ଶ୍ରମିକମାନଙ୍କ ସୁରକ୍ଷା ନେଇ କଂଗ୍ରେସର ଦାବି

କଟକ : କଟକ ଜିଲ୍ଲାରେ ସଂଗଠିତ ଓ ଅଣସଂଗଠିତ ଶ୍ରମିକମାନଙ୍କର ସୁରକ୍ଷା ଓ ଭବିଷ୍ୟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏ ସଂପର୍କରେ କଟକ ଶକ୍ତିନଗର କଂଗ୍ରେସ ପକ୍ଷରୁ ମନୋଜ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ନୂଆପଡ଼ା ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିବା ସହ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଶେଷକରି ଶ୍ରମିକମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପ୍ରଦାନ, ଏପି୍ରଲରୁ ଜୁନ ଯାଏ ଗ୍ରୀଷ୍ମ ପ୍ରବାହ ପାଇଁ ଖୋଲା ଆକାଶ ପାଇଁ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ଯାଏ ଶ୍ରମିକଙ୍କୁ କାମରେ ନ ଲଗାଇବା, ସେଫ୍ଟି ବେଲ୍ଟ ଓ ସେଫ୍ଟି ଜୋତା ଶ୍ରମିକମାନଙ୍କୁ ପ୍ରଦାନ, ସପ୍ତାହରେ ୭ ଦିନରୁ ୬ ଦିନ କାର୍ଯ୍ୟ କଲାପରେ ଶ୍ରମିକମାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ, ଶ୍ରମିକମାନଙ୍କ ସୁରକ୍ଷା ଓ ଭବିଷ୍ୟ ପାଇଁ ଇଏସଆଇ ଓ ଇପିଏଫ ଯୋଜନା ଲାଗୁ ଆଦି ତଦାରଖ କରି ଶ୍ରମ ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଶିଳ୍ପ ସଂସ୍ଥା ଓ ଶ୍ରମ ବିଭାଗର ମଧୁଚନ୍ଦ୍ରିକା ପାଇଁ ଶ୍ରମିକମାନେ ତାଙ୍କ ନାର୍ଯ୍ୟ ଅଧିକାରରୁ ବଞ୍ଚôତ ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶିର ରଥ, ମାନସ ପରିଡ଼ା, ରାମଚନ୍ଦ୍ର ଗୋଚ୍ଛାୟତ, ନିର୍ମଳ ସ୍ୱାଇଁ, ବିପିନ ପଶାୟତ, ରଜନୀ ବସ୍ତିଆ, ସନ୍ତୋଷ ବିଶ୍ୱାଳ, ଜୟ ନାରାୟଣ ତି୍ରପାଠୀ, ରୁଷି କାଣ୍ଡି, ଲକ୍ଷ୍ମୀଧର ଶରଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।