ସଂସଦରେ ଉଠିଲା ପ୍ରବାସୀ ଭାରତୀୟଙ୍କୁ ପଠାଯିବା ପ୍ରସଙ୍ଗ
ସଂସଦରେ ଉଠିଲା ଆମେରିକାରୁ ଭାରତୀୟଙ୍କୁ ଫେରାଇ ଦିଆଯିବା ପ୍ରସଙ୍ଗ । ବିରୋଧୀ କେନ୍ଦ୍ର ସରକାରଙ୍କ ପାରିବା ପଣିଆ ଓ ଆମେରିକା ସହ ସମ୍ପର୍କକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ଏନେଇ ବିରୋଧୀମାନେ ସଂସଦ ପରିସରରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି । ଏପ୍ରସଙ୍ଗରେ ସେମାନେ ସଂସଦରେ ବିଧିବଦ୍ଧ ଭାବେ ଆଲୋଚନା ଚାହୁଁଛନ୍ତି । ତୃଣମୂଳ କଂଗ୍ରେସ ଏମପି କିର୍ତ୍ତି ଆଜାଦ କହିଛନ୍ତି, ଆମେରିକା ସରକାର ଏପରି ଭାବେ ଭାରତୀୟଙ୍କୁ ପଠାଇଦେବା ଦୁର୍ଭାଗ୍ୟଜନକ । ସେ କହିଛନ୍ତି, ଯେହେତୁ ଏହି ଲୋକମାନେ ବେଆଇନ ଭାବେ ରହୁଥିଲେ, ସେମାନଙ୍କୁ ଫେରାଇ ଦିଆଯାଇଛି, ହେଲେ ଯେଉଁଭଳି ଭାବେ ଫେରାଯାଇଛି, ତାହା ହିଁ ଦୁର୍ଭାଗ୍ୟଜନକ । ଖାଦ୍ୟ ଦିଆଯାଇନି, ହ୍ୟାଣ୍ଡକଫ୍ ଓ ଚେନ୍ ପକାଇ ଅଣାଯିବା ଦୁର୍ଭାଗ୍ୟଜନ ।
ସେହଭିଳି ସମାଜବାଦୀ ପାଟିର୍ର ରାଜ୍ୟସଭା ସାଂସଦ ରାଜୀବ ରାୟ ମୋଦୀ ସରକାରଙ୍କୁ କଟାକ୍ଷ କରିଛନ୍ତି । ଆମେରିକା ସହ ସମ୍ପର୍କ ବେଶ୍ ଭଲ ବୋଲି କେନ୍ଦ୍ର ସରକାର କହୁଛନ୍ତି । ଟ୍ରମ୍ପଙ୍କ ସହ ମୋଦୀଙ୍କ ବ୍ୟବକ୍ତିଗତ ବନ୍ଧୁତା ଥିବା କଥା ନେଇ ବିଜେପି ଡିଣ୍ଡିମ ପିଟୁଛି । ହେଲେ ଯେପରି ଭାବେ ୧୦୪ ଜଣ ଭାରତୀୟଙ୍କୁ ପଠାଇ ଦିଆଗଲା , ତାହା ଭାରତ ଓ ଆମେରିକା ସମ୍ପର୍କ କେଉଁଠି ଅଛି, ଜଳ ଜଳ ଦେଖାଯାଉଛି ବୋଲି ସେ କହିଛନ୍ତି ।
କଂଗ୍ରେସ ସାଂସଦ ଶଶୀ ଥରୁର, ଯେ ବୈଦେଶିକ ବ୍ୟାପାର ପ୍ରସଙ୍ଗରେ ଗଭୀର ଅନୁଭୂତି ରଖିଛନ୍ତି । ତାଙ୍କ କହିବା କଥା ହେଲା, ବେଆଇନ ଭାବେ ରହୁଥିବା ନାଗରିକଙ୍କୁ କୌଣସି ଦେଶ ସେମାନଙ୍କ ସମ୍ପୃକ୍ତ ଦେଶକୁ ପଠାଇବା ନୂଆ କଥା ନୁହେଁ, ହେଲେ ଯେଉଁଭଳି ଢଙ୍ଗରେ ଏହା କରାଗଲା, ତାହା ଯଥାର୍ଥ ନୁହେଁ । ଦିନ ୪ଟାରେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ରଖିବାର ଅଛି । ଗତକାଲି ଏକ ସ୍ୱତନ୍ତ୍ର ବିମାନରେ ୧୦୪ ଜଣ ଭାରତୀୟଙ୍କୁ ଆମେରିକାରୁ ଭାରତ ପଠାଯାଇଥିଲା । ଏମାନେ ଆମେରିକାରେ ବେଆଇନ ଭାବେ ରହିଆସୁଥିଲେ । ଏହାକୁ ନେଇ ଏବେ ସାରାଦେଶରେ ଚର୍ଚ୍ଚା ବଢ଼ିଛି ।