ନବୀନଙ୍କୁ ଘାରିଲା ‘ହିଞ୍ଜିଳି’ ଚିନ୍ତା 

ନବୀନଙ୍କୁ ଘାରିଲା ‘ହିଞ୍ଜିଳି’ ଚିନ୍ତା 
  • ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି
  • ଶେରଗଡ଼ର କର୍ମୀଙ୍କ ସହ ଆଲୋଚନା

ଭୁବନେଶ୍ୱର : ହିଞ୍ଜିଳିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବାଜିମାତ୍‌ର ଛକା ମାରି ସାରିଛନ୍ତି । ଆଗରୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ନବୀନ ଯାହା ଚାହୁଁଥିଲେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରେ ସେଇଆ ହିଁ ହେଉଥିଲା । ବିଜେଡ଼ିର ଆଗଧାଡ଼ିର କର୍ମୀମାନଙ୍କ କଥା ପଞ୍ଚାୟତରୁ ନେଇ ବ୍ଳକ, ଜେଇ ଅଫିସରୁ ନେଇ ତହସିଲ ପର୍ଯ୍ୟନ୍ତ  ସବୁଠି ରହୁଥିଲା । ତେଣୁ ନବୀନ ହିଞ୍ଜିଳି ନଗଲେ ବି ବିଜେଡ଼ି ମଜବୁତ୍‌ ଥିଲା । ହେଲେ ଚବିଶ ନିର୍ବାଚନ ବେଳକୁ ନବୀନଙ୍କୁ ଝଟକା ଲାଗିଥିଲା । ସେ ସିନା ଜିତି ଯାଇଥିଲେ, କିନ୍ତୁ ଭୋଟ୍‌ କମିଯାଇଥିଲା । ଏବେ ସ୍ଥିତି ଆହୁରି ସଂଗୀନ । ସରକାର ବଦଳିଥିବାରୁ ହିଞ୍ଜିଳିରେ ଆଉ ବିଜେଡ଼ିର ହୁକୁମାତି ଚଳୁନାହିଁ । ନବୀନଙ୍କ ନିଜ ନିର୍ବାଚନମଣ୍ଡଳୀରେ ବି ବିଜେଡ଼ି ଖସୁଥିବାରୁ ସେ ସଂଗଠନ ମଜବୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯଦି ହିଞ୍ଜିଳିରେ ଦଳ ଭଲ ପ୍ରଦର୍ଶନ ନକରିବ ତାହା ଖାଲି ନବୀନଙ୍କୁ ନୁହେଁ ବିଜେଡ଼ିକୁ ବି ପ୍ରଭାବିତ କରିବ । ସେଥିପାଇଁ ବେଳ ଥାଉ ଥାଉ ବନ୍ଧ ବାନ୍ଧିଛନ୍ତି ନବୀନ । 


   ହିଞ୍ଜିଳି ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକର ବିଜେଡ଼ି ନେତା ଏବଂ କର୍ମୀମାନେ ଗୁରୁବାର ପୂର୍ବାହ୍ନରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଶେରଗଡ଼ ବ୍ଲକ ବିକାଶ କାମରେ ସରକାରୀ ଉଦାସୀନତା ଓ ଆଇନଶୃଙ୍ଖଳା ଅଧିକାରୀ ଦଳୀୟ ମନୋଭାବ ନେଇ ବିଜେଡି କର୍ମୀମାନଙ୍କୁ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରିଥିଲେ । ଜିଲ୍ଲା ପୋଲିସ ପ୍ରଶାସନ ଦଳୀୟ ଭିତ୍ତିରେ କାମ କରୁଥିବା ଓ ବିଜେଡି କର୍ମୀମାନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ । ସରକାରୀ ଉଦାସୀନତା ଯୋଗୁଁ  ବିକାଶ କାମ ଅଧାପନ୍ତରିଆ ପଡ଼ିଥିବା ବେଳେ.ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଉନଥିବା, କେତେକ ସ୍କୁଲରେ ବିଦ୍ୟୁତ ସଂଯୋଗ ଦିଆଯାଉନଥିବା ଯୋଗୁଁ ଶିକ୍ଷାଦାନରେ ଅବନତି ହେଉଥିବା ନେଇ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଧାନ ସଂଗ୍ରହରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ଡାକ୍ତରଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଶେରଗଡ଼ ବାହାରକୁ ମନଇଛା ବଦଳି କରାଯାଉଥିବା ଓ ଖାଲି ପଦବୀ ପୂରଣ କରାନଯାଉଥିବାରୁ ସ୍ୱାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । 


   ଅନ୍ୟାନ୍ୟ ବିଷୟ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ହିତାଧିକାରୀମାନେ  ସମ୍ମୁଖୀନ  ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏଭଳି ପ୍ରଶାସନିକ ଉଦାସୀନତା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ବିଷୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଥିଲେ । ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ଶେରଗଡ଼ର ବିଭିନ୍ନ ପଞ୍ଚାୟତର  ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।