଳ ହେବାର ସମ୍ଭାବନା ରହିଛି।