ସାରଳା ଦାସ ଓ ଓଡ଼ିଆ ଭାଷା


ହିମାଂଶୁ ଶେଖର : ଓଡିଆ ଭାଷା ସାହିତ୍ୟର ଜନକ, ଉକ୍ରଳବ୍ୟାସ ଭାବେ ପରିଚିତ ମାଟିର ମହାକବି ସାରଳା ଦାସଙ୍କ ସାଧନାସିକ୍ତ ସାରସ୍ୱତ ଅବଦାନ ଯଥାର୍ଥରେ ଅତୁଳନୀୟ । ନମ୍ରତା, ସରଳତା ଓ ସମର୍ପଣତାର ଏକ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଏହି ମହାକବି ସ୍ୱୀୟ ପ୍ରତିଭା ସ୍ଫୁରଣରେ ମା’ ସାରଳାଙ୍କ ଅପାର୍ଥିବ କୃପାର ଅଯାଚିତ ଅବଦାନକୁ ପାଥେୟକରି ନିଜର ମହାନୁଭବତାର ଯେଉଁ ଆଲେଖ୍ୟ ରଖିଯାଇଛନ୍ତି ତାର ପଟ୍ଟାନ୍ତର ନାହିଁ । ପଞ୍ଚଦଶ ଶତାବ୍ଦୀର ଏହି ମହାକବି ତକ୍ରାଳୀନ ସଂସ୍କୃତ ଭାଷାର ପ୍ରାଧାନ୍ୟ ଓ ବ୍ରାହ୍ମଣ ସମାଜର ପ୍ରାଦୁର୍ଭାବକୁ ପ୍ରତିହତ କରି ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ଆଗେଇ ଆସି ଯେଉଁ ଓଡିଆ ଭାଷାରେ ସଂସ୍କୃତ ସମକକ୍ଷ କାବ୍ୟ ରଚନା କରି ନିଜର ଅନନ୍ୟ ପ୍ରତିଭାର ନିଦର୍ଶନ କରିଥିଲେ ।
ଉକ୍ରଳର ବରପୁତ୍ର ଏହି ମହାନ କବିଙ୍କ ଜୀବନୀ ସମ୍ବନ୍ଧରେ ବିଶେଷ କିଛି ତଥ୍ୟ ଉପଲବ୍ଧ ହୁଏ ନାହିଁ । କାରଣ ନିଜ ଗ୍ରନ୍ଥମାନଙ୍କରେ ନିଜ ପରିଚୟ ସେ ସ୍ପଷ୍ଟ ଭାବରେ ଦେଇନାହାନ୍ତି । ତେବେ ମାଟିର ଏହି ବିସ୍ମୟ ପ୍ରତିଭା ସାରଳା ଦାସ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ମହାରାଜା କପିଳେନ୍ଦ୍ର ଦେବ (୧୪୩୫-୬୮) ସମସାମୟିକ ଥିଲେ ବୋଲି ଅନୁମାନ କରାଯାଏ । ପ୍ରଚଳିତ ଜନଶ୍ରୁତି ଓ ତାଙ୍କ ରଚନା ସମୁହରେ ବିକ୍ଷିପ୍ତ ଭାବେ ରହିଥିବା କେତେକ ପଂକ୍ତିକୁ ବିଚାରକୁ ନେଲେ ଝଙ୍କଡ ପ୍ରଗଣାସ୍ଥିତ ସାରୋଳ ଗ୍ରାମ ଅନ୍ତର୍ଗତ କାଳିନାଗ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ । କାରଣ ତାଙ୍କ ସ୍ୱୀକାରୋକ୍ତି ଅନୁସାରେ -
“ଝଙ୍କଡ ଗ୍ରାମରେ ମୋର ଅଟଇ ବସତି
ମୂର୍ଖଙ୍କ ଗୋଷ୍ଠୀରେ ସଦା ଗଲା ଦିନରାତି ।”
ପୁଣି ଜନ୍ମସ୍ଥାନ ସମ୍ପର୍କରେ କବି କହିଛନ୍ତି -
‘ପୁରୁରବା ସଞ୍ଚିତ ସେ ଝଙ୍ଖେରପୁର ଯାହା ବୋଲି
ଶ୍ରୀଗିରିଜାର ଆଜ୍ଞାୟେ ମୁହିଁ ତହିଁ ଜନମିଲି ।’
ସମସାମୟିକ ସମାଜରେ ସଂସ୍କୃତ ଭାଷାର ଥିଲା ନିରଙ୍କୁଶ ରାଜତ୍ୱ । ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜନତାର ଭାଷାରେ ଗ୍ରନ୍ଥ ରଚନା କରିବାରେ ସେ ଥିଲେ ପ୍ରଥମ କବି । ଏପରି ଏକ ବୈପ୍ଳବିକ ପଦକ୍ଷେପ ନେଇ ଉଭୟ ବାଲ୍ମିକୀ ଓ ବ୍ୟାସଙ୍କୁ ନୂତନ ଭଙ୍ଗୀରେ ରୂପାତନ କରି ତକ୍ରାଳୀନ ନିଷ୍ପ୍ରଭ ବାଣୀଭଣ୍ଡାରକୁ ଜନଜୀବନ ସହିତ ଜଡିତ କରି ନିଜର ପାରଦର୍ଶିତା ପ୍ରମାଣ କରିଥିଲେ । ସାରଳା ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ ସେଥିରେ ଥିଲା - ରାମାୟଣ, ମହାଭାରତ ଓ ଭାଗବତ । ସେ ଲେଖିଛନ୍ତି -
“ପ୍ରଥମେ ଶ୍ରୀରାମାୟଣ ଦ୍ୱିତୀୟେ ଭାରତ
ତୃତୀୟେ ଲିଖନ କଲି ଶିରୀ ଭାଗବତ ।”
ଏଠାରେ ରାମାୟଣ ହେଉଛି ‘ବିଲଙ୍କା ରାମାୟଣ’, ଭାରତ ହେଉଛି ‘ମହାଭାରତ’ ଓ ଶିରୀ ଭାଗବତ ହେଉଛି ‘ଦେବୀ ଭାଗବତ’ ବା ‘ଚଣ୍ଡୀପୁରାଣ’ । ଏଥି ସହିତ ବାଲ୍ମିକୀ ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା ଓ ‘ସପ୍ତକାଣ୍ଡ ରାମାୟଣ’ ପ୍ରଭୃତି ମଧ୍ୟ ତାଙ୍କ ଲେଖନୀରୁ ନିଃସୃତ ହୋଇଅଛି ।  ମାତ୍ର ସପ୍ତକାଣ୍ଡ ରାମାୟଣ ବିଷୟରେ ଅଧିକ ଆଲୋଚନା ହୋଇପାରି ନାହିଁ । ସାରଳା ଦାସ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ‘ବିଲଙ୍କା ରାମାୟଣ’ ପ୍ରଥମ । ଶିବପାର୍ବତୀଙ୍କ କଥୋପକଥନ ଛଳରେ ସମଗ୍ର ଗ୍ରନ୍ଥଟିର କଥାବସ୍ତୁ ପରିକଳ୍ପିତ । ଗ୍ରନ୍ଥର ଭାଷା ଅତି ସରଳ ଓ ସର୍ବଜନବୋଧ । ‘ସାରଳା ମହାଭାରତ’ କବିଙ୍କ ଗ୍ରନ୍ଥମାନଙ୍କ ମଧ୍ୟରେ ବୃହତ୍ତମ । ଏପରିକି ଏହା ଆକାରରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ ଠାରୁ ମଧ୍ୟ ବଡ । ବ୍ୟାସଙ୍କ ମହାଭାରତରେ ଶ୍ଳୋକ ସଂଖ୍ୟା ଏକଲକ୍ଷ ହୋଇଥିବା ବେଳେ ସାରଳା ଦାସଙ୍କ ପଦ ସଂଖ୍ୟା ଏକଲକ୍ଷ ଚାଳିଶ ହଜାର । ‘ଚଣ୍ଡୀ ପୁରାଣ’ ମହାଭାରତର ପରବର୍ତ୍ତୀ ରଚନା । ଶୁକ-ପରୀକ୍ଷିତ ସମ୍ବାଦ ଆକାରରେ ଓ ମହିଷାସୁର ବଧ ପ୍ରସଙ୍ଗକୁ ଉପଜୀବ୍ୟ କରି ଏହା ରଚିତ । ଲକ୍ଷ୍ମୀ ନାରାୟଣ ବଚନିକା ପୋଥି ଆକାରରେ ରହିଛି । ଦାଣ୍ଡିବୃତ୍ତରେ ରଚିତ ଏହି ଗ୍ରନ୍ଥଟି ମହାଲକ୍ଷ୍ମୀଙ୍କ ବନ୍ଦନାରେ ଆରମ୍ଭ ହୋଇଅଛି । ଲକ୍ଷ୍ନୀ-ନାରାୟଣଙ୍କ କଥୋପକଥନ ଶୈଳୀରେ ଏହା ରଚିତ । 
ସାରଳା ଦାସ ମହାଭାରତ ଓଡିଆ ଜାତିର ଜୀବନ ବେଦ କହିଲେ ଅତୁ୍ୟକ୍ତି ହେବନାହିଁ । ଏହା ମୂଳ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ । ମୂଳ ଗ୍ରନ୍ଥଟିର କଙ୍କାଳକୁ ମାତ୍ର ଗ୍ରହଣ କରି ସାରଳା ଦାସ ସେଥିଲେ ସ୍ୱ-କଳ୍ପନା ଶକ୍ତି ବଳରେ ରକ୍ତମାଂସ ସଂଯୋଗ କରିଛନ୍ତି । ସାରଳା ମହାଭାରତର ଏପରି କୌଣସି ଦିଗ ନାହିଁ, ଯେଉଁଥିଲେ ସାରଳା ଦାସଙ୍କ ଜାତୀୟତାର ଛାପ ଦେଖିବାକୁ ମିଳେନାହିଁ । ତାଙ୍କ ବିରଚିତ ମହାଭାରତରେ ଓଡିଶାର ମଠମନ୍ଦିର, ଧର୍ମପୀଠ, ଭୂଗୋଳ, ଜନପଦ, ପର୍ବତ, ନଦ ନଦୀ, ଅରଣ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକ ବିଶ୍ୱାସକୁ ଜୀବନ୍ତ ରୂପରେ ରୂପାୟିତ କରିଛନ୍ତି ତାହା ତାଙ୍କ ଅସାମାନ୍ୟ ବୌଦ୍ଧିକ ଚେତନାର କଥା କହେ । ମହାଭାରତରେ ସାରଳା ଦାସ ୧୮ଟି ପର୍ବ ରଖିଛନ୍ତି ଯେଉଁଥିରେ ଆଦିପର୍ବ, ମଧ୍ୟପର୍ବ, ସଭାପର୍ବ, ବନପର୍ବ, ବିରାଟ ପର୍ବ, ଉଦ୍ୟୋଗ ପର୍ବ, ଭୀଷ୍ମପର୍ବ, ଦ୍ରୋଣପର୍ବ, କର୍ଣ୍ଣପର୍ବ, ଶଲ୍ୟପର୍ବ, ଗଦାପର୍ବ, କାଇଁଶିକା ପର୍ବ, ନାରୀପର୍ବ, ଶାନ୍ତିପର୍ବ, ଅଶ୍ୱମେଧ ପର୍ବ, ଆଶ୍ରମିକା ପର୍ବ, ମୂଷଳୀ ପର୍ବ ଓ ସ୍ୱର୍ଗାରୋହଣ ପର୍ବ ରହିଛି । ସାରଳ ମହାଭାରତ ପ୍ରବଚନ, ନୀତିକଥା ଓ ଲୋକକଥାର ଖଣି । ଏଗୁଡିକ ମଧ୍ୟରୁ କେତେକ ତଦାନୀନ୍ତନ ସମାଜରେ ପ୍ରଚଳିତ କେତୋଟି ସଂସ୍କୃତାଦି ଗ୍ରନ୍ଥରୁ ସଂଗୃହୀତ ଓ କେତୋଟି ସାରଳା ଦାସଙ୍କ କଳ୍ପନା ପ୍ରସୂତ । ସାରଳା ମହାଭାରତ ଦାଣ୍ଡିବୃତ୍ତରେ ରଚିତ । ଓଡିଆ ସାହିତ୍ୟରେ ସର୍ବପ୍ରଥମେ ସାରଳା ଦାସ ଦାଣ୍ଡିବୃତ୍ତ ବ୍ୟବହାର କରିଥିଲେ । ଏହି ବୃତ୍ତର ଲକ୍ଷଣ ହେଉଛି ଏହାର ପାଦଦ୍ୱୟ ଅକ୍ଷର ସଂଖ୍ୟା ସବୁବେଳେ ସମାନ ନଥାଏ । କୌଣସି ପାଦରେ ସର୍ବାଧିକ ୩୨ ଅକ୍ଷର ଥିବା ସ୍ଥଳେ ଅନ୍ୟ କୌଣସି ପାଦରେ ସର୍ବନିମ୍ନ ୯ ଅକ୍ଷର ଥିବା ପରିଲକ୍ଷିତ ହୁଏ । ଏହି ବୃତ୍ତକୁ ସାରଳା ଦାସ ନିଜର ଅନ୍ୟାନ୍ୟ ରଚନାବଳୀରେ ବ୍ୟବହୃତ କରିଥିଲେ ।
ସାରଳା ଦାସ ଉକ୍ରଳର ଆଦିକବି ହୋଇଥିବାରୁ ତାଙ୍କ ରଚନାବଳୀ ଦ୍ୱାରା ପରବର୍ତ୍ତୀ କବି ଓ ସାହିତି୍ୟକମାନେ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’ରେ ସାରଳା ଦାସଙ୍କ ମହାଭାରତର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳେ । ଓଡିଆ ଭାଗବତକାର ଜଗନ୍ନାଥ ଦାସ ମଧ୍ୟ ତାଙ୍କ କଥାବସ୍ତୁ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲେ । ସେହିପରି ଦୀନକୃଷ୍ଣ ଦାସଙ୍କ ‘ସୁଭଦ୍ରା ପରିଣୟ’, ଭକ୍ତଚରଣ ଦାସଙ୍କ ‘ମଥୁରାମଙ୍ଗଳ’ରେ ସାରଳା ଦାସଙ୍କୁ ଅନୁସରଣ କରିଥିଲେ । ଆଧୁନିକ ଯୁଗସ୍ରଷ୍ଟା କବିବର ରାଧାନାଥ ରାୟ ସାରଳା ଦାସଙ୍କ ମହାଭାରତରୁ କଥାବସ୍ତୁ ଆହରଣ କରି ‘ବାଣହରଣ’, ‘ବେଣୀ ସଂହାର’ ଆଦି ପୌରାଣିକ କାବ୍ୟମାନ ରଚନା କରିଥିଲେ । ଏହିପରି ବ୍ୟାସକବି ଫକିର ମୋହନ ମଧ୍ୟ ନିଜ ଗଦ୍ୟ ରଚନାରେ ସାରଳାଙ୍କ ଭାଷା ବ୍ୟବହାର କରି ଓଡିଆ ଭାଷାର ପ୍ରକାଶକ୍ଷମ ଶକ୍ତି ପ୍ରଦର୍ଶନ କରିଥିଲେ । କେବଳ ଓଡିଶାରେ ନୁହେଁ, ଓଡିଶା ବାହାରର ସାହିତି୍ୟକମାନେ ମଧ୍ୟ ସାରଳା ମହାଭାରତର ଭାବ-ସମ୍ପଦରେ ମୁଗ୍ଧହୋଇ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଫଳସ୍ୱରୂପ ବଙ୍ଗଳା ଭାଷାରେ ସାରଳା ମହାଭାରତ ରଚିତ ହୋଇଥିଲା । ସବୁଦିଗରୁ ବିଚାର କଲେ ଦୀର୍ଘ ପାଞ୍ଚଶହରୁ ଊଦ୍ଧ୍ୱର୍ ବର୍ଷ ଧରି ବହୁ ପୁରାଣ କାବ୍ୟ, ଯାତ୍ରା, ସୁଆଙ୍ଗ ପ୍ରଭୃତି ସାରସ୍ୱତ ସ୍ରଷ୍ଟାମାନେ ସାରଳା ଦାସଙ୍କ ରଚନାବଳୀ ଦ୍ୱାରା ପ୍ରଭାବିତ ହୋଇଆସୁଛନ୍ତି । ତେଣୁ, ତାଙ୍କୁ କେବଳ କବି ନୁହେଁ, ଓଡିଆ ସାହିତ୍ୟରେ ଆଦିକବିର ମାନ୍ୟତା ଦିଆଯାଇଛି ।  ଏସବୁ ସତ୍ତ୍ୱେ ଝଙ୍କଡବାସିନୀ ଦେବୀ ସାରଳାଙ୍କ କୃପାରୁ ତାଙ୍କର କବିତ୍ୱ ସୃଷ୍ଟି ହୋଇଥିଲା ବୋଲି ସାରଳା ଦାସ ମହାଭାରତରେ ଉଲ୍ଲେଖ କରିଛନ୍ତି । ଏହା କବିଙ୍କର ନମନୀୟ କବି ପ୍ରତିଭାର ନିଦର୍ଶନ ଅଟେ । ସେ କହିଛନ୍ତି -
“ଶ୍ରୀଚଣ୍ଡୀ ଶାରଳା ଦେବୀ ଯାହା କହେ ନିତ୍ୟେ
ମୁହିଁ ତାହା ଲେଖିଯାଏ ଜଗଜ୍ଜନ ହିତେ ।”
ଆଜି ଆଦିକବିଙ୍କ ଶ୍ରାଦେ୍ଧାତ୍ସବ ପାଳନ ଅବସରରେ ଅନେକ କଥା ମନରେ ଉଙ୍କିମାରୁଛି । ଓଡିଆ ଭାଷାର ମୂଳଦୁଆ ପକାଇଥିବା ଏହି ଯଶସ୍ୱୀ ସ୍ରଷ୍ଟା ଉକôଳୀୟ ନବଜାଗରଣର ମୁଖ୍ୟ ପୁରୋଧା ଥିଲେ । ତାଙ୍କ ଯୋଗୁ ଓଡିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି ।
          ଜଗତସିଂହପୁର