ମହାନଦୀରେ ଅଘଟଣ

ମହାନଦୀରେ ଅଘଟଣ

କଟକ: ମହାନଦୀରେ ପୁଣି ଅଘଟଣ ଘଟିଛି । ସ୍ଥାନୀୟ ଯୋବ୍ରା ଆନିକଟ ନିକଟରେ ଗୁରୁବାର ଅପରାହ୍ନରେ ନଦୀରେ ଗାଧୋଇବା ବେଳେ ୨ ଜଣ ବୁଡ଼ି ଯାଇଥିଲେ । ଅନ୍ୟ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଲେ ଯୋବ୍ରା ନଦୀକୂଳ ସାହିର ସାଇ ବେହେରା (୧୪) ଏବଂ ପିଙ୍କୁନ ଜେନା (୨୨) । ସୁରକ୍ଷିତ ଭାବେ ଉଦ୍ଧାର ପାଇଥିବା ନାବାଳକ ଜଣକ ଯୋବ୍ରା ନଦୀକୂଳ ସାହିର ବିଶ୍ୱଜିତ ଦାସ (୧୩) ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ସ୍ଥାନୀୟ ମହାନଦୀର ଯୋବ୍ରା ଆନିକଟ ନିକଟରେ ଯୋବ୍ରା ନଦୀକୂଳ ସାହିର ୬ ଜଣ ଯୁବକ ନଦୀକୁ ଗାଧୋଇବାକୁ ଆସିଥିଲେ  । ତେବେ ଗାଧୋଇବା ବେଳେ ୩ ଜଣ ପାଣି ସୁଅରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ସ୍ଥାନୀୟ ଲୋକେ ଜଣେ ନାବାଳକ ବିଶ୍ୱଜିତ ଦାସକୁ ଜୀବନ୍ତ ଭାବେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ  । ଅପରପକ୍ଷରେ ଅଗ୍ନିଶମ ବାହିନୀ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ନାବାଳକ ସାଇ ବେହେରା ଓ ସାବାଳକ ପିଙ୍କୁନ ଜେନାକୁ ଡାକ୍ତର ମୃତ ଘୋଷଣା କରିଥିଲେ  । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି  । ନଦୀରେ ଗାଧୋଇବାକୁ ଯିବା ବେଳେ ସତର୍କତା ଅବଲମ୍ବନ କରିବାକୁ କଟକ ଡିସିପି ରିଶିକେଶ ଖିଲାରୀ ନିର୍ଦ୍ଦେଶ ଦେଇଛନ୍ତି  ।