ସମବାୟ ସମିତିକୁ ସାର ଯୋଗାଣ ଦାବି

 ସାଲେପୁର  : ସାଲେପୁର ବ୍ଲକ୍ ଅଞ୍ଚଳରେ ଖରିଫ୍ ଋତୁରେ ୧୪ହଜାର ହେକ୍ଟରରୁ ଊଦ୍ଧ୍ୱର୍ ଜମିରେ ଚାଷୀମାନେ ଧାନଚାଷ ପାରମ୍ପରିକ ଓ ଉନ୍ନତମାନର ବିହନରେ କରିଛନ୍ତି । ସାଲେପୁର ବ୍ଲକର ୧୫ଟି ସେବା ସମବାୟ ସମିତି (ପ୍ୟାକ୍ସ)ଥିଲେ ମଧ୍ୟ ସେମାନେ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସାର ରିହାତି ଦରରେ ଉଠାଇ ଚାଷୀମାନଙ୍କୁ ଦେଇଥାନ୍ତି । ବର୍ତ୍ତମାନ ୟୁରିଆ, ଡିଏପି ୧୮-୪୬, ପଟାସ୍, ଗ୍ରୋମର ସାର ଚାଷୀମାନେ ବାଧ୍ୟହୋଇ ଉଚ୍ଚାଦରରେ ବେପାରୀମାନଙ୍କ ଠାରୁ କିଣୁଛନ୍ତି । ସାଲେପୁର ବ୍ଲକ ଅଧିନରେ ଥିବା ୧୫ଟି ସେବା ସମବାୟ ସମିତି ଗୁଡିକ ସେମାନଙ୍କର ମୌଳିକ ଦାୟିତ୍ୱ ଭୁଲିଯାଇ ସାର ଉଠାଉନାହାନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନ ଥିବା ସମସ୍ୟା ଓ ହଇରାଣ ହରକତ ହେଉଛନ୍ତି । ସାର ଖୋଲା ବଜାରରେ ଚଢ଼ାଦରରେ ବିକ୍ରୟ ହେଉଛି । ଯାହାଫଳରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ସାର କିଣିବାକୁ ସାହାସ କରିପାରୁ ନାହାନ୍ତି । କେତେକ ଧାନ ଜମି ଖାଦ୍ୟ ଅଭାବରୁ ପାଚିଲା ପଡିଗଲାଣି । ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ରାଜ୍ୟରେ ସାର ଯଥେଷ୍ଟ ମହଜୁତ ଅଛି ବୋଲି ବୟାନ ବାଜି ଚଳାଉଥିବାବେଳେ ଗ୍ରାମାଞ୍ଚଳକୁ ଏହି ସବ୍ସିଡି ସାର ଆସିପାରୁନାହିଁ । ସାଲେପୁର ବ୍ଲକ୍ରେ ଥିବା ୧୫ଟି ପ୍ୟାକ୍ସକୁ ସବ୍ସିଡ୍ ସାର ଯୁଦ୍ଧକାଳୀନ ଭିତିରେ ଯୋଗାଇ ଦେବାକୁ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜ ମହାନ୍ତି ଦାବି କରିଛନ୍ତି ।