ସାବଧାନ! ପୁଣି ଲେଉଟିଲା କରୋନା

ନୂଆଦିଲ୍ଲୀ : ପୁଣି ଏସିଆରେ କରୋନା ଲେଉଟିଛି । ଯାହାକୁ ନେଇ ହଙ୍ଗକଙ୍ଗ ଓ ସିଙ୍ଗାପୁରରେ ହାଇଆଲର୍ଟ ଜାରିହୋଇଛି । କରୋନା ଜାଲରେ ସାରା ବିଶ୍ୱ କଲବଲ ହୋଇ ସାରିଥିବାରୁ କରୋନା ନା ଶୁଣିଲେ ଛନକା ପଶିଯାଉଛି । ସିଙ୍ଗାପୁର ହେଉଛି ଏସିଆ ମହାଦେଶର ଅନ୍ୟତମ ଜନବହୁଳ ସହର । ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮% ବୃଦ୍ଧି ପାଇ ୧୪୨୦୦ରେ ପହଁଚିଛି । ସେହିପରି ହସପିଟାଲରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦% ବଢ଼ିଯାଇଛି । ଖାଲି ସିଙ୍ଗାପୁର ନୁହେଁ ହଂକଂ ଓ ଚାଇନାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଚାଇନା ତଥ୍ୟ ଲୁଚାଉଥିବା କୁହାଯାଉଛି ।
- ହଂକଙ୍ଗ ଓ ସିଙ୍ଗାପୁରରେ ହାଇଆଲର୍ଟ
କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାରେ କୋଭିଡ଼ ପଜିଟିଭ ହାର ଦୁଇଗୁଣା ହୋଇଯାଇଛି । ଅପ୍ରେଲରେ ସୋଙ୍ଗକ୍ରନ ଉତ୍ସବ ପାଇଁ ଥାଇଲାଣ୍ଡରେ ବି କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ସିଙ୍ଗାପୁରରେ ବି ଅନୁରୂପ ସ୍ଥିତି ସୃଷ୍ଟିହୋଇଛି । ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ହାଇଆଲର୍ଟ ଜାରି କରାଯାଇଛି । ହଙ୍ଗକଙ୍ଗ ଓ ସିଙ୍ଗାପୁରକୁ ସାରା ଏସିଆର ଲୋକେ ଛୁଟି କଟାଇବାକୁ ଯାଇଥା’ନ୍ତି । ତେଣୁ ସେଠାରେ କରୋନା ସଂକ୍ରମଣ ହେଲେ ଏସିଆ ପାଇଁ ବି ବିପଦ ସୃଷ୍ଟିକରିବ । ଖୁବଶୀଘ୍ର ଏନେଇ ଏସିଆର ବିଭିନ୍ନ ଦେଶ ସତର୍କତାମୂଳକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ବିମାନବନ୍ଦରରେ ସ୍କ୍ରିନିଂ ଓ କ୍ୱାରେଣ୍ଟିନ ଭଳି ପଦକ୍ଷେପ ବି ନିଆଯାଇପାରେ ।