ବିଲକୁ ଯାଇଥିଲେ, ଘରକୁ ଫେରିଲେନି

ବିଲକୁ ଯାଇଥିଲେ, ଘରକୁ ଫେରିଲେନି

ଭୁବନେଶ୍ୱର/ଢେଙ୍କାନାଳ/ଧର୍ମଶାଳା/ଉମରକୋଟ/କୋରାପୁଟ : ଆରମ୍ଭ ହୋଇଯାଇଛି ଚାଷ ଋତୁ । ବିଲବାଡ଼ି କାମ ଜୋର ଧରିଛି । ସକାଳୁ ସଂଜ ଯାଏଁ ଏବେ ଚାଷୀମାନେ ବିଲରେ । ହେଲେ କିଏ ଅବା ଜାଣିଥିଲା, ବିଲକୁ ଯାଇଥିବା ଲୋକଟାଯେ ଆଉ ଘେରକୁ ଫେରିବନି । ଆକାଶରୁ ଖସିବ ମୃତ୍ୟୁ । ବଜ୍ରପାତ ରୂପକ ଯମ ତାଙ୍କୁ ନେଇଯିବ ସାଙ୍ଗରେ । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି  । ବଜ୍ରପାତରେ ୧୦ ଜଣଙ୍କର ଜୀବନ ଚାଲିଯାଇଛି ।
ଢେଙ୍କାନାଳ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଗଁଦିଆ ଥାନା କାବେରା ପଞ୍ଚାୟତ ଦେହୁରୀସାହିର ଚାଷୀ ସନାତନ ଦିଆଣି (୪୫) ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇ ଟଳିପଡିଛନ୍ତି । ସନାତନ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ  ୪ଟାରେ ସାନଭାଇଙ୍କ ସାଙ୍ଗରେ ବିଲକୁ କାମ କରିବା ପାଇଁ ଯାଇଥିଲେ । ହେଲେ କାଳବୈଶାଖୀ ବର୍ଷା ସହ ବିଜୁଳି  ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅତିରିକ୍ତ ତହସିଲଦାର ସୋଭାଗ୍ୟ କୁମାର ମହାନ୍ତି, ଯୋରନ୍ଦା ରାଜସ୍ୱ ନିରୀକ୍ଷକ ରାଜେନ୍ଦ୍ର ପ୍ରାସାଦ ସାହୁ ଓ ଗଁଦିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ପହଞ୍ଚି ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାରେ ପହଁଚି ତଦାରଖ କରିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକ ମହାବିରୋଡ଼ ଥାନା ଦଶୀପୁର ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗ୍ରାମରେ ପ୍ରାୟ ଅପରାହ୍ନ ୪ଟାରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ହେଲେ ଉକ୍ତ ଗ୍ରାମର ସୁରୁଷି ବିଶ୍ୱାଳ(୪୦) । ସୁରୁଷି ନିଜ ଘର ସାମ୍ନାରେ ଥିବାବେଳେ ଅଚାନକ ବଜ୍ରପାତ ହୋଇଥିଲା । ଆଘାତ ପାଇ ସେ ମୂର୍ଚ୍ଛା ହୋଇ ତଳେ ପଡି ଯାଇଥିଲେ । ପରିବାର ଲୋକେ ତୁରନ୍ତ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ମୃତକ ପରିବାର ଗରିବ ଶ୍ରେଣୀର ହେଇଥିବାରୁ ବଜ୍ରପାତରେ ସରକାରୀ ସହାୟତା ମିଳିବା ପାଇଁ ପରିବାର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଆମ ଧର୍ମଶାଳା ପ୍ରତିନିଧିଙ୍କ ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନରେ ଗାଁ ଦାଣ୍ଡରେ ସାଙ୍ଗ ହୋଇ ଖେଳୁଥିଲେ ଦୁଇ ନାବାଳକ । ହଠାତ୍‌ ବଜ୍ରପାତ ହେବାରୁ ଗାଁ ଦାଣ୍ଡରେ ଖେଳୁଥବା ଦୁଇ ନାବାଳକ ଟଳି ପଡ଼ିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତ ବୁରୁସାହି ଗ୍ରାମରେ ଘଟିଛି । ମୃତକ ଦୁଇ ନାବାଳକ ହେଉଛନ୍ତି ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି(୧୨) ଓ ଅର୍ଜୁନ ହେମ୍ରମ୍ବଙ୍କ ପୁଅ ତାରା(୧୩) ।  ଖବର ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଁଚି ପରିବାରଲୋକଙ୍କୁ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଅପରପକ୍ଷରେ ଉମରକୋଟ ପ୍ରତିନିଧି ଜଣାଇଛନ୍ତିଯେ, ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ବଜ୍ରପାତ ଯୋଗୁଁ ବେନୋରା ପଞ୍ଚାୟତ ଶଙ୍କରଡା ଗ୍ରାମର ଲଳିତ ମାଝୀ (୧୫)ଙ୍କର ମୃତ୍ୟୁ ହୋଇଛି  । ସେହିପରି ଚୈତରାମ ମାଝୀ (୩୫) ଗୁରୁତର ହୋଇଯାଇଛନ୍ତି । ସମ୍ପର୍କରେ ଏହି ଦୁହେଁ ଦାଦା ଓ ପୁତୁରା  । ଏହି ଦୁହେଁ ଆଜି ଜମିରେ କାମ କରୁଥିଲେ । ବଜ୍ରପାତ ଯୋଗୁଁ ଦୁହେଁ ଗୁରୁତର ହୋଇପଡିଥିଲେ । ପାଖ ଜମିରେ କାମ କରୁଥିବା ଅନ୍ୟ ଲୋକେ ଏହା ଦେଖି ଦୌଡି ଆସି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ  । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଲଳିତଙ୍କ ମୃତ୍ୟୁ ଘଟିଥିଲା । କୋରାପୁଟ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତରେ ବଜ୍ରପାତ ଯୋଗୁଁ ୩ ମହିଳାଙ୍କର ମୃତ୍ୟୁ ହୋଇଛି  । ସେମାନେ ସମସ୍ତେ ବିଲକୁ ଯାଇଥିଲେ । ବର୍ଷା ପବନ ଆସିବାରୁ କୁଡ଼ିଆରେ ଆଶ୍ରୟ ନେଇଥିଲେ । ବଜ୍ରପାତ ପଡ଼ିବାରୁ ଗୋଟିଏ ପରିବାର ଜେଜେ ମାଆ ଓ ନାତୁଣୀର ମୃତ ଘଟିଛି । ଜେଜେ ମାଆ ବୃଦି ମାଣ୍ଡିଙ୍ଗା ୬୦ ବର୍ଷ ଓ ନାତୁଣୀ କସା ମାଣ୍ଡିଙ୍ଗା ୧୮ ବର୍ଷ  ମୃତ ଘଟିଛି । ଅନ୍ୟ ଜଣେ ମୃତକ ମହିଳା ହେଲେ କୁମ୍ଭାରଗୁଡା ଗ୍ରାମର ଅମ୍ଭିକା ୩୫ ବର୍ଷ । ଆହତ ବୃଦ୍ଧ ହୀଙ୍ଗୁ ମାଣ୍ଡିଙ୍ଗା ଗୁରୁତର ଆହତ ହୋଇଛନ୍ତି  । ତାଙ୍କୁ ଲକ୍ଷ୍ମୀପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁଃଖର ଖବର ଶୁଣି  ସ୍ଥାନୀୟ ଜିଲ୍ଲା ପରିଷଦ ପିଙ୍କି ହିମରିକା, ସମାଜ ସେବୀ ପୋପୁ ହିକକା ଏବଂ ସ୍ଥାନୀୟ ଆଇଆଇସି ସୁଜ୍ଞାନି ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ଅପରପକ୍ଷରେ ଢେଙ୍କାନାଳ ଜିଲ୍ଲାରେ ବଜ୍ରାଘାତ ଯୋଗୁଁ କାମାକ୍ଷା ନଗର ଉପଖଣ୍ଡ କଙ୍କଡ଼ାହାଡ଼ ବ୍ଲକ ଓ ପରଜଙ୍ଗ ବ୍ଲକରେ ୧୨ ଗୋରୁଙ୍କର ମୃତ୍ୟୁ ହୋଇଛି  । ବଜ୍ରାଘାତରେ କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ବାଲିକୁମା ଗାଁରେ ୬ ଗାଈ ମୃତ୍ୟୁ ମୁଖରେ ପଡିଛନ୍ତି । ଗ୍ରାମର ସୁନାରାମ ହାଁସଦାଙ୍କ ୩ଟି ଗାଈ, ସମାଇ ଟୁଡୁଙ୍କ ୨ଟି ଗାଈ, ମଙ୍ଗଳ ସୋରେନଙ୍କ ଗୋଟିଏ ଚରିବା ପାଇଁ ଯାଇଥିଲା ବେଳେ ଘର ପାଖରେ ବଜ୍ରାଘାତ ଘଟିଥିଲା । ସେହି ସ୍ଥାନରେ ଗାଈଗୁଡିକ ଟଳି ପଡ଼ିଥିଲେ । ସେହିପରି ପରଜଙ୍ଗ ବ୍ଲକ ଅମ୍ବାପଳାସ ଗ୍ରାମର ମୁଣ୍ଡିଆ ରଗଡି ସାହି ଏକ ଆମ୍ବ ଗଛ ତଳେ ୬ଟି ଗୋରୁ ଆଶ୍ରୟ ନେଇଥିବା ବେଳେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ଘଟିଛି  ।